ଅକୁହା ପ୍ରେମ

Akuha Prema - ଅକୁହା ପ୍ରେମ

ସେତେବେଳେ ଫୋନ ନଥିଲା ବୋଲି ସ୍କୁଲ ଛୁଟି ପରେ ଗାଁ ମୁଣ୍ଡ ବର ଗଛ ପାଖରେ ସବୁଦିନ ଅପେକ୍ଷା କରେ ସତ୍ୟ । ସେମିତି ଚୁପ ଚାପ ହୋଇ ଗୋଟେ କଣକୁ ଆଉଜି ଠିଆ ହୋଇ ରହିଥାଏ ତା’ ମେଘାର ଆସିବା ବାଟକୁ ଚାହିଁ । କେବେ ମୁହଁ ଖୋଲି ଭଲ ପାଏ ବୋଲି କହିବାର ସାହସ ନଥିଲା ତା’ ଭିତରେ । ମେଘା ସ୍କୁଲର ସବୁଠୁ ମେଧାବୀ ଛାତ୍ରୀ; ପାଠ ପରି ଶାଠରେ ବି ବହୁତ ଆଗରେ ସେ । ସବୁ ଶିକ୍ଷକ ଶିକ୍ଷୟତ୍ରୀଙ୍କର ବହୁତ ପ୍ରିୟ ଛାତ୍ରୀ; ଆଉ ସତ୍ୟ ହେଲା ଖେଳରେ ଚମ୍ପିୟାନ । ସତ୍ୟ ନୂଆ ନୂଆ ଅଷ୍ଟମ ଶ୍ରେଣୀରେ ଯେବେଠୁଁ ପାଦ ଦେଇଛି ମେଘାକୁ ଦେଖି ମନେ ମନେ ଭାରି ଖୁସି ହୁଏ । ଏମିତି ଦେଖା ଦେଖି ଭିତରେ ତିନି ବର୍ଷ ବିତି ଗଲା ।

ଆଜି ଥିଲା ସ୍କୁଲର ଶେଷ ଦିନ । ତା’ପରେ ଏକାଥରେ ଦେଖା ହେବ ମାଟ୍ରିକ ପରୀକ୍ଷା ଦିନ । ପରୀକ୍ଷାର ଡର ସାଙ୍ଗକୁ ସତ୍ୟ ବେଶୀ ଡରୁଥିଲା ଗୋଟେ କଥା ପାଇଁ । ଯେ ସେ କାଲି ପରଠୁ ତା’ ମେଘାକୁ ଆଉ ସବୁ ଦିନ ଦେଖି ପାରିବନି । କେବେ ବି ସତ୍ୟ ସାହସ କରିନି ମେଘାର ବାଟ ଓଗାଳି ତା’ ସୁନ୍ଦର ମନରେ ଆଘାତ ଦେବାକୁ । କାଳେ ତା’ର ଏଇ ପିଲାଳିଆମୀ ପାଇଁ ସେ ମେଘା ଆଖିରେ ଛୋଟ ହୋଇଯିବ । ବାସ ଏଇ ଭୟ ଭିତରେ ତିନି ବର୍ଷ ବିତିଗଲା । ଆଜି ସତ୍ୟ ଆଖି କୋଣରେ ଜକେଇ ଆସିଥିଲା ଲୁହ, ଯାହାକୁ ସେ ଚେଷ୍ଟା କରି ବି ଲୁଚେଇ ପାରୁ ନଥିଲା ।

ହଠାତ ଦୂରରୁ ମେଘାର ସାଇକେଲ ଆସୁଥିବା ଦେଖି ନିଜ ହୃଦୟର ଆବେଗକୁ ଲୁଚାଇ ରଖି ହସିବାର ଅଭିନୟ କରୁ କରୁ ମେଘା ଓହ୍ଲାଇ ପଡ଼ିଲା ତା’ ସାଇକେଲରୁ । କହିଲା ସତ୍ୟ ତୁମ ସହ ମୋର କିଛି କଥା ଥିଲା । ତା’ର ଏଇ ପଦିକ କଥାରେ ମୁଣ୍ଡ ଟେକି ଯେତେବେଳେ ସତ୍ୟ ମେଘାର ମୁହଁକୁ ଦେଖିଲା ସେ ଆବାକ ହୋଇ ଗଲା । ମେଘା ହାତରେ ଥିଲା ଗୋଟେ ଛୋଟ ଖାତା ଯେଉଁଥିରେ ମେଘା ଆଙ୍କି ଥିଲା ଦୁଇଟି ସୁନ୍ଦର ଚଢ଼େଇର ଚିତ୍ର । ଗୋଟେରେ ଲେଖା ଥିଲା ମେଘା ଆଉ ଗୋଟେରେ ଲେଖା ଥିଲା ସତ୍ୟ ଯିଏ କି ମୁକ୍ତ ଆକାଶରେ ଉଡ଼ିବୁଲୁଥିଲେ ଡେଣା ବାଡ଼େଇ । ସତ୍ୟ ସେ ଚିତ୍ର ଦେଖି ହସି ଦେଲା ଆଉ କହିଲା, “ହୁଏତ ଆଜି ସେ ଚଢ଼େଇ ଦୁଇଟା ପାଇଁ ମୁକ୍ତ ଆକାଶ ନାହିଁ ଉଡ଼ିବା ପାଇଁ କିନ୍ତୁ ବହୁତ ଜଲଦି ସେ ଦୁଇଟି ଚଢ଼େଇ ମୁକ୍ତ ଆକାଶରେ ଉଡ଼ିବୁଲିବେ ।” ତା’ର ଏଇ ଉତ୍ତରରେ ମେଘା ବୁଝିଗଲା ସତ୍ୟ ମନର କଥାକୁ ଆଉ ହସି ହସି କହିଲା, “ହଁ ସେଥିପାଇଁ ପଛେ ଦଶ ବର୍ଷ ଲାଗୁ । କିନ୍ତୁ ସେଇ ମୁକ୍ତ ଆକାଶରେ ମେଘା ଚଢ଼େଇ ପାଇଁ କେବଳ ସତ୍ୟ ହିଁ ଦରକାର ।”

– ନୀଳିମା ପ୍ରିୟଦର୍ଶିନୀ ମିଶ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...