ଏଇତ ଜୀବନ ପଥ

Odia Poem Aeta Jibana Patha (ଏଇତ ଜୀବନ ପଥ) by Baibasuta Naik

ଏ ଜୀବନ ବାଟରେ
ମଣିଷ ବାଟୋଇଟିଏ
କେବେ ଚାଲିବାକୁ ହୁଏ
କଣ୍ଟକିତ ପଥରେ
ତ ପୁଣି କେବେ
କୁସୁମିତ କୋମଳ ପୁଷ୍ପରେ ।

କେବେ ବୈଶାଖର ପ୍ରଚଣ୍ଡ ଝାଞ୍ଜିରେ
ନିଜକୁ ତାତିବାକୁ ହୁଏ
ତ ପୁଣି କେବେ
ବସନ୍ତର ମଳୟ ପବନରେ
ମଜ୍ଜିବାକୁ ହୁଏ ।

କେବେ ଅମାବାସ୍ୟାର କିଟିକିଟି
ଅନ୍ଧାରରେ ରହିବାକୁ ହୁଏ
ତ ପୁଣି କେବେ
ପୁନେଇଁ ଜହ୍ନର ଜୋଛନାରେ
ଲୁଚିବାକୁ ହୁଏ ।

କେବେ ବାଟସାରା ଏକା ଏକା
ତ ପୁଣି କେବେ
ବାଟରେ ମିଳନ୍ତି ଅନେକ ସଖା ।

କେବେ କିଛି ଲୁହକୁ
ହୃଦୟରେ ଚାପି ରଖିବାକୁ ହୁଏ
ତ ପୁଣି କେବେ
ମିଛ ହସକୁ ଦେଖାଇବାକୁ ହୁଏ ।

କେବେ ସଂଘର୍ଷମୟ ଜୀବନ
ତ କେବେ
ବିଳାସ ବ୍ୟସନମୟ ଆନନ୍ଦ ମନ

କେବେ ସାଥିଟିଏ ବିନା
ବଞ୍ଚିବାକୁ ହୁଏ
ତ କେବେ
ସାଥିଟିଏ ପାଇଁ
ଜୀବନ ଦେବାକୁ ହୁଏ ।

କେବେ ଆବର୍ଜ୍ଜନା କୁଣ୍ଡରେ
ସଢ଼ି ଯିବାକୁ ହୁଏ
ତ ପୁଣି କେବେ
ଅତର ହୋଇ ଚାରିଆଡ଼େ
ମହକିବାକୁ ହୁଏ ।

କେତେବେଳେ ମିଳେ
ଅନେକ ପ୍ରେମ
ତ କେତେବେଳେ ଅନେକ ଘୃଣା ।

କେବେ ବିରହ ଯନ୍ତ୍ରଣାରେ
ମରିବାକୁ ହୁଏ
ତ କେବେ
ପ୍ରେମର ପ୍ରୀତି ବନ୍ଧନରେ
ବନ୍ଦୀ ହେବାକୁ ହୁଏ ।

ଏଇତ ମଣିଷ ଜୀବନ
ଟିକେ ଖୁସି ପାଇଁ ଏଠି
ଦୁଃଖ କଷ୍ଟ କେତେ ସହି
ଯନ୍ତ୍ରଣାରେ ଜଳି ଜଳି
ବଞ୍ଚିକି ବି ମରିଯାଏ ।

– ବୈବସୁତ ନାଏକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...