ଜୀବନ୍ତ ଘଟ ଏଇ
ଜନ୍ମରୁ ଇଚ୍ଛା ବୋହିଛି
ଶେଷ ନାହିଁ ଏ ଇଚ୍ଛାର
ନିମ୍ନଗା ଯେଭଳି ପୟୋଧିରେ ମିଶି
ତା’ ପରିସୀମା ବୃଦ୍ଧି କରୁଛି ।
ଶେଷଇଚ୍ଛା ଏ ନୁହେଁ
ଅନ୍ତ ପରବର୍ତ୍ତୀ ଇଚ୍ଛାର ଆରମ୍ଭ
ଜନ ଖୋଜେ ଏପରି କର୍ମ
ଯାହା ବଞ୍ଚି ରହିବ ସବୁଦିନ
ତା’ ଅନୁପସ୍ଥିତରେ ବି ପୂର୍ଣ୍ଣ
କରୁଥିବ ପ୍ରଶଂସାର କୁମ୍ଭ ।
ଅଭିନେତା ଅଭିନୟର ସମାପ୍ତେ
ଲୋଡ଼େ ପ୍ରଶଂସାର ମାଳ
ବିଧ୍ୱସଂ କାମନେ ଅନ୍ତେ
ତା’ର ଆସୁ ଶାନ୍ତିର କାଳ ।
ସମୀର ଅନ୍ତେ ଏ ଶରୀର
ଚାହିଁ ରହେ ଛଅ ହାତ ଜମି
କାୟା ଅନ୍ତେ ଏ ଆତ୍ମା
ହେବାକୁ ଚାହେଁ
ଆଉ ଏକ କାୟାର ସ୍ୱାମୀ ।
ଲେଖକ ତା’ କାହାଣୀ ଅନ୍ତେ
ଖୋଜେ ନବୀନ କଳ୍ପନାର ଶୀର୍ଷକ
ଅନ୍ତର ପରିସମାପ୍ତି ହିଁ
ନୂତନତ୍ୱର ଧାରକ ।
– ସୁନିତା ପଟେଲ
Comments
ସୁନିତା ପଟେଲ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।