ଖୋଜୁଛି ନିଜକୁ ନିଜ ପରିଚୟେ ସଗର୍ବେ ଉଠାଇ ମାଥ
ଆଞ୍ଜୁଳେ ଆୟୁଷ ସରି ଆସିଲାଣି ଅସରା ଜୀବନ ପଥ
ଭାଙ୍ଗୁଛି… ଗଢ଼ୁଛି ଅୟୁତ ଆୟୁଧ, ପ୍ରଗତି ନିଶୁଣୀ ଚଢ଼ି
ହାରିବା ଜିତିବା ଖରା ଛାଇ ଖେଳ, ଚେତନାର ନଈବଢ଼ି।
ପିଠିରେ ଖଜଣା ମନ୍ଦିରେ ମାଜଣା ଜିଇଁବାର ବୁଝାମଣା
ଅସ୍ମିତା ବକିଛି ଐଶ୍ୱର୍ଯ୍ୟ କିଣିଛି ଔଜ୍ଜ୍ୱଲ୍ୟରେ ବାଟବଣା
କିଛି ସ୍ମୃତି ମୋର ମହୁଠୁ ମଧୁର, କିଛି ଦହଗଞ୍ଜ ଅବଶୋଷ
ହେତୁ ହେଲା ଦିନୁ ପାରିଧି କରୁଛି, କାମନାର ପରିତୋଷ ।
ପ୍ରାପ୍ତି ପ୍ରାବଲ୍ୟତା ସ୍ୱାର୍ଥ ଆବିଳତା, ଜୀଇଁବାର ମୂଳମନ୍ତ୍ର
ଯୋଗମୁଦ୍ରାରେ ବି ଭୋଗ ଭିକ୍ଷା କରେ, ଗର୍ଭଗୃହେ ମହାମନ୍ତ୍ର
ଭାଗବତ ଭୁଲି ସଂସାରେ ବାପୁଡ଼ା, ସାରୁଛି ନିଧି ସର୍ବସ୍ୱ
ଭାଳେନାହିଁ କ୍ଷଣେ ଛୁଟିଲେ ପରାଣ, ଜୁଇରେ ମୁଁ ନଗ୍ନ ନିଃସ୍ୱ ।
ସୁଖର ସନ୍ଧାନେ ଜଡ଼ଠୁ ଜୀବନ୍ତ, କରୁଛି କି ବିଶ୍ଳେଷଣ
ଲକ୍ଷ୍ୟସ୍ଥଳ ଛାଡ଼ି ଇତର ବସ୍ତୁରେ, ନିରନ୍ତର ଅନ୍ୱେଷଣ ।
– ମାନସ ରଞ୍ଜନ ନାୟକ
Comments
ମାନସ ରଞ୍ଜନ ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ, ପ୍ରବନ୍ଧ ଆଦି ରଚନା କରିଥାନ୍ତି । ତାଙ୍କ ରଚନାଗୁଡ଼ିକ କିଛି ପତ୍ରପତ୍ରିକରେ ସ୍ଥାନ ପାଇଛି ।

