ଭୁଲି ଯିବି ବୋଲି ଯେବେ ମୁଁ ଭାବେ
ଏତେ ବିଚଳିତ ତମେ କର କାହିଁ ପାଇଁ
ବାସ୍ତବ ଦୁନିଆରେ ରହିଛ ଅନେକ ଦୂରେ
ସପନରେ ବିଚଳିତ କର ଆପଣାଇ ।
ଲୋଡ଼ା ନାହିଁ ମୋତେ ପ୍ରେମର ପ୍ରଭାବ
ଏ ଦେହ ଆଉ ସହି ନପାରୁଛି
ଆଉ ନାହିଁ ସାମର୍ଥ୍ୟ ସେ ପଥେ ଚାଲିବାରେ
ମୁଁ ଅନ୍ୟ କାହା ସାହାରାରେ ଚାଲୁଛି ।
ନିଶ୍ୱାସ ଅଛି ସତ ହେଲେ ଏ ଦେହେ ପ୍ରାଣ ନାହିଁ
ବରଷା ହୋଇ ଯେତେ ବରଷିଲେ କି ହେବ
ଘର ଅଗଣା ମୁଖେ ଥିବା ଥୁଣ୍ଟା ବୃକ୍ଷଟେ ମୁଁ
ମୋ ଉପରେ ବରଷି ଆଉ କିଛି ଲାଭ ନାହିଁ ।
ସୂତ୍ରରେ ବାନ୍ଧି ହେଇନାହିଁ ମୁଁ
ସାଂସାରିକ ମାୟା ଜାଲେ ବାନ୍ଦୀ ହେଇଛି
ଚାରି ଦିଗ ବେଳେ ବେଳେ ଶୂନ୍ୟ ଲାଗେ
ସତେ କି ସୂର୍ଯ୍ୟ ରାହୁର ଶିକାର ହେଉଛି ।
ଆଉ ନାହିଁ ସେହି ବେଳ ମୋ’ ଠାରେ
କାହା ସ୍ପର୍ଶରେ ଆଲୋକିତ ହେବାପାଇଁ
ଜଳନ୍ତା ନିଆଁରେ ପୋଡ଼ୁଥିବା ମାଠିଆ ମୁଁ
ମୋତେ ସ୍ପର୍ଶର ଦାଗରେ କଳଙ୍କିତ କରନାହିଁ ।
ଜଡ଼ିତ ନକର ଆଉ ଅଲଗା ଲେଖା
ଏ କାହାଣୀ ସମାପ୍ତ ହେଇ ସାରିଛି
ବଳକା କାଗଜ ଏ ଅଧିକାରରୁ ମୁକ୍ତ
ଏହା ଅଲଗା ନାମେ ବର୍ଣ୍ଣନା ହେଉଛି ।
ଆପଣାଅ ମୋ’ ଠାରୁ ଦୂରେଇ ରହିବା ଇଚ୍ଛାକୁ
ପାଇବାର ଆଶାକୁ ନିଜଠୁ ଦୂରେଇ
ମୋ ସାଥେ ଚାଲିବା ନିଦ୍ରାରୁ ଉଠ
ସପନରେ ରହି ନିଜ ପଥ ଅନ୍ଧାର କରୁଛ କାହିଁ ।
ଚାଲିଯାଅ ତୁମେ ଅପେକ୍ଷା ନକର
ଏ ସଂସାରରେ ପଡ଼ିଛି ଅନେକ ପଥ
ନୂତନ ରୂପେ ଜୀବନ ଆରମ୍ଭ କର
କଣ୍ଟା ହେଇ କେବେ ଫେରିବ ନାହିଁ ଏ ଅତୀତ ।
ଅନନ୍ତ ସୁଖର କାମନା ତୁମ ପାଇଁ
ରହିଥିବ ସଦା ସର୍ବଦା ଏ ଦୁଃଖି ମଣିଷର
ତୁମ ପାଇଁ ଅଛି ନା ହେବ ମୋ’ଠାରେ
ଏହାଠୁ ଆଉ ବଡ଼ ଉପହାର
ମୋତେ ଭୁଲିବାର କୃପା କର
ମୋତେ ଭୁଲିବାର କୃପା କର l
– ରାଜେନ୍ଦ୍ର ସଗରିଆ
Comments
ରାଜେନ୍ଦ୍ର ସଗରିଆ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।