ଅସମ୍ପୂର୍ଣ୍ଣ

Odia Story Asampurna (ଅସମ୍ପୂର୍ଣ୍ଣ) b Sarmistha Sahoo

ଖୁବ୍ ଖୁସି ହେଇଥିଲା ସେଦିନ ସ୍ୱାଗତ ଯୋଉ ଦିନ ସେ ମୀରାର ଫ୍ରେଣ୍ଡ ରିକ୍ୱେଷ୍ଟ, ଫେସବୁକ୍‌ରେ ପାଇ ଥିଲା । ତା’ ଗୋଡ଼ ଖୁସିରେ ତଳେ ଲାଗୁ ନ ଥାଏ । ଦୀର୍ଘ ୧୦ ବର୍ଷର ଅପେକ୍ଷା ପରେ ଆଜି ପ୍ରଥମ ଥର ସେ ମୀରା ସହିତ କଥା ହେଉଛି । ତା’ର ସେହି ପିଲା ଦିନର ସାଙ୍ଗ ଯାହା ସହିତ ସେ କେତେ ଲୁଚାଲୁଚି ଖେଳିଛି, କେତେ ରାଗ ରୁଷା ହେଇଛି, କେତେ ଥର ଛାତ ଉପରକୁ ଯାଇ ଦୌଡ଼ା ଦୌଡ଼ି ଖେଳିଛି । ମୀରା କ’ଣ ସବୁ ମନେ ରଖିଥିବ? ସ୍କୁଲରେ ସାଙ୍ଗମାନେ ମୀରା ନାଁରେ ତାକୁ ଚିଡ଼େଇବା ଠାରୁ ଆରମ୍ଭ କରି, ସ୍କୁଲ ପ୍ରାର୍ଥନା କ୍ଲାସରେ ମୀରାକୁ ଲୁଚି ଲୁଚି ଦେଖିବା, ମୀରାକୁ ଦେଖିବା ବାହାନାରେ ସରସ୍ୱତୀ ପୂଜା ଗଣେଶ ପୂଜାରେ ଭଲ୍ୟୁଣ୍ଟିଅର୍ ହେବା, ମୀରାର ସେଇ ଛୋଟ ବେଳର ଫଟୋକୁ ନିଜ ପର୍ସରେ ସାଇତି ରଖିବା ପର୍ଯ୍ୟନ୍ତ କେତେ କ’ଣ ନ କରିଛି ସ୍ୱାଗତ । ମୀରାକୁ ସେସବୁ ବିଷୟରେ କିଛି ବି ଜଣା ନାହିଁ । ମୀରା କ’ଣ ସତରେ ସ୍ୱାଗତର ସ୍ନେହ ଆଉ ଭଲ ପାଇବାକୁ ବୁଝି ପାରିବ? ଏତେ ଦିନ ଧରି ଯୋଉ ସମ୍ପର୍କ କେବଳ ଏକ ତରଫା ବୋଲି ସ୍ୱାଗତ ଭାବି ଆସୁଚି, ମୀରା କ’ଣ ତାକୁ ସ୍ଵୀକୃତି ଦେବ? ସ୍ୱାଗତକୁ ନିଜର କରିବ? ଏମିତି କେତେ କ’ଣ ଭାବି ଯାଉଥିଲା ସ୍ୱାଗତ ।

ଏକ ତରଫା ପ୍ରେମର କଥା ହିଁ ନିଆରା ସେଥିରେ ଅନ୍ୟ ଜଣଙ୍କ ଠାରୁ କିଛି ଆଶା କି ଆକାଂକ୍ଷା ନ ଥାଏ । ଥାଏ ଖାଲି ନିଃସ୍ଵାର୍ଥପର ଭଲ ପାଇବା । ସେଇ ଅସୁମାରୀ ସ୍ୱପ୍ନ, ଭଲ ପାଇବା ଓ ମୀରା ବିଷୟରେ ଭାବୁ ଭାବୁ କେତେବଳେ ସ୍ୱାଗତର ଆଖି ଲାଗି ଯାଇଛି ଜଣା ନାହିଁ ।

ମୀରା ଆଉ ସ୍ୱାଗତ ଏବେ ଖୁବ୍ ଭଲ ବନ୍ଧୁ । ପରସ୍ପର ସହିତ ବହୁତ୍ କଥା ହେଉଛନ୍ତି । ସ୍ୱାଗତ ଭାବିଛି ସେ ଯେମିତି ହେଲେ ତା’ ମନ କଥା ମୀରାକୁ ଏଇ ଭାଲେଣ୍ଟାଇନ୍ ଡେ’ରେ କହିବ । ହେଲେ ବନ୍ଧୁତ୍ୱ ହରେଇବା ଡରରେ ସେ କିଛି କହି ପାରିନି । ଏତେ ବର୍ଷ ପରେ ଆଜି ହଠାତ୍ ଫେସବୁକ୍‌ରେ କଥା ହେଉଛି; ଏଇ ମାତ୍ର କେଇଦିନର କଥାବାର୍ତ୍ତାରେ ତାକୁ ସିଧା ମନ କଥା କହିବା ସ୍ୱାଗତ ପକ୍ଷରେ ସମ୍ଭବପର ହୋଇ ପାରିଲାନି । ସେ ଭାବିଲା ସମୟ ସୁବିଧା ଦେଖି ସେ ମୀରାକୁ ନିଜ ମନ କଥା ନିଶ୍ଚୟ କହିବ ।

ଆଜି କାଲି ସେମାନେ ବହୁତ କଥା ହେଉଛନ୍ତି । ନିଜ ପିଲା ବେଳର ସେଇ ସ୍ମୃତିକୁ ପୁଣି ମନେ ପକାଉଛନ୍ତି । ମୀରା ମନରେ ବି ସ୍ୱାଗତ ପାଇଁ ଭାବନାର ଗନ୍ତାଘର ତିଆରି ହେଇ ଯାଇଛି । ହେଲେ ପରସ୍ପର କେହି କାହାକୁ କିଛି କହି ପାରୁନାହାଁନ୍ତି । ବିଧିର ବିଡ଼ମ୍ୱନା ବହୁତ୍ ବିଚିତ୍ର । ଯେତେବେଳ ଲାଗେ ସବୁ ଠିକ୍ ହେଇ ଆସୁଚି, ସେତେବେଳେ ହିଁ ପୂରା ପୃଥିବୀଟା ଓଲଟ ପାଲଟ ହେଇଯାଏ । ଠିକ୍ ସେମିତି କିଛି ହେଲା ସ୍ୱାଗତ ଆଉ ମୀରା ସହିତ । ମୀରାର ବାହାଘର ହଠାତ୍ ଠିକ୍ ହେଇଗଲା ତା’ ବାପାଙ୍କ ଦୂର ସମ୍ପର୍କୀୟ ବନ୍ଧୁଙ୍କ ପୁଅ ସହିତ । ଆଉ ମୀରା ଗୋଟେ ଆଜ୍ଞାକାରୀ ଝିଅ ପରି ସ୍ୱୀକାର କରିନେଲା ତା’ ବାପାମାଆଙ୍କ ଇଚ୍ଛାକୁ । ବାହା ହେଇଗଲା ମୀରା ହେଲେ ଯିବା ଆଗରୁ ସ୍ୱାଗତକୁ କିଛି କହିବାକୁ ତାର ସାହସ ହେଲାନି । ସ୍ୱାଗତ ବି ଜାଣି ବାକୁ ଚେଷ୍ଟା କଲାନି କି ମୀରା ମନରେ କ’ଣ ଅଛି । ସେଦିନ ମନ୍ଦିର ବେଢ଼ାରେ ମୀରାକୁ ଲାଲ ଚୁଡ଼ି, ଲାଲ ଶାଢ଼ୀ ଓ ମଥାରେ ସିନ୍ଦୂର ଲଗେଇଥିବା ଦେଖି ସ୍ୱାଗତର ମନ ଭାଙ୍ଗି ଚୂର୍‌ମାର ହେଇଗଲା । ତାର ସେଇ ୧୦ ବର୍ଷର ନିଶ୍ଵାର୍ଥପର ଭଲ ପାଇବା, ତା’ ମୀରା କ’ଣ ସତରେ ତା’ ଠାରୁ ଦୂରକୁ ଚାଲି ଯାଇଚି? ତା’ ମୀରା କ’ଣ ଏବେ ଆଉ କାହାର? କ’ଣ ସତରେ ତା’ ଭଲପାଇବାର ଏଇଠି ଅନ୍ତ? ବାସ୍ ! ଏଇଠି ଶେଷ ହୋଇଛି କାହାଣୀର ଗୋଟେ ଭାଗ ।

ୟା ଭିତରେ ବିତି ଯାଇଚି ଦୀର୍ଘ ୧୫ ବର୍ଷ । ସ୍ୱାଗତର ବାହାଘର ହେଇ ଯାଇଛି । ମୀରା ମଧ୍ୟ ତା’ ପରିବାର ଜଞ୍ଜାଳରେ ବ୍ୟସ୍ତ । କ’ଣ ଉଭୟ ଉଭୟଙ୍କୁ ଭୁଲି ଯାଇଛନ୍ତି? ଯେତେବଳେ ଆମେ ଭାବୁ ସବୁ ଅଡ଼ୁଆ ଖିଅ ସଜାଡ଼ି ହେଇ ଗଲା ଠିକ୍ ସେତିକି ବେଳେ କୋଉଠି ନା କୋଉଠି କିଛି ଖିଅ ଯୋଡ଼ି ଓହଳିପଡ଼େ । ବାସ୍ ତାହା ହିଁ ହେଲା ମୀରା ଆଉ ସ୍ୱାଗତ ସହିତ । ଆଜି ଦୀର୍ଘ ୧୫ ବର୍ଷ ପରେ ପୁଣି ସେ ଦୁଇ ଜଣ ସାମ୍ନାସାମ୍ନି ହେଇଛନ୍ତି ଏକ ମଲ୍‌ରେ । ସାଙ୍ଗରେ ଅଛନ୍ତି ନିଜ ନିଜର ପରିବାର । ମୀରା ଆଜି ବି ସ୍ୱାଗତକୁ ଆଖି ଉଠେଇ ଦେଖି ପାରୁନି ଆଉ ସ୍ୱାଗତ ଆଜି ବି ଚୁପ୍ ଅଛି । ଦୁଇଜଣଙ୍କ ଆଖି ଛଳଛଳ ହେଇ ଯାଇଛି ।

ବୋଧ ହୁଏ କିଛି କାହାଣୀର ଅନ୍ତ ଏମିତି ହିଁ ହୁଏ । କିଛି କାହାଣୀ ଏମିତି ହିଁ ଭଲଲାଗେ । ଅସମ୍ପୂର୍ଣ୍ଣ ହେଇକି ହିଁ କିଛି କାହାଣୀ ସମ୍ପୂର୍ଣ୍ଣ ହୁଏ । ବୋଧେ ଭାଗ୍ୟ ଆଉ ଭଗବାନ ଦୁହେଁ ମିଶିକି ବି ଏମିତି କାହାଣୀକୁ ସମ୍ପୂର୍ଣ୍ଣ କରି ପାରନ୍ତିନି । ମୀରା ଆଉ ସ୍ୱାଗତର କାହାଣୀ ବି କିଛି ଏମିତି ହିଁ ଥିଲା । ଆଉ ଏତିକି ବେଳେ ମଲ୍‌ର ଫୁଡ୍‌କୋର୍ଟରୁ ଭାସି ଆସୁଥିଲା ଗୋଟେ ସୁନ୍ଦର ଗୀତ ‘ଭଲ ପାଏରେ ପାଏରେ ତୋତେ କାଇଁ ଏତେରେ ଜାଣେନାରେ କାଇଁ ଜାଣେନାରେ ।’

– ଶର୍ମିଷ୍ଠା ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply