ଚାରିଆଡ଼େ ଖାଲି ଗୁଞ୍ଜରୁଛି ଶବଦ
ମହିଳା ସଶକ୍ତିକରଣ ପାଇଁ,
ମାଆମାନେ ମୋର ପାହାଡ଼ ଡେଇଁଲେ
ଜଳ ଆଣି ଯିବା ପାଇଁ ॥
ଦୁଃଖିନୀ ମାଆଟା ଉପରେ ମୋହର
ନଜର କାହାର ନାହିଁ,
ଘିଡ଼ି ଘିଡ଼ି ହେଇ ଧାଉଁଅଛି ସେହି
ପାହାଡ଼ ଜଙ୍ଗଲ ଡେଇଁ ॥
ଜାଣିନାହିଁ ସେ ଯେ ପାହାଡ଼ ସେପାରେ
ଜଳ ପାଇବ କି ଖୋଜି,
ମନେ ଅସୁମାରି ଆଶା ନେଇ ହେଲେ
ଚାଲିଥାଏ ଆଖି ମୁଜି ॥
ତଥାପି ମନରେ ଛବିଟିଏ ରଖି
ମୁନା ମୁନି ପିଲାଙ୍କର,
କେମିତି ପିଇବେ ମନଭରି ଟିକେ
ଭୁଲିବେ ଚାତକ ଦୁଃଖ ॥
ପୁଣି ଦି’ ଓଳି ବିତିଗଲା ପରେ
ଫେରିବ ଯେ ସେହି ତୃଷ୍ଣା,
ଜଳ ବିକଳରେ ପୁଣି ଧାଇଁଯିବେ
ମା’ ଭଉଣୀଏ ପରା ॥
କେତେଦିନ ଆଉ ଲଗାଉଥିବ ହେ
ତେଲିଆ ମୁଣ୍ଡରେ ତେଲ,
ନୁଖୁରା କେଶକୁ ସମ୍ଭାଳି ନିଅ ହେ
ଥାଉ ଥାଉ ଦିନ କାଳ ॥
କେତେଦିନ ଆଉ ମାଆ ଭଉଣୀ ମୋ
କରିବେ ବିପଦ ଯାତ୍ରା,
ଦୁଃଖ ଟିକେ ବୁଝ ଲୋଭେ ହେଉ ପଛେ
ରଖିବାକୁ ନିଜ ସତ୍ତା ॥
ଅନୁରୋଧ ମୋର ପ୍ରଶାସନକୁ ହେ
ସଶକ୍ତିକରଣ ରଖ,
ପାରୁଅଛ ଯଦି ଜଳ ଟିକେ ଦେଇ
ଜୀବନ ତାହାରି ରଖ ॥
ଛୋଟ ଚେଷ୍ଟାଟେ କରିଥିଲି ମୁହିଁ
ନାରୀଟିଏ ମୁଁ ଯେ ବୋଲି,
ବ୍ୟଙ୍ଗ ଟିକେ ଛାଡ଼ି ନଜର ଦେବହେ
ଭଉଣୀର ଦୁଃଖ ଠି ହିଁ ॥
ଯଦି ଏ ଚେଷ୍ଟା ସଫଳ ହୁଏତ
ଖୁସିହେବ ମୋର ଦେଶ,
ସେ ଦେଶରେ ରହି ସାର୍ଥକ ମଣିବେ
କୋଟି ଦେଶବାସୀ ଗଣ ॥
ନହେଉ ଆଉ କେ ଦଶରଥ ମାଂଝୀ
ଆଣୁ ସେ ପର୍ବତ ଆଖ୍ୟା
ମୋ ମନ କହୁଛି ଆମ ପ୍ରଶାସନ
କରିବ ନାରୀର ରକ୍ଷା ॥
– ଦିପ୍ତିମୟୀ ସିଂହ
Comments
ଦିପ୍ତିମୟୀ ସିଂହ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।