ଆତ୍ମିୟତାର ବାସ୍ନା

Odia Poem Atmiyatara Basna (ଆତ୍ମିୟତାର ବାସ୍ନା) by Rajesh Rath

ଯାହା କିଛି କ୍ଷଣ ଅଟକାଇ ଦିଏ
ମୋ ଭିତରେ ଦୌଡ଼ୁଥିବା
ଏକ ଦିଗହରା ବୟସକୁ
ଧରେଇ ଦିଏ ହାତରେ ଏକ ତୂଳୀ
ଆଙ୍କିବାକୁ କୁହେ ଏକ
ଚିର ଇପ୍ସିତ ଅଫେରା ଋତୁକୁ…

ଦେଖୁ ଦେଖୁ ମୁଁ ଅଙ୍କେ
ଆଙ୍କେ ତୁମକୁ, ତୁମ ଉପସ୍ଥିତିର
ପ୍ରିତୀ ପ୍ରାଣସ୍ପର୍ଶୀ ମୁହୂର୍ତ୍ତକୁ,
ଆଉକିଛି ଦିଗନ୍ତ ବିସ୍ତାରି
ତରୁଣ ସ୍ମୃତି ତାଜା ହୁଏ,
ଫୁଟି ଉଠେ ମଗୁଶୁରିଆ କୁହୁଡ଼ିରେ
ଭିଜା ଭିଜା କାନ କୁହା କଥା,
ହାତ ଧରି ଭିଡ଼ି ନିଏ
କେଉଁ ଅଜଣା ଆତ୍ମୀୟ ପାରିଧିକୁ…

ଓଠ ହସେ, ମନ ନକହି କୁହେ
ଆଉ ତୁମେ ନଶୁଣି ଶୁଣ
ମୋ ନାଆଁରେ ଉଡୁଥିବା ଯେତେ
ସବୁ ଲୁଚା ଛପା ଗୁମରକୁ,
ଏମିତି ହିଁ ଥାଏ ସବୁ ଆତ୍ମୀୟୟତା
ଲେଖି ଦିଏ ଆମ ଭିତରେ ଆମକୁ
ବିନା ସନ୍ଦେହରେ ସଜାଡ଼ି ଦିଏ
ଯେତେ ସବୁ ଅସଜଡା ଅଭିମାନକୁ ।

– ରାଜେଶ ରଥ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...