ଏଇ ତ ଜୀବନ

Odia Story Ae Ta Jibana (ଏଇ ତ ଜୀବନ) by Samyajit Patra

ଦିବସର ଆରମ୍ଭ ହୋଇସାରିଥିଲା ସୂର୍ଯ୍ୟଙ୍କଠାରେ ସୃଷ୍ଟି ହେଉଥିବା ହାଇଡ୍ରୋଜେନ ଗ୍ୟାସ, ହିଲିୟମ ଗ୍ୟାସରେ ପରିଣତ ହେବାରେ । ପତ୍ନୀ କହୁଥିଲେ, ତୁମ ଟିଫିନ୍ ଡବା ଓ ପାଣି ବୋତଲ ଟେବୁଲ ଉପରେ ରଖିଛି ଗଲାବେଳେ ନେଇଯିବ । କାମ ନ କଲେ ପୁଅକୁ ପଢ଼େଇବ କେମିତି?

ରାଜୁ ବିଛଣାରେ ପ୍ରାଣାୟାମ ସାରି ଦାନ୍ତକାଠି ନେଇ ପୋଖରୀକୁ ଚାଲିଗଲା । ଶୌଚ ଓ ସ୍ନାନ କାର୍ଯ୍ୟ ସାରି ବାହାରି ପଡ଼ିଲା କଳକାରଖାନା, ତା’ ନିତିଦିନିଆ କର୍ମ ସଂସ୍ଥାନ ଅଭିମୁଖେ । ସେଠି ସେ ଦିନ ମଜୁରିଆ ରୂପେ ଗତ ଅଠର ବର୍ଷ ହେବ କାମ କରିଆସୁଛି । ଗତବର୍ଷର କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ କାମଧନ୍ଦାରେ ମାନ୍ଦା । ଆଗପରି ଆଉ ଯୋଗାଡ଼ ନାହିଁ, ଯେତିକି ପାଏ ସେଥିରେ ଅଣ୍ଟେନି । ପୁଅ ଶ୍ୟାମର ବଡ଼ ମହାବିଦ୍ୟାଳୟରେ ଆଡ଼ମିଶନ ପାଇଁ କାରଖାନା ମାଲିକଠାରୁ କରଜ ପନ୍ଦର ହଜାର ନେଇଥିଲା ଯେ ପ୍ରତି ମାସ ପାଞ୍ଚଶହ ଲେଖାଏଁ କାଟୁଛି । ତଥାପି ଅଭାବ ସଂସାରକୁ ଯଥା ସମ୍ଭବ ଟାଣିଟୁଣି ଚଳେଇଛି । ସେହି ବଡ଼ଦେଉଳିଆକୁ କିଛି ବି ଅଛପା ନାହିଁ !!

ଶ୍ୟାମ ସହରରେ ରହି ପଢ଼ୁଛି । ଗାଁକୁ ମାସରେ ଥରେ ଆସେ, ବାପାମା’ଙ୍କୁ ଦେଖି ପୁଣି ଚାଲିଯାଏ । ସହରରେ ଶ୍ୟାମ ଏକା ରହୁଥିଲା । ସମ୍ପୂର୍ଣ୍ଣ ସ୍ୱାଧୀନ ଶ୍ୟାମକୁ କେହି ଆକଟ କରିବାକୁ ନ ଥିଲେ । କିଛି ବିପଥଗାମୀ ସାଙ୍ଗମାନଙ୍କ ସହ ପଡ଼ି ନିଶା ଦ୍ରବ୍ୟ ସେବନ, ପଢ଼ାରେ ଅନିୟମିତତାର ଫଳ ସ୍ୱରୂପ ପରୀକ୍ଷାରେ ଅକୃତକାର୍ଯ୍ୟ ହେଲା ସେ । ବାପାମା’ଙ୍କ ଅକ୍ଲାନ୍ତ ପରିଶ୍ରମ ଓ ପରିସ୍ଥିତିର ସୁଧାରର ଆଶା ଆଶାରେ ହିଁ ରହିଗଲା । ଦୁଃଖ ଓ କଷ୍ଟରେ ଭାଙ୍ଗି ନ ଥିଲେ ଦମ୍ପତି । ପୁତ୍ର ଶ୍ୟାମକୁ ବୁଝେଇବା କୁ ଚେଷ୍ଟା କରିଥିଲେ । ନିଜର ଭୁଲ ବୁଝିପାରିଥିଲା ଶ୍ୟାମ ଓ ବଦଳିବାକୁ ଶପଥ ନେଇଥିଲା ।

ପୁଣି ଥରେ ହସି ଉଠିଥିଲା ତାଙ୍କ ଛୋଟିଆ ସଂସାର । କଳା ବାଦଲ ହଟି ଯାଇଛି ତାଙ୍କ ଜୀବନ ଆକାଶରୁ, ରାଜୁର ପରିଶ୍ରମ ରଙ୍ଗ ଦେଖେଇଲା ଓ ଭଲ ସରକାରୀ ଚାକିରୀଟିଏ ପାଇଲା । ମାଆବାପାକୁ ପାଖରେ ନେଇ ସରକାରୀ କ୍ଵାଟରରେ ନେଇ ରଖିଲା ।

ଦୁହେଁ ପାଖ ବଗିଚାରେ ବସି ସାମ୍ନା ବଉଳଗଛରେ ଥିବା ପକ୍ଷୀବସାଟିକୁ ଚାହିଁଥିଲେ, କଳରବରେ ମୁଖରିତ ହୋଇଉଠୁଥିଲା ଉଦ୍ୟାନଟି । ଦୁହେଁ ବର୍ତ୍ତମାନ ସ୍ଥିତି ପାଇଁ ଭଗବାନଙ୍କୁ ଧନ୍ୟବାଦ ଦେଇ ସନ୍ଧ୍ୟା ଆଳତି ପାଇଁ ସରକାରୀ କ୍ଵାଟରକୁ ଫେରିଲେ ।

– ସମ୍ୟଜିତ ପାତ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...