ବିଜୁଳିର ତୀକ୍ଷ୍ଣ ଶବ୍ଦ କାନକୁ ସ୍ପର୍ଶ କଲା ପରେ ଛାତିର ସ୍ପନ୍ଦନଟି ବଢ଼ି ଗଲା ତା’ର ପର ମୁହୂର୍ତ୍ତରେ ହଠାତ ମୋ’ ନିଦଟା ଭାଙ୍ଗିଗଲା । କିଛିକ୍ଷଣ ପାଇଁ କିଛି ବୁଝି ପାରିଲିନି, ଚିନ୍ତା କରିବାର କ୍ଷମତା ହରେଇ କିଛି ସମୟ ବିଛଣାରେ ପଡ଼ି ରହିଲି, କିଛି ସମୟ ନୀରବତା ପରେ ନିଜକୁ ଚେତନାରେ ଆଣି ଝରକା ପାଖକୁ ଯାଇ ଦେଖେ ତ ପ୍ରବଳରୁ ଅତି ପ୍ରବଳ ବର୍ଷା । ପଛକୁ ବୁଲି କାନ୍ଥ ଘଣ୍ଟାରେ ଦୃଷ୍ଟି ନିକ୍ଷପ କରୁ କରୁ ଅନୁଭବ କଲି ୬ଟା ବାଜିବାକୁ ଆଉ ୧୫ ମିନଟ ବାକି ଅଛି । ମାତ୍ର ମୁଁ ଦ୍ୱନ୍ଦରେ ରହି ମୋ ରୁମ୍ମେଟର ବିଛଣାକୁ ଦେଖେ ତ ସେ ତା’ ବିଛଣାରେ ନାହିଁ; ଏତେ ସକାଳୁ ସେ ବା ଗଲା କୁଆଡ଼େ? ଏହି ପ୍ରସନ୍ନର ଉତ୍ତର ପାଇବା ଆଶାରେ ତାକୁ ଫୋନ୍ କଲି, “ଆରେ ଏତେ ସକଳୁ ତୁ ଗଲୁ କୁଆଡ଼େ?” ସେ’ପଟୁ ଉତ୍ତର ଆସିଲା, “ଆରେ ତୁ ଏ ଯାଏଁ ଶୋଇଛୁ? ସକାଳ ନୁହଁ ସନ୍ଧ୍ୟା ହେଲାଣି; ବାପାରେ ବାପା କି ନିଦ ତୋ’ର !” ସେପଟୁ ସେ କଲ୍ କାଟି ଦେଲା । ଠିକ ସେଇ ସମୟରେ ଅକସ୍ମାତ ମନେ ପଡ଼ିଲା, ଆରେ ହେଇ, ମୁଁ ପା ଦିନ ଦି’ଟାରୁ ଶୋଇଚି ଏଠି, ହେ ଭଗବାନ ଚାରି ଘଣ୍ଟା ପାଖାପାଖି କେମିତି ଶୋଇପାରିଲି । ଶରୀରକୁ ଚାରି ଘଣ୍ଟାର ନୀରବଚ୍ଛିନ ବିଶ୍ରାମ ମିଳିଥିବାରୁ ସକାଳ ନା ସନ୍ଧ୍ୟା ଜାଣିବାରେ ଅକ୍ଷମ ହୋଉଛି ମାତ୍ର, ଏହା ପଛରେ ମୋର ବା ଦୋଷ କ’ଣ?
ଏମିତିରେ ଦେଖିବାକୁ ଗଲେ ଦୋଷ ହେଉଛି ଏ ଶରତ ଋତୁର । କାରଣ ଆପଣମାନଙ୍କୁ ତ ବହୁତ ଭଲ ଭାବରେ ଜଣାଥିବ । ହେ ଭଗବାନ ! ଆଉ ମାତ୍ର ଦଶ ମିନଟ ଅଛି ଛ’ଟା ବାଜିବାକୁ । ଓଃ ନୋ ! ନିରୋଜ ଭାଇ, ନିରୋଜ ଭାଇ ଆମ ଦିପାର୍ଟମେଣ୍ଟ ପିଅନ ଜମା ଅପେକ୍ଷା କରିବନି ଛ’ଟାରେ ପଂଚିଙ୍ଗ ମେସିନ ଖୋଲି ଠିକ ଛ’ଟା ପାଞ୍ଚରେ ବନ୍ଦ କରିଦେବ । ଗଲା, ଆଜି ଗୋଟେ ଦିନର ପଇସା ତା’ ଉପରେ ବୋନସ୍ ମିଳିବ ହଜାରେ ଗାଳି ମାଡ଼ାମଙ୍କଠୁ । ଆଉ କିଛି ଭାବିବା ଆଗରୁ ମୁହଁଟି ଧୋଇ ଦଉଡ଼ିଲି ଦିପାର୍ଟମେଣ୍ଟ ଅଭିମୁଖେ । ହେ ଭଗବାନ ! ଏ କ’ଣ? ଏତେ ପ୍ରବଳ ବର୍ଷା ! ଦେହର ଅସୁସ୍ଥତା କାରଣରୁ ଦ୍ୱିପହର ବେଳକୁ ରିକ୍ସାରେ ଚାଲି ଆସିଥିଲି ଛତାଟା ଆଣିବାକୁ ଭୁଲି ଗଲି; ଏବେ କରିବି କ’ଣ ! ଏଇ କଥା ଭାବୁଭାବୁ ମନେ ପଡ଼ିଗଲା ପଂଚିଙ୍ଗ ମିସ; ଓଃ ନୋ ! ତା’ପରେ ଗାଳି, ନିଜ ଭାବନାରେ ପୁର୍ଣ୍ଣଛେଦ ପକେଇ ଦୌଡ଼ରାଣୀ ପିଟି ଉଷାଙ୍କୁ ମନରେ ଆଣି ଭାବିଲି ପାଞ୍ଚ ମିନଟର ପହଞ୍ଚିଯିବି । ଏଇ କଥା ଭାବୁ ଭାବୁ, ମନ କଥା ବୁଝି ଗୋଡ଼ ତତ୍ପର ହେଲା । ପ୍ରାଣ ବିକଳରେ ଦୌଡ଼ିଲି ।
ଏ କ’ଣ? ଦି’ମିନଟ୍ ନ ଦୌଡ଼ୁଣୁ ଗୋଟାପଣେ ଭିଜି ଗଲି । ଆହୁରି ଆଠ ମିନଟ ଦୂର ଡିପାର୍ଟମେଣ୍ଟ । ବର୍ଷା ଯେମତି କମିବାର ନା ନେଉ ନଥାଏ । ଓଦା ସର ସର ଦେହ ସହ ଭରା ଯୌବନକୁ ନେଇ ଦୌଡ଼ିବା ଯେମିତି ମୋ ପକ୍ଷେ ଅସମ୍ଭବ ପୁର୍ଣ୍ଣ ଲଜ୍ୟା ଆଣି ଦେଲା । ଏତିକି ଭିତରେ ସାଇଡ୍ରୁ ଗୋଟେ ଶବ୍ଦ ଶୁଭିଲା, “ଆରେ ବର୍ଷାରେ ଭିଜନି, ଦେହ ଖରାପ ହେବ । ଏଇ ଛତା ତଳକୁ ଆସିଯାଅ ।” ଭାସି ଯାଉଥିବା ପିଂପୁଡ଼ିକୁ କୁଟା ଖଣ୍ଡେ ସାହା ଭଳି କିଛି ନ ଭାବି ଛତା ତଳକୁ ଚାଲି ଗଲି, ବର୍ଷାରୁ ମୁକ୍ତି ପାଇଲା ପରେ ଟିକେ ଶାନ୍ତି ମିଳିଲା । ଓହୋ ଥାଙ୍କ ଗଡ୍ ! ଦୀର୍ଘ ନିଶ୍ୱାସଟିଏ ନେଲି ।
ବର୍ଷା ରାଣୀର ସ୍ପର୍ଶରେ ଅଙ୍ଗ ଅଙ୍ଗ ଓଦା ସର ସର ତା’ଉପରେ ପିନ୍ଧିଥିବା ଶାଲୱାର୍ କମିଜି ଆହୁରି ଭାରି ହେଇଯାଇଥାଏ । ଯେତେ ଚେଷ୍ଟା କଲେ ମଧ୍ୟ ସଅଳ ସଅଳ ପାଦ ପଡ଼ୁନଥାଏ । ଶାଲୱାର୍ କମିଜର ପେଣ୍ଟଟାକୁ ଟିକେ ଗୋଡ଼ ଉପରକୁ ଟେକି ସଅଳ ସଅଳ ଚାଲିଯିବାକୁ ଚେଷ୍ଟା କରୁଥାଏ, ହଠାତ ନଜର ପଡ଼ିଲା ମୋ ସହ ଛତା ତଳେ ଚାଲୁଥିବା ସେ ସୁନ୍ଦର ଲୋଭନୀୟ ଗୋରା ତକତକ ପାଦ ଦି’ଟା ଉପରେ, ବର୍ଷା ଟୋପା ପାଦକୁ ସ୍ପର୍ଶ କରି ମୁକ୍ତା ପରି ଝଲ ମଲ ହେଇ ଆଉ କିଛି ସମୟ ସେ ପାଦକୁ ସ୍ପର୍ଶ କରିବାର ଆକାଂକ୍ଷା ନେଇ ଛିନ୍ନ ଭିନ୍ନ ହେଇ ଛିଟିକି ପଡ଼ୁଛି । ଲଭନୀୟ ପାଦରୁ ନଜର ହଟି ନଥିଲା ବିଜୁଳିର ଏକ ଭୟଙ୍କର ଶବ୍ଦରେ ଆମ ଦୁହିଁଙ୍କ ଦେହ ଆଉ ଟିକେ ନିବିଡ଼ ହେଇଗଲା । ବୁଝି ପାରିଲିନି ସିଏ ଡରିଗଲେ ନା ମୁଁ ଡରିଗଲି? ସେ ଯାହା ହେଉ, ସେଇ ବାହାନାରେ ପାଦରୁ ନଜର ହଟି ତାଙ୍କ ମୁହଁରେ ମୋ ନଜର ପଡ଼ିଲା ।
ଓହୋ କି ଆକର୍ଷଣୀୟ; ସତେ ଯେମିତି ଭଗବାନ ନିଜର ବାକି ସମୟ ଅତିବାହିତ କରି ଗଢ଼ିଚି । ଟଣା ଟଣା ବଡ଼ ବଡ଼ ଆଖି, ଆଖି ତଳକୁ ଖଣ୍ଡାଧାରା ପରି ନାକ, ନାକ ତଳକୁ ସଦ୍ୟ ଫୁଟା ଫୁଲର ପାଖୁଡ଼ା ପରି ଓଠ । ଓଃ କି ସୁନ୍ଦରତା ! ସତେ ଯେମିତି ଏ ଆଖି ଜଗି ରହିଥିଲା ଏମିତି ମନ ମୁଗ୍ଧକର ରୂପକୁ ଦେଖିବାକୁ । ଗୋରା ତକତକ ଦେହରେ ସେ ହାଲ୍କା ହଳଦୀ ରଙ୍ଗର ସାର୍ଟଟା ବର୍ଷା ଛିଟାରେ ଯେମିତି ତାଙ୍କ ଶରୀରକୁ ଆଲିଙ୍ଗନ କରି କଳା ରଙ୍ଗର ପେଣ୍ଟ ସହ ଟିଟିକାରୀ ମାରି କହୁଛି, “ଦେଖ ଦେଖ ଏ ସୁନ୍ଦର ଶରୀରରେ ମୁଁ କେମିତି ସମ୍ପୂର୍ଣ୍ଣ ଏକାକାର ହେଇଯାଇଛି ।” ଆଉ ତା’ ଇଙ୍ଗିତର ପ୍ରତିଉତ୍ତରରେ କଳା ରଙ୍ଗ ପେଣ୍ଟଟି କହୁଛି, “ତୁ ଯୋଉ ଗୋରା ତକ ତକ ଶରୀରକୁ ଜାବୁଡ଼ି ଧରି ଖୁସି ହଉଛୁ, ତୁ ବଧେ ଭୁଲି ଯାଉଛୁ ତା ପସନ୍ଦର ରଙ୍ଗଟି ମୁଁ, ଯାହାକୁ ଆବରଣ କଳା ପରେ ତାଙ୍କ ଦେହର ରଙ୍ଗ ଆଉ ଦି ଗୁଣ ବଢ଼ି ଯାଏ ।” ପେଣ୍ଟ ଆଉ ସାର୍ଟର ଯୁକ୍ତିରୁ ନଜର କାଢ଼ି ଦେଖେ ତ ସେ ମୋତେ ତାଙ୍କ ହାତରେ ଜାବୁଡ଼ି ଧରି ଛତା ଭିତରେ କୟେଦ୍ କରିବାକୁ ଚାହୁଁଛନ୍ତି; ଯେମତି ଏ ଦୁଷ୍ଟ ବର୍ଷା ମୋତେ ଓଦା କରି ନ ଦେଉ ।
ମାତ୍ର ଏ ପ୍ରଖର ବର୍ଷା ଛିଟାରେ ଓଦା ହେଇଥିବା ଦେହରେ ଏକ ଉଷ୍ମ ଅନୁଭୂତି ଆସିଯାଇଥାଏ, ଉଷ୍ମତାକୁ ଆଉ ଟିକେ ପାଖରୁ ଅନୁଭବ କରିବାକୁ ମୁଁ ତାଙ୍କ ବକ୍ଷ ପାଖକୁ ଆଉ ଟିକେ ଆଉଜି ହେଇ ନିଜକୁ ଆତ୍ମସନ୍ତୋଷ ଦଉ ଥାଏ । ଠିକ୍ ଏତିକି ବେଳେ ବର୍ଷା ଟୋପାଟିଏ ତାଙ୍କ ମଥାରୁ ଗଡ଼ି ଆସି ଖଣ୍ଡା ଧାରିଆ ନାକର ଆଘାତ ପାଇ ତାଙ୍କ ସେ କାମଳ ଲୋଭନୀୟ ଓଠକୁ ଛୁଇଁବାକୁ ଆଗଭର ହେବା ଦେଖି ମୋ ହାତ ଆପେ ଆପେ ଯାଇ ତାଙ୍କ ମୁହଁରୁ ଓଠଯାଏଁ ଝରି ଆସୁଥିବା ସେ ସଉତୁଣୀ ରୂପି ଅନୁଭବ ହୋଉଥିବା ବର୍ଷା ଟୋପାଟିକୁ ହାତରେ ଅଲଗା କରି ଦେଲି । ଆଉ ସେଇ ବାହାନାରେ ତାଙ୍କ ସେ ଲଭାନ୍ୱିତ ଓଠକୁ ସ୍ପର୍ଶ କରିବାର ସୁଯୋଗ ପାଇଲି, ଆଉ ସେ ଏସବୁ ଦେଖି ସ୍ମିତ ହସଟିଏ ଦେଲେ; ମୁଁ ଲାଜରେ ଲାଜକୁଳୀ ଲତାଟିଏ ସାଜି ତାଙ୍କ ପାଖରେ ଆଉଟିକେ ଆଉଜି ଗଲି ।
ଠିକ ଏଇ ସମୟରେ ସେ ପଚାରିଲେ, “ଯଦି ମୁଁ ଭୁଲ ନଥାଏ ଏଇଟା ବୋଧେ ତମ ଡିପାର୍ଟମେଣ୍ଟ? ମୁଁ ପ୍ରାୟ ସମୟରେ ଦେଖିଚି ତମକୁ ଏଇଠି ଯିବାଆସିବା କରିବାର । ମୁଁ ସ୍ୱପ୍ନ ଦୁନିଆରୁ ପୁଣି ତଳକୁ ଆସିଗଲି; ଆରେ ହଁ ତ ଏଇଟା ମୋ ଡିପାର୍ଟମେଣ୍ଟ । ଦୁଃଖଭରା ମନରେ ବିଦାୟର ଘଡ଼ିସନ୍ଧି ମୁହୂର୍ତ୍ତରେ ଥାଙ୍କ୍ ୟୁ କହିବା ପୂର୍ବରୁ, ସେ କହି ଦେଲେ, “ହଉ ଡିଅର ସିଷ୍ଟର ମାଇଁ ସେଲ୍ଫ ସ୍ମିତା ଫ୍ରମ୍ ଜିଓଲୋଜି ଡିପାର୍ଟମେଣ୍ଟ । ବାଏ୍… ଫିର ମିଲେଙ୍ଗେ… ଚଲତେ ଚଲତେ…
– ପୂର୍ଣ୍ଣିମା ଲେଙ୍କା
Comments
ପୂର୍ଣ୍ଣିମା ଲେଙ୍କା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।