ଆତ୍ମ ଅନ୍ୱେଷଣ

Odia Poem Atma Anweshana (ଆତ୍ମ ଅନ୍ୱେଷଣ) by Manas Ranjan Nayak

ଖୋଜୁଛି ନିଜକୁ ନିଜ ପରିଚୟେ ସଗର୍ବେ ଉଠାଇ ମାଥ
ଆଞ୍ଜୁଳେ ଆୟୁଷ ସରି ଆସିଲାଣି ଅସରା ଜୀବନ ପଥ
ଭାଙ୍ଗୁଛି… ଗଢ଼ୁଛି ଅୟୁତ ଆୟୁଧ, ପ୍ରଗତି ନିଶୁଣୀ ଚଢ଼ି
ହାରିବା ଜିତିବା ଖରା ଛାଇ ଖେଳ, ଚେତନାର ନଈବଢ଼ି।

ପିଠିରେ ଖଜଣା ମନ୍ଦିରେ ମାଜଣା ଜିଇଁବାର ବୁଝାମଣା
ଅସ୍ମିତା ବକିଛି ଐଶ୍ୱର୍ଯ୍ୟ କିଣିଛି ଔଜ୍ଜ୍ୱଲ୍ୟରେ ବାଟବଣା
କିଛି ସ୍ମୃତି ମୋର ମହୁଠୁ ମଧୁର, କିଛି ଦହଗଞ୍ଜ ଅବଶୋଷ
ହେତୁ ହେଲା ଦିନୁ ପାରିଧି କରୁଛି, କାମନାର ପରିତୋଷ ।

ପ୍ରାପ୍ତି ପ୍ରାବଲ୍ୟତା ସ୍ୱାର୍ଥ ଆବିଳତା, ଜୀଇଁବାର ମୂଳମନ୍ତ୍ର
ଯୋଗମୁଦ୍ରାରେ ବି ଭୋଗ ଭିକ୍ଷା କରେ, ଗର୍ଭଗୃହେ ମହାମନ୍ତ୍ର
ଭାଗବତ ଭୁଲି ସଂସାରେ ବାପୁଡ଼ା, ସାରୁଛି ନିଧି ସର୍ବସ୍ୱ
ଭାଳେନାହିଁ କ୍ଷଣେ ଛୁଟିଲେ ପରାଣ, ଜୁଇରେ ମୁଁ ନଗ୍ନ ନିଃସ୍ୱ ।

ସୁଖର ସନ୍ଧାନେ ଜଡ଼ଠୁ ଜୀବନ୍ତ, କରୁଛି କି ବିଶ୍ଳେଷଣ
ଲକ୍ଷ୍ୟସ୍ଥଳ ଛାଡ଼ି ଇତର ବସ୍ତୁରେ, ନିରନ୍ତର ଅନ୍ୱେଷଣ ।

– ମାନସ ରଞ୍ଜନ ନାୟକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...