ପ୍ରେମ କାହା ପାଇଁ ଚିରନ୍ତନ ସତ୍ୟ ତ ଆଉ କାହା ପାଇଁ ଆଜୀବନ ଦଣ୍ଡ । ପ୍ରେମ ପବିତ୍ର, ଶାଶ୍ଵତ, ସମର୍ପଣ । କହିବାକୁ ଗଲେ ଦୁଇ ମନ ଭିତରେ ଥିବା ପ୍ରଗାଢ଼ ବିଶ୍ୱାସ ହିଁ ଗୋଟେ ସମ୍ପର୍କକୁ ଆଗକୁ ନିଏ । ଆଜିକାଲି ଯୁବପିଢ଼ିଙ୍କ ପ୍ରେମ ସମ୍ପର୍କ ନିମିଷକ ପାଇଁ ଆକର୍ଷଣ ମାତ୍ର । କିନ୍ତୁ କିଛି ଜଣଙ୍କ ପାଇଁ ପ୍ରେମ ହେଉଛି ଅଶ୍ରୁର ଚିତ୍କାର ।
ରିଙ୍କି, ସୁନ୍ଦର ଯେମିତି ଆଚାର ବିଚାର ବ୍ୟବହାରରେ ମଧ୍ୟ ସେମିତି ନିଖୁଣ । ପାଠରେ ସବୁବେଳେ ଏକ ନମ୍ୱର୍ । ଭବିଷ୍ୟତରେ ଇଚ୍ଛା ଥିଲା ପ୍ରଶାସନିକ କ୍ଷେତ୍ରରେ ଚାକିରିଟିଏ କରିବ ଆଉ କଠିନ ପରିଶ୍ରମ ମଧ୍ୟ କରେ । ବାପାମାଙ୍କର ଏକମାତ୍ର ଅଲିଅଳି ଝିଅଟିଏ ରିଙ୍କି, ଖୁସିବାସି ପିଲାଟିଏ ମଧ୍ୟ । ସେ ଦିନ ଥିଲା ଜାଗର ରାତି । ପ୍ରତିବର୍ଷ ପରି ସେ ଦିନ ମଧ୍ୟ ରିଙ୍କି ନିଜ ପରିବାର ସହ ଜାଗର ଯାତ୍ରା ବୁଲିବାକୁ ଯାଇଥାଏ । ଜନ ସମାଗମ ମଧ୍ୟ ବହୁତ ଥାଏ । ରଙ୍ଗ ବେରଙ୍ଗର ଲାଇଟ୍ରେ ଝଲସୁଥାଏ ସମ୍ପୂର୍ଣ୍ଣ ପରିବେଶ । ନୂଆ ନୂଆ କିସମର ଭଳିକି ଭଳି ଜିନିଷ ମଧ୍ୟ ଆସିଥାଏ ।
କିନ୍ତୁ ଏ ସବୁରୁ ନଜର ହଟି ପ୍ରାୟ ଶହେ ମିଟର ଦୂରରୁ ରିଙ୍କିର ନଜର ପଡ଼ିଲା ସେ ସୁସଜ୍ଜିତ ଷ୍ଟେଜ ଉପରକୁ । ଷ୍ଟେଜ ଉପରେ ଥିଲେ ଜଣେ ସୁନାମଧନ୍ୟ ଗାୟକ ସ୍ୱରାଜ । ସେ ଜଣେ ଷ୍ଟେଜ ପଫର୍ମର୍ । ଦେଖିବାକୁ ଉଚ୍ଚତା ବିଶିଷ୍ଟ ଆଉ କୋଉ ହ୍ରିତିକ୍ ରୋସନ୍ ଠୁ କମ୍ ବି ନୁହେଁ । ସ୍ୱରାଜ ଜଣେ ଭଲ ସମାଜସେବୀ ମଧ୍ୟ । ଦୁଃଖି ଦରିଦ୍ରଙ୍କ ସାଥୀଟିଏ କହିଲେ ଚଳେ । ତାଙ୍କୁ ସମସ୍ତେ ଜାଣନ୍ତି କିନ୍ତୁ ରିଙ୍କି ନା ଆଗରୁ ସ୍ୱରାଜ ବିଷୟରେ ଜାଣିଥିଲା ନା ଦେଖିଥିଲା । ତାଙ୍କ କଣ୍ଠ ବହୁତ୍ ସୁମଧୁର, ସେତେବେଳେ ଷ୍ଟେଜ ଉପରେ ସେ ଗାଉଥାନ୍ତି ତେରେ ମସ୍ତ୍ ମସ୍ତ୍ ଦୋ ନେନ୍, ମେରେ ଦିଲ୍ କା ଲେ ଗୟେ ଚେନ୍ । ରିଙ୍କି ଏସବୁ ଶୁଣି ଷ୍ଟେଜ ପାଖକୁ ଚାଲିଆସିଲା କାହିଁକି ନା ଦୂରରୁ ଠିକ୍ରେ ଶୁଭୁ ନଥାଏ ।
ରିଙ୍କିକୁ ସ୍ୱରାଜ ଆଉ ତାଙ୍କ ଗୀତ ବହୁତ ପସନ୍ଦ ଆସିଲା, ସ୍ୱରାଜର ଗୋଟେ ଝଲକ ରିଙ୍କିକୁ ଅସ୍ତବ୍ୟସ୍ତ କରିପକେଇଥିଲା । ସବୁ କିଣାକିଣି ସାରି ଘରକୁ ଫେରିଲା ବେଳକୁ ରାତି ପ୍ରାୟ ଦଶଟା ବାଜି ଯାଇଥାଏ । ଶୋଇଲା ବେଳେ ରିଙ୍କି ମସ୍ତିଷ୍କରେ ଖାଲି ସ୍ୱରାଜର ସେ ଗୀତ ଆଉ ଚେହେରା । ଯେତେ ଚାହିଁଲେ ବି ଭୁଲି ପାରୁନଥିଲା ତାକୁ, ଲାଗୁଥିଲା ଗୀତଟି ଯେମିତି ସ୍ୱରାଜ ତା’ ପାଇଁ ହିଁ ଗାଉଛି । ଧୀରେ ଧୀରେ ରିଙ୍କି ସ୍ୱରାଜକୁ ଭଲ ପାଇ ବସିଲା କିନ୍ତୁ ଏ ପର୍ଯ୍ୟନ୍ତ ସେ ତା’ ବିଷୟରେ କିଛି ବି ଜାଣି ନଥାଏ । ସେ ରାତିର ଗୋଟେ ଦେଖା ହିଁ ରିଙ୍କିର ସବୁ ରାତିର ନିଦ ହଜେଇଥିଲା ।
ଦିନେ ହଠାତ୍ ରାତିରେ ରିଙ୍କି ମନରେ ପୁଣି ସେ ଗୀତ ଆଉ ସେ ଚେହରା; କିଛି ନ ଭାବି ଫେସବୁକ୍ ଖୋଲିଲା, ଭାବିଲା ସ୍ୱରାଜର ଠିକଣା ନିଶ୍ଚୟ ଏଥିରେ ମିଳିବ । ବହୁତ ଖୋଜା ଖୋଜି ପରେ ମିଳିଲା ମଧ୍ୟ ଆଉ ଖୁସି ହେଇ ଫ୍ରେଣ୍ଡ୍ ରିକୁଏଷ୍ଟ ପଠେଇଲା, କିଛି ଦିନ ପରେ ସ୍ୱରାଜ ରିଙ୍କିର ବନ୍ଧୁତ୍ୱ ଅନୁମୋଦନକୁ ଗ୍ରହଣ କରିଥିଲା । ସେ ଦିନ ରିଙ୍କି ପାଇଁ ବହୁତ୍ ଖୁସିର ଦିନ ଥିଲା । ଦୁହେଁ ମେସେଜରେ କଥା ହେଲେ । ଧୀରେ ଧୀରେ ବନ୍ଧୁତାରୁ ପ୍ରେମ ସମ୍ପର୍କ ଗଢ଼ି ଉଠିଲା ।
ଦୁହେଁ ଦୁହିଁଙ୍କୁ ଖୁବ୍ ଭଲପାଇ ବସିଲେ ଆଉ ସବୁ କଥା ସେୟାର ମଧ୍ୟ କରନ୍ତି । ରିଙ୍କି କିନ୍ତୁ ସ୍ୱରାଜକୁ ନିଜଠୁ ବି ବେଶୀ ଭଲ ପାଉଥିଲା । ଦିନରାତି ସ୍ୱରାଜ ହିଁ ଥିଲା ତା’ ମନର ରାଜା । ଫୋନରେ ମଧ୍ୟ ଦୁହେଁ କଥା ହେଲେ । ଦୁହେଁ ସ୍ଥିର କଲେ ବିବାହ କରିବେ ଆଉ ସାରା ଜୀବନ ଦୁହେଁ ଦୁହିଁଙ୍କ ସାଥୀ ହେଇ ରହିବେ । ସମୟ ପରେ ସମୟ ଅତିକ୍ରାନ୍ତ କରି ଚାଲିଲା । ଏ ଭିତରେ ଦୁହିଁଙ୍କ ସମ୍ପର୍କକୁ ପାଖାପାଖି ନ ମାସ ବିତିଯାଇଥାଏ ।
ରିଙ୍କି ଅପେକ୍ଷା କରିଥିଲା ଆର ବର୍ଷ ଜାଗର ରାତିକୁ, ପୁଣି ସେ ଦେଖିବ ତା’ ମନର ରାଜାକୁ । ବହୁତ୍ ଉତ୍କଣ୍ଠାର ସହ ଅପେକ୍ଷା କରିଥାଏ ସେ । କିନ୍ତୁ ସେ ସୁଖ ବୋଧେ ରିଙ୍କି ଭାଗ୍ୟରେ ନଥିଲା । କ୍ଷଣିକ ମଧ୍ୟରେ ବହୁତ କିଛି ପରିବର୍ତ୍ତନ ଘଟିଲା । ସ୍ୱରାଜ ରିଙ୍କିକୁ ଆଉ ସମୟ ସେତେ ଦେଇପାରିଲା ନାହିଁ । କାହିଁକି ନା ତାକୁ ବହୁତଆଡ଼ୁ କଲ୍ ଆସୁଥାଏ ଷ୍ଟେଜ ପର୍ଫର୍ମାନ୍ସ୍ ପାଇଁ । ରିଙ୍କି ଏଥିପାଇଁ ବହୁତ ମନ ଦୁଃଖରେ ରହୁଥାଏ, ଦିନରାତି ସ୍ଵରାଜର ଫୋଟୋକୁ ଦେଖି ଝୁରିଥିଲା । କିନ୍ତୁ ସ୍ୱରାଜ ପାଇଁ ତା’ କାମ ଥିଲା ଆଗ ।
ଧୀରେ ଧୀରେ ଦୁହିଁଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେବାକୁ ଲାଗିଲା । ଟିକେ ଟିକେ କଥାରେ ଝଗଡ଼ା ମଧ୍ୟ ଲାଗନ୍ତି । ରିଙ୍କି ଏ ସବୁ ସମ୍ଭାଳି ପାରୁନଥାଏ । ରିଙ୍କି ଜୀବନରେ କଳା ବାଦଲ ମାଡ଼ି ଆସିଲା ଭଳି ସ୍ୱରାଜ ତାକୁ ସବୁଦିନ ପାଇଁ ଛାଡ଼ି ଚାଲିଗଲା ଓ ଶେଷରେ ଫୋନରେ ବାସ୍ ଏତିକି କହିଲା, “ମୁଁ ତୁମକୁ କେବେ ଭଲ ପାଇନଥିଲି ତୁମେ ମୋତେ ଭୁଲି ନିଜ କଥା ଦେଖ ।” ଏହି ଦୁଇ ପଦ କଥାରେ ରିଙ୍କି ପୁରା ସ୍ତବ୍ଧ, କ’ଣ କରିବ ଜାଣିପାରୁନଥାଏ । ଏତିକି କହି ସ୍ୱରାଜ ଫୋନ୍ କାଟି ଦେଲା, ଆଉ ରିଙ୍କି ପୁଣି ଫୋନ୍ କଲା ବୁଝାଇବାପାଇଁ କିନ୍ତୁ ଫୋନ୍ ଆଉ ଲାଗିଲା ନାହିଁ, ରିଙ୍କିର ମୁଣ୍ଡ କିଛି କାମ କରୁନଥାଏ, କ’ଣ ବା କରିପାରିବ, ହେଲେ ବହୁତ ଥର ଚେଷ୍ଟା କରୁଥିଲା, ଫୋନ୍ କାଳେ ଏଇଥର ଲାଗିଯିବ କି କିନ୍ତୁ ସ୍ୱରାଜ ରିଙ୍କିକୁ ସବୁଥିରୁ ବ୍ଲକ କରିଦେଇଥିଲା । ଆଉ କେବେବି ଫୋନ୍ ଲାଗିଲା ନାହିଁ । ସେଇଠି ପଡ଼ିଗଲା ଦୁହିଁଙ୍କ ସମ୍ପର୍କରେ ପୂର୍ଣ୍ଣଛେଦ ।
କହିବାକୁ ଗଲେ ସ୍ୱରାଜ ପାଇଁ ରିଙ୍କି ଥିଲା କିଛି ଦିନର ଆକର୍ଷଣ ମାତ୍ର, ପ୍ରେମ ଭଳି ପବିତ୍ର ସମ୍ପର୍କକୁ ପାଦରେ ଏଡ଼ାଇ ଦେଲା ସେ, ଏସବୁ ରିଙ୍କି ସହଜରେ ଗ୍ରହଣ କରିପାରୁନଥାଏ, ସ୍ୱରାଜ ସହ ଥିବା ସବୁ ସ୍ମୃତିକୁ ଭାବି କାନ୍ଦୁଥାଏ । ନା ଠିକ୍ରେ ଖାଇଲା, ନା ଶୋଇପାରୁଥିଲା, ସବୁ ଦିନ ଗୋଟେ ଜାଗାରେ ପଡ଼ିରହୁଥିଲା ରିଙ୍କି, କାହାକୁ କିଛି କୁହେନି ମଧ୍ୟ, ଖାଲି ଭାବୁଥାଏ ସ୍ୱରାଜର ସେଇ ମିଠାଭରା କଥା, ମନରେ ଅସଂଖ୍ୟ ପ୍ରଶ୍ନ କିନ୍ତୁ ଉତ୍ତର ଅପେକ୍ଷାରେ ଥିଲା । ଖାଲି ଭାବୁଥାଏ ବାସ୍ ଆଉ ନୁହେଁ ଏବେ ହିଁ ଜୀବନଟା ଚାଲି ଯାଆନ୍ତା କି !! ଯାହାକୁ ସେ ନିଜ ପ୍ରାଣ ଦେଇଥିଲା ସେ ତ ତାକୁ ପର କରିଦେଲା, ଛାତିରେ କୋହକୁ ଚାପି ନିଜ ଭାଗ୍ୟକୁ ଦୋଷ ଦେଉଥିଲା ।
ଆଉ ଏସବୁ ପ୍ରତିଦିନ ଭାବିଭାବି ରିଙ୍କି ନିଜ ମାନସିକ ଭାରସାମ୍ୟ ହରାଇ ବସିଲା । ରିଙ୍କିର ଏପରି ହାବଭାବ ଦେଖି ତାଙ୍କ ଘରେ କିଛି ଜାଣିପାରୁନଥିଲେ ସେମାନେ ଭାବିଲେ ତାଙ୍କ ଝିଅକୁ କେହି ଗୁଣି ଗାରେଡ଼ି କରିଦେଇଛି ସେଥିପାଇଁ ତା’ ବ୍ୟବହାରରେ ପରିବର୍ତ୍ତନ ଆସିଛି ଆଉ ଗୁଣିଆ ପାଖକୁ ନେଇଗଲେ ମଧ୍ୟ, କିନ୍ତୁ କିଛି ସୁଫଳ ମିଳିଲା ନାହିଁ । ହଠାତ୍ ଦିନେ ରିଙ୍କି ମୁଣ୍ଡକୁ କ’ଣ ଆସିଲା କେଜାଣି କିଛି ନ ଭାବି ଘରେ ରଖା ହେଇଥିବା ବିଷକୁ ଖାଇଦେଲା, ଆଉ ଏହାର କିଛି ସମୟ ପରେ ଖାଇବାକୁ ନେଇଆସିଲେ ରିଙ୍କିର ମାଆ । ଝିଅର ଏପରି ଅବସ୍ଥା ଦେଖି ସେ ବିଚଳିତ ହେଇଗଲେ, ହାତରେ ଥିବା ଖାଇବା ଥାଳିଟି ଖସି ଗଲା ।
ଯନ୍ତ୍ରଣାରେ ଛଟପଟ ହେଉଥାଏ ରିଙ୍କି, ପାଟିରୁ ଖାଲି ଫେଣ, ତାକୁ ସଙ୍ଗେ ସଙ୍ଗେ ନିକଟସ୍ଥ ଡାକ୍ତରଖାନାକୁ ନେଇଗଲେ, ସେ ଭିତରେ ରିଙ୍କିର ଅବସ୍ଥା ମଧ୍ୟ ଆହୁରି ସଙ୍କଟାପନ୍ନ, ଧୀର ସ୍ଵରରେ ପାଟିରୁ ବାହାରୁଥାଏ ସ୍ୱରାଜ, ମୋତେ ଛାଡ଼ିକି ଯାଅନି । ଆଉ ଏଇଟା ବୋଧେ ଥିଲା ରିଙ୍କି ପାଟିରୁ ବାହାରିଥିବା ଶେଷ ଶବ୍ଦ । ତା’ପରେ ସେ ଚେତା ହରାଇ ବସିଲା । ଡାକ୍ତର କହିଲେ ରିଙ୍କିକୁ ବଞ୍ଚେଇବା ମୁସ୍କିଲ । ଏସବୁ ଶୁଣି ଦୁଃଖରେ ଭାଙ୍ଗିପଡ଼ିଲେ ତା’ ପରିବାର । ଭଗବାନଙ୍କୁ ଡାକିବା ଛଡ଼ା ଉପାୟ କିଛି ନଥିଲା ।
ହେଲେ ଭଗବାନଙ୍କ ନିର୍ଦ୍ଦେଶ ବି ଥାଏ କିଛି ଅଲଗା । ସେ ଯାହା ହେଉ ପ୍ରାୟ ଏକମାସ ଚିକିତ୍ସିତ ହେବା ପରେ ରିଙ୍କି ସୁସ୍ଥ ତ ହେଲା କିନ୍ତୁ ତା’ ଜୀବନରେ ଯେପରି ପୁଣି ଗ୍ରହଣ ଲାଗିଯାଇଥିଲା । ବିଷର ଅତ୍ୟଧିକ ପ୍ରଭାବରେ ରିଙ୍କି ମୁକ ପାଲଟିଗଲା । ଡାକ୍ତର କହିଲେ ରିଙ୍କି ଆଉ କେବେ ବି କଥା କହିପାରିବ ନାହିଁ, ଏ କଥାଟି ଶୁଣି ରିଙ୍କି ଆହୁରି ଭାଙ୍ଗିପଡ଼ିଲା । ପୁଣି ମନେପଡ଼ୁଥାଏ ବିତିଯାଇଥିବା କଥା, ସ୍ୱରାଜର ସେ ଜାଗର ରାତିର ଗୀତ ରିଙ୍କି କାନରେ ଠୋ ଠୋ ହେଇ ବାଜୁଥାଏ । ଯେତେ ଚାହିଁଲେ ବି ଭୁଲି ପାରୁନଥିଲା ସ୍ୱରାଜକୁ । ଭଗବାନଙ୍କୁ ମନେମନେ ଡାକି କାନ୍ଦିକାନ୍ଦି ନିନ୍ଦୁଥାଏ । ସେ ଦେଖିଥିବା ସବୁ ଆଶା ସ୍ୱପ୍ନ ପାଣି ଫୋଟକା ଭଳି ମିଳେଇଗଲା । ସାରା ଜୀବନ ତା’ ଆଖିର ଲୁହ ତା’ ସାଥି ହେଇରହିଲା । ଓଠରେ ସିନା ନିରବତାର ଶିଙ୍କୁଳି କିନ୍ତୁ ଆଖିରୁ ତାର ସ୍ପଷ୍ଟ ବାରି ହେଇପଡ଼ୁଥାଏ ଅଶ୍ରୁର ଚିତ୍କାର ।
– ଆର୍ଷୀ ଉପାସନା କର
Comments
ଆର୍ଷୀ ଉପାସନା କର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କ୍ଷୁଦ୍ରଗଳ୍ପ ରଚନା କରନ୍ତି । ତାଙ୍କ ରଚିତ ଗପଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।