ବାବା

Odia Story Baba (ବାବା) by Late Dinabandhu Mishra

ଗଲା କାଲି ମୋର ଜଣେ ବନ୍ଧୁ ସନ୍ଧ୍ୟାରେ ଫୋନ୍ କରି ପଚାରିଲେ, “ଆଚ୍ଛା ତୋର କେହି ଶିଷ୍ୟ ନାହାନ୍ତି?” ମୁଁ କହିଲି, “କାହିଁକି ପଚାରୁଛୁ? ମୁଁ ନିଜେ ତ କୌଣସି ଦୀକ୍ଷା ନେଇନାହିଁ ତେବେ ଦୀକ୍ଷା ଦେବି କିପରି? ଆଉ ଦୀକ୍ଷା ଦେବା କିମ୍ୱା ଗୁରୁ ହେବାର ମୋର କୈାଣସି ସଉକ ମଧ୍ୟ ନାହିଁ ।” ସେ ବିଚରା ନିରାଶ ହେଲା । ମୁଁ ତାକୁ ନିମ୍ନୋକ୍ତ ସତ୍ୟ ଘଟଣାଟିଏ ଶୁଣାଇଲି ଆଉ କିଛି ସାମାଜିକ ପ୍ରଶ୍ନ ମଧ୍ୟ କଲି । ଆପଣମାନେ ବିଜ୍ଞ ପାଠକ ମଣ୍ଡଳୀ ଆଗରେ ମଧ୍ୟ ସେଇ ପ୍ରଶ୍ନ ସବୁ ଉତ୍ଥାପନ କରୁଛି ଘଟଣାବଳୀ ସହିତ । ଆପଣମାନେ ନିଜ ବିଚାର ବ୍ୟକ୍ତ କରିବା ହେବେ ।

ଗୋଟିଏ ଗାଁ’ରେ ସମ୍ପନ୍ନ ଚାଷୀ ପରିବାରଟିଏ ଥିଲା । ଭଲ ଜମିବାଡ଼ି, ଘରଦ୍ୱାର ସହିତ ସଭ୍ୟ ଶିକ୍ଷିତ ୪ଟି ଭାଇ ଏକାଠି ଖୁବ୍ ଆନନ୍ଦର ସହିତ ଜୀବନ ଅତିବାହିତ କରୁଥିଲେ । ଚାରୋଟି ଭାଇ ମଧ୍ୟରୁ ୨ ଜଣଙ୍କ ପିଲାପିଲି ଥିବା ସମୟରେ ଆଉ ୨ ଜଣ ଅବିବାହିତ ଥିଲେ । ସମୟ ଗଡ଼ି ଚାଲିଥିଲା । ୪ଭାଇଙ୍କ ସେଇ ସମ୍ପତ୍ତି ଉପରେ ସମାନ ଅଧିକାର ମଧ୍ୟ ଥିଲା । ସମସ୍ତେ ନିଜ ନିଜ ମଧ୍ୟରେ ସୁଖଦୁଃଖରେ ଜୀବନ ଅତିବାହିତ କରୁଥିଲେ । କିନ୍ତୁ ହଠାତ୍ ସେମାନେ ଗୋଟିଏ ଭୁଲ୍ କରିବସିଲେ… ଯଦ୍ୱାରା ସମ୍ପୂର୍ଣ୍ଣ ପରିବାରଟି ଛିନ୍ନବିଛିନ୍ନ ହେଇଗଲା ଓ ସମ୍ପୂର୍ଣ୍ଣ ପରିବାର ଆଜି ଦାଣ୍ଡର ଭିକାରୀ ପାଲଟିଗଲା । ଭୁଲ୍ ଏଇୟା ନଥିଲା କି କେହି ଜଣେ ମଦ୍ୟପ ହେଇଗଲା ଅବା ଜୁଆ କିମ୍ୱା ବେଶ୍ୟାଳୟରେ ସମସ୍ତ ସମ୍ପତ୍ତି ହାରିଗଲା । ଭୁଲ୍ କେବଳ ଏତିକି ଥିଲା… ସେମାନେ ଗୋଟିଏ ବାବାକୁ ତାଙ୍କ ଘରେ ଶରଣ ଦେଇଥିଲେ ।

କଥାଟି ଏମିତି – ସେ ବାବା ଜଣକ ପାଖରେ ନା ଖାଇବାକୁ କିଛି ଥିଲା ନା ପିନ୍ଧିବାକୁ । ଏପରିକି ତା’ ପାଖରେ ଶୋଇବା ପାଇଁ ମଶିଣା ଖଣ୍ଡେ ମଧ୍ୟ ନଥିଲା । ହଁ କେବଳ ଏତିକି ତା’ ପାଖରେ ଥିଲା, ଯାହାକି ଏଇ ପରିବାର ପାଖରେ ନଥିଲା । ତାହା ହେଉଛି ସାମାଜିକ ଓ ସଂସ୍କୃତି ନାଁରେ ଭଣ୍ଡିବାର ସୂତ୍ର ଓ ବିରାଟ ବିରାଟ ଭାଷଣ ଦେବାର ଓ ଜାନୁ ନତ କରି ଅଭିନୟ କରିବାର କଳା । ଯାହା ଜରିଆରେ ସେ ଧୀରେ ଧୀରେ ସାମାଜିକ ସ୍ୱୀକୃତି ପାଇବା ସହିତ ନିଜର ଅଭିନୟ ବଳରେ ଉପରକୁ ଉପରକୁ ଉଠିବାରେ ଲାଗିଲା । ଏମିତି ହେଲା ଯେ ଉକ୍ତ ପରିବାର ସଦସ୍ୟ କାହିଁକି ପରିବାରର ଅନେକ ପରିଚିତ ବ୍ୟକ୍ତି ମଧ୍ୟ ବାବା ଉପରେ ଆଖି ବନ୍ଦ କରି ବିଶ୍ୱାସ କରିବା ଆରମ୍ଭ କରିଦେଲେ ଏବଂ ଏମିତି ମଧ୍ୟ ହେବାକୁ ଲାଗିଲା ଯେ ବାବାଙ୍କ କହିବା ଓ କାର୍ଯ୍ୟକରିବା ଶୈଳୀ ଉପରେ ଯିଏ ବା ପ୍ରଶ୍ନ ଉଠାଇବା ଆରମ୍ଭ କଲା, ସେ ଧୀରେ ଧୀରେ ସମାଜରୁ ବହିଷ୍କୃତ ହୋଇଗଲା ଆପେ ଆପେ । ଏପରି ଭାବରେ ବାବା ଜଣକ ଭିକାରୀରୁ ସନ୍ଥ ପଦବୀରେ ନିଜକୁ ଅଳଙ୍କୃତ ମଧ୍ୟ କରିଦେଲେ । ଆଉ କିଛି ଦିନ ପରେ ତାଙ୍କ ଭକ୍ତଗଣ ତାଙ୍କୁ ଭଗବାନଙ୍କ ଏକାଦଶ ଅବତାର ବୋଲି ପ୍ରଚାର କରିବା ଆରମ୍ଭ କରିଦେଲେ ।

କଥା କ’ଣ ନା ଆମ ସମାଜରେ ଯେହେତୁ ଆମେ କେବଳ ସାର୍ଟିଫିକେଟ ଶିକ୍ଷା ମଧ୍ୟରେ ସୀମିତ ହେଇ ରହିଯାଇଛୁ ଓ ଘୋଷି ଘୋଷି ବେଶି ମାର୍କ କିପରି ଜାଲିଆତି କରି ଆଣିବା ତା’ରି ଉପରେ ବେଶି ନିର୍ଭର କରୁଁ ତେଣୁ ଆମର ସାମାଜିକ, ସାଂସ୍କୃତିକ ଅସଲି ତଥ୍ୟକୁ ଜାଣିବା ବା ବିଚାର କରିବାର ଶକ୍ତି ହିଁ ଆଉ ନାହିଁ । ଏଥିପାଇଁ ସାମାଜିକ ଓ ସଂସ୍କୃତି ନାଁ’ରେ ଯିଏ ଯାହା କହିଲା ତାକୁ ଅନ୍ଧ ଭାବରେ ବିଶ୍ୱାସ କରି ଆମେ ଏମିତି ଭଣ୍ଡ ଅଭିନୟକୁ ସତ୍ୟ ମଣିବସିବା ସହ ଏମିତି ଚକ୍ରବ୍ୟୁହର ତିନିକୋଣିଆ ସଂରଚନା ମଧ୍ୟରେ ଫଶିଯାଉ, ଯେଉଁଥିରେ ଉପରେ ଥିବା ଦୁଇଟି କୋଣରେ ବସିଥିବା ଏମିତି ଭଣ୍ଡ ଅଭିନେତା ଓ ତା’ ପଛରେ ପୁଞ୍ଜି ନିବେଶ କରୁଥିବା ପୁଞ୍ଜିପତି ତଳ କୋଣରେ ପଡ଼ି ରହିଥିବା ସାଧାରଣ ଜନତା ପାଇଁ ନିୟମ ପ୍ରଣୟନ କରେ ଓ ସେମାନଙ୍କ ଭାଗ୍ୟ ନିର୍ଣ୍ଣୟ କରେ । ଠିକ୍ ଏହି ସମୟରେ ଏମିତି ଭଣ୍ଡ ଅଭିନେତାମାନେ ଏକାନ୍ତବାଦ, ନିଜସ୍ୱବାଦର ଦର୍ଶନ ଭିତରେ ସମସ୍ତଙ୍କୁ ସାମ୍ପ୍ରଦାୟିକ ବାଦର ନର୍କକୁଣ୍ଡର ଲାଲ୍ ରକ୍ତରେ ରଙ୍ଗିବା ଆରମ୍ଭ କରେ ।

ଏବେ ପୁଣି କାହାଣୀକୁ ଫେରିଯିବା । ଉକ୍ତ ପରିବାରଟି ସେଇ ବାବାକୁ ତା’ର ଅଭିନୟ ଚାତୁରୀରେ ଭୋଳ ହୋଇ ତାର ସାମାଜିକ ଓ ସଂସ୍କୃତିର ସ୍ୱାକ୍ଷରକୁ ସ୍ୱୀକୃତି ଦେବା, ଘରେ ଓ ହୃଦୟରେ ସ୍ଥାନ ଦେବା ସହ ତା’ର ନିଷ୍ଠା ଓ ପରାକାଷ୍ଠାର ପ୍ରଶଂସାରେ ଶତମୁଖ ହେଇଗଲେ । ଏମିତି କିଛି ବର୍ଷ ବିତିଗଲା । ଚାରି ଭାଇଙ୍କ ମଧ୍ୟରେ ପୈତୃକ ସମ୍ପତ୍ତିର ଭାଗ ହେଲା, ଯାହାକି ଏକ ସାମାନ୍ୟ ପକ୍ରିୟା । ଚାରି ଭାଇ ଆପଣା ଆପଣା ସଂସାର ଭିତରେ ଜୀବନ ଅତିବାହିତ କରୁଥିଲେ ।

ଦିନେ ହଠାତ୍ ଚାରି ଭାଇ ମଧ୍ୟରୁ ଜଣେ, ଯାହାର କି ପିଲାପିଲି ନଥିଲେ… ସେ ତା’ ନିଜର ସମ୍ପତ୍ତି ଉକ୍ତ ବାବାଙ୍କ ନାଁରେ କରିଦେଲେ । ଏବେ କ’ଣ ହେଲା ନା ବାବାଙ୍କ ପାଖରେ ସାମାଜିକ, ସାଂସ୍କୃତିକ ସହିତ ଆର୍ଥିକ ପୁଞ୍ଜି ମଧ୍ୟ ଆସିଗଲା । ସମୟ କ୍ରମେ ଏଥିରେ ବୃଦ୍ଧି ହେବାରେ ଲାଗିଲା ଓ ଯେଉଁ ଭାଇ ଜଣକ ବାବାଙ୍କ ନାଁରେ ତାଙ୍କ ସମ୍ପତ୍ତି ଦାନ କରିଥିଲେ ସେ ମଧ୍ୟ ଇହଧାମରୁ ବିଦାୟ ନେଲେ । ସେ ଚାଲିଗଲା ପରେ ହିଁ ଅସଲ ଖେଳ ଆରମ୍ଭ ହେଲା । ଏଥି ଭିତରେ ବାବା ଜଣକ ନିଜର ଗୋଟିଏ ବଡ଼ ଗୋଷ୍ଠୀ ମଧ୍ୟ ତିଆରି କରି ସାରିଥିଲେ ଯେଉଁଥିରେ ଅନ୍ଧଭକ୍ତଙ୍କ ସଂଖ୍ୟା ବହୁତ ବେଶୀ ଲମ୍ୱା ହେଇଯାଇଥିଲା । ଯେଉଁମାନଙ୍କ ମଧ୍ୟରେ ତଥାକଥିତ କିଛି ନିଜସ୍ୱବାଦୀ ନିଜେ ନିଜେ ସ୍ୱୟଂ ବାବାଙ୍କ ଲାଠିଧାରୀ ସୈନିକ ହେଇ ସାରିଥିଲେ । ଏବେ ଗାଁ’ର କିଛି ବ୍ୟବସାୟୀ ମଧ୍ୟ ବାବାଙ୍କ ନିକଟକୁ ଧାଇଁବା ଆରମ୍ଭ କରିଦେଲେ । ଏହା ନିରାଟ ସତ୍ୟ ଯେ ଯେଉଁଠି ସାମାଜିକ, ସଂସ୍କୃତି ଆଉ ବାହୁବଳ ଏକାଠି ହୁଏ ସେଠି ପୁଞ୍ଜି ଆପେ ଆପେ ଆକର୍ଷିତ ହୋଇ ଚାଲି ଆସେ ।

ଏବେ ବାବା ସେଇ ଚାରି ଭାଇଙ୍କ ସମ୍ପତ୍ତି ଉପରେ ନିଜର ହକ୍ ଦାବୀ କରି ଅଦାଲତରେ ମାମଲା ଦାୟର କରିଦେଲେ । ମୋକଦ୍ଦମା ଚାଲିଲା । ଯେଉଁ ଦେଶରେ ନ୍ୟାୟାଧୀଶଙ୍କ ଦୁଇ ମିଟର ଦୂରରେ ବସିଥିବା ପେସ୍କାର ସମସ୍ତ ଓକିଲ ଓ ମହକିଲଙ୍କ ଠାରୁ ₹୨୦୦ – ₹୫୦୦/- ନିଏ ଓ ନ୍ୟାୟପାଳିକା କ୍ଲୀବ ଭାବରେ ସବୁ ଜାଣି ମଧ୍ୟ ନୀରବ ରହେ ସେଠାରେ ଏ ପ୍ରକାର ମାମଲା ବା କ’ଣ ହେବ !! କିନ୍ତୁ ଚାରି ଭାଇଙ୍କ ପିଲାପିଲି ହାର ମାନିବାକୁ ପ୍ରସ୍ତୁତ ନଥିଲେ । ସେମାନେ ବି ଲଢ଼େଇ ଜାରି ରଖିଲେ ଓ ଜିତିଲେ ମଧ୍ୟ । କିନ୍ତୁ ବାବାଙ୍କ ଚାଣକ୍ୟ ବୁଦ୍ଧିଆ ଗୁମାସ୍ତା କ’ଣ କଲେନା ସମ୍ପୂର୍ଣ୍ଣ ପରିବାରକୁ ସାମାଜିକ ବହିସ୍କାର କରାଇଦେଲେ । ବାଧ୍ୟ ହୋଇ ସେମାନଙ୍କୁ ନିଜ ଘର ଛାଡ଼ିବାକୁ ପଡ଼ିଲା । ସେମାନେ ଯେଉଁଠି ବି ରହିଲେ, ସେଠି ବାବାଙ୍କ ଲାଠିଧାରୀ ସୈନିକମାନେ ପାଣି ଟାଙ୍କି ଭାଙ୍ଗି ଦିଅନ୍ତି ତ କେବେ ପାଣି ପାଇପ୍ ଓପାଡ଼ି ନେଇ ଯାଆନ୍ତି । କେବେ ଲାଇନ୍ କାଟି ଦିଅନ୍ତି ତ କେବେ ପୋଲିସ୍ ଲଗାଇ ହଇରାଣ କରନ୍ତି ।

ଏବେ ବାବାଙ୍କ ଇଚ୍ଛା ଅନୁସାରେ ଏଇ କାହାଣୀର ଅନ୍ତ କେବଳ ଏତିକି ହେବ – ସେମାନେ ସମସ୍ତେ ନିଜ ନିଜର ସମ୍ପତ୍ତି ଓ ସମ୍ମାନକୁ ବାବାଙ୍କ ନାଁରେ କରିଦେଇ ଏକ ବଡ଼ଲୋକର ପୋଷା କୁକୁର ଜୀବନ ଜୀଇଁବେ କିମ୍ୱା ପରିବାରର ଲୋକଙ୍କ ହିସାବରେ – ତମକୁ ଆମ ଘର ଲୋକ ଯେତେ ଦେଇଥିଲେ ତମେ ସେତକ ନେଇଯାଅ କିନ୍ତୁ ଆମ ପୈତୃକ ସମ୍ପତ୍ତି (ଯେଉଁଟା ଆମ ନିଜର) ଯାହା ଆମେ ମୋକଦ୍ଦମାରେ ମଧ୍ୟ ପାଇ ସାରିଛୁ ସେଥିରେ ଆମକୁ ଶାନ୍ତିରେ ରହିବାକୁ ଦିଅ । ଏହି ଦୁଇଟି କଥା ମଧ୍ୟରୁ କେଉଁଟା ଠିକ୍ ତାହା ପାଠକେ ବିଚାର କରିବେ । ଏମିତି ଭଣ୍ଡ ସାମାଜିକ, ସାଂସ୍କୃତିକ ଅଭିନୟର ବହିଷ୍କାର ବା ତିରସ୍କାର ହେବ ତାହା ମଧ୍ୟ ପାଠକୀୟ ସ୍ୱମତ ।

କିନ୍ତୁ ଅଦ୍ୟାବଧି ସେ କାହାଣୀ ଜାରି ରହିଛି ଓ ସେ ପରିବାର ସଂଘର୍ଷ ମଧ୍ୟରେ ତଳିତଳାନ୍ତ ହେଇଯାଉଥିବା ସମୟରେ ଅଭିନେତା ବାବା ଜଣଙ୍କ ଅନ୍ୟର ହାତ ଚୁମି କୋଳାକୋଳୀ ହେଇ ପଇସା କମେଇବା ସହ ତା’ ଚେହେରାର ଚମକ ଦିନକୁ ଦିନ ବଢ଼ିବାରେ ଲାଗିଛି ।

– ଦୀନବନ୍ଧୁ ମିଶ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...