ରମ୍ଭାରିପୁ ପବମାନେ ପର୍ଣ୍ଣ ଯେହ୍ନେ ଧ୍ୱଂଶ
ଶତସିଆଁ କରି ସଦା ରଖିଥାଏ ରୋଷ ।
ତେସନେ ସଙ୍ଗତି ତୋର,
ବୁହାନ ପ୍ରଦେଶୁ ଆସି ନାଶୁ ଏ ସଂସାର ।୧।
ସୁରରିପୁ ଜିଣା ଦମ୍ଭ ନିତ୍ୟ ପ୍ରାଣହରୁ,
ତ୍ରିଭୁବନେ ପରିବ୍ୟାପ୍ତ କାୟା ମହାମେରୁ ।
ଅଣୁ ଅସ୍ତ୍ର ତୋ’ କିଙ୍କର,
ଘୂରିଯାଏ ଶିର ସର୍ବ ବୈଜ୍ଞାନିକଙ୍କର ।୨।
ବହୁରୂପି ଧରାଗ୍ରାସୁ ଧରି ନାନା ବେଶ
ଉତ୍ସୃଙ୍ଖଳ ନର ତହିଁ ବସେ ମୋଡ଼ି ନିଶ ।
ଅବମାନ କରି ନୀତି,
ଗମନ କରଇ ଯମାଳୟ ନିତି ପ୍ରତି ।୩।
ଭିଡ଼ରେ ଥାଉ ଯେ ପ୍ରିତି ଆଶ୍ଳେଷ ଛୁଆଁରେ,
ପରବାନ୍ଧି ଉଡ଼ୁଥାଉ ବ୍ୟୋମ ମଣ୍ଡଳରେ ।
ମୃତ୍ୟୁ ଦାତା ଧରା ବ୍ୟାପ୍ତ
ଧର୍ମ ଅର୍ଥ କାମ ମୋକ୍ଷ ସର୍ବେ ହେଲେ ଶୁପ୍ତ ।୪।
ଅହି ନକୁଳ ସମ୍ୱନ୍ଧ ଟିକା ସାଥେ ତୋ’ର,
ଭକ୍ତି ଭାବେ ଘୃଣା ହିଂସା ଯେହ୍ନେ ହୁଏ ଦୂର ।
ମୁଖା ସାଥିରେ ଦୂରତା,
ଦୁର୍ଲଭ ମାନବ ପ୍ରାଣେ ଭରେ ନିର୍ଭୟତା ।୫।
– ଅଲେଖ ମେହେର
Comments
ଅଲେଖ ମେହେର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।