ଟ୍ରେନ ଆସିବାର ସମୟ ପାଖେଇ ଆସୁଥିଲା । ତରତର ହେଇ ପ୍ଲାଟଫର୍ମ ଆଡ଼େ ଆଗଉଥିଲି ମୁଁ । ପ୍ରଥମ ଥର ପାଇଁ ବନ୍ଧୁଜଣଙ୍କ ଆସୁଛନ୍ତି ମୋ ସହରକୁ । ତାଙ୍କର ସାମାନ୍ୟତମ ଅସୁବିଧା ମଧ୍ୟ ବାପାଙ୍କର କ୍ରୋଧ ଉଦ୍ରେକ କରିବା ପାଇଁ ଯଥେଷ୍ଟ; ଆଉ ସେଥିପାଇଁ ଟ୍ରେନ ଆସିବାର କିଛି ସମୟ ଆଗରୁ ଯାଇ ଷ୍ଟେସନ ପାଖରେ ଅପେକ୍ଷା କରିବାକୁ ଥିଲା କଡ଼ା ନିର୍ଦେଶ । ପ୍ଲାଟଫର୍ମ ୧ ପାଖରେ ପହଞ୍ଚି ଘଣ୍ଟା ଦେଖିଲି, ଟ୍ରେନ ଆସିବାକୁ ଆହୁରି ପନ୍ଦର ମିନିଟ ବାକି ଅଛି । ପ୍ରାୟ ଖାଲିଥିବା ପ୍ଲାଟଫର୍ମଟିର ଗୋଟେ ପରିତ୍ୟକ୍ତ ବେଞ୍ଚ ଉପରେ ଯାଇ ବସିପଡ଼ିଲି ଅପେକ୍ଷା କରିବାର ମାନସିକତାକୁ ନେଇ । ବଳକା ସମୟର ସଦୁପୋଯୋଗ କରିବାପାଇଁ ମୋବାଇଲ ଖୋଲି ସାମାଜିକ ଗଣମାଧ୍ୟମର ଗୋଟେ ପୃଷ୍ଠା ଖୋଲିଛି କି ନାହିଁ ପଛରୁ କିଏ ତାଳି ବଜାଉଥିବାର ଶୁଣିଲି । ପଛକୁ ବୁଲି ଦେଖେ ତ ସମ୍ମୁଖରେ ଦଣ୍ଡାୟମାନ ଜଣେ କିନ୍ନର । କାଳ ବିଳମ୍ବ ନ କରି ୱାଲେଟ ଖୋଲି କୋଡ଼ିଏ ଟଙ୍କିଆ ନୋଟଟିଏ ବଢ଼େଇଦେଲି ତା‘ ହାତକୁ ଆଉ ସେ ମୋ ମୁଣ୍ଡଉପରେ ହାତ ସାଉଁଳେଇ ଆଣି ‘ଠାକୁରେ କୋଟି ପରମାୟୁ ଦିଅନ୍ତୁ‘ କହି ଚାଲିଗଲା ମୋ ଠାରୁ ଆଗକୁ….
କିଛି ସମୟ ନିର୍ଲିପ୍ତ ନୟନରେ ଚାହିଁରହିଲି ସେ ଯିବା ବାଟକୁ । ନିରେଖି ନ ଦେଖିଲେ କେହି ବି ଜାଣି ପାରିବ ନାହିଁ ସେ କିନ୍ନର ବୋଲି । ଯୌବନର ମାଦକତା ଯେପରି ଲହଡ଼ି ଭାଙ୍ଗୁଥାଏ ତା ଦେହସାରା ! ମାଂସପେଶୀର ଆକର୍ଷଣ କାହାକୁ ବି ବାନ୍ଧି ରଖିବା ପାଇଁ ଥିଲା ଯଥେଷ୍ଟ । ପରିପାଟୀରେ ବେଶ ମାର୍ଜିତ ଲାଗୁଥିବା ‘ତା‘ ପ୍ରତି କେମିତି ଗୋଟେ ଅହେତୁକ ଖିଆଲ ଉଙ୍କିମାରୁଥିଲା ମୋ ମନତଳେ । ଠିକ ସେତିକିବେଳେ ମୋ ଖିଆଲରେ ଭଟ୍ଟା ପକେଇ ଡ଼ାକବାଜି ଯନ୍ତ୍ରର ଘୋଷଣା ଶୁଣାଗଲା । ମୁଁ ଅପେକ୍ଷା କରିଥିବା ଟ୍ରେନଟି ଚାଳିଶ ମିନିଟ ଡେରିରେ ଆସୁଛି ! ଶଃ… ଆହୁରି ଘଣ୍ଟାଏ !! କଣ କରିବି ଏତେ ସମୟ? ମନ୍ଦିର ଗଲେ ଘଣ୍ଟାଏ ଭିତରେ ଫେରିବା ତ ସମ୍ଭବ ନୁହେଁ… କଣ କରିବି କଣ କରିବି ବସି ଭାବୁଛି କି ମନକୁ ଜୁଟିଲା, ଟିକେ ସେ କିନ୍ନର ସହ କଥାବାର୍ତ୍ତା ହେଲେ କିପରି ହୁଅନ୍ତା ! ବାଃ… ବଢ଼ିଆ ଆଇଡ଼ିଆ । ବୁଲିପଡ଼ି ଦେଖିଲି ସେ ଯାଇ ଏକୁଟିଆ ବସିଛି ମୋ‘ ଠାରୁ ଦୁଇଟା ବେଞ୍ଚ ଛାଡ଼ି ଗୋଟେ ବେଞ୍ଚ ଉପରେ । ଆଉ ବିଳମ୍ବ ନ କରି ଯାଇ ବସିପଡ଼ିଲି ସେ ବସିଥିବା ବେଞ୍ଚର ଗୋଟେ ପାଖରେ । ପାଖରେ ଥିବା ନୋଟ ଗୁଡ଼ିକୁ ଗୋଟି ଗୋଟି କରି ଗଣିବାରେ ବ୍ୟସ୍ତ ଥିଲା ସେ । ମୋର ଅଚାନକ ଉପସ୍ଥିତିରେ ହଠାତ ହଡ଼ବଡ଼େଇ ଜିଜ୍ଞାସୁ ଆଖିରେ ଚାହିଁରହିଲା ସେ ମୋ ଆଡ଼େ । ପରିସ୍ଥିତିକୁ ଟିକେ ସାମାନ୍ୟ କରିବାକୁ ଯାଇ କହିଲି ‘ବ୍ୟସ୍ତ ହୁଅନ୍ତୁ ନାହିଁ । ଟ୍ରେନ ଆସିବାକୁ ଅନେକ ସମୟ ବାକିଅଛି, ଆଉ ମୁଁ ଏକା ବସି ବସି ବୋର ହଉଥିଲି । ଭାବିଲି ଆପଣଙ୍କ ସହ କଥା ହେଲେ ସମୟ କଟିଯିବ । ସେଥିପାଇଁ…‘ ଏଥର ସେ ସାମାନ୍ୟ ଆଶ୍ୱସ୍ତ ହେଲାଭଳି ଲାଗିଲା । ଟଙ୍କାସବୁ ଗଣି ଛାତି ବ୍ଲାଉଜ ତଳେ ଲୁଚେଇ ରଖିଥିବା ମନିପର୍ସରେ ରଖି ମୋ ଆଡ଼େ ଚାହିଁଲା ଆଉ ଏକ ଅଦ୍ଭୁତ ସ୍ମିତହାସ୍ୟ ଦେଇ ପଚାରିଲା– କଣ କଥାହେବେ ମୋ ସହ? ଜଣେ ଛକା ସହ କଥା ହେଲେ ଆପଣଙ୍କ ଇଜ୍ଜତ ଚାଲିଯିବନି ତ‘??
–ସେମିତି କାହିଁ କହୁଛନ୍ତି? ଯଦି ମୁଁ ସେମିତି ଭାବିଥାନ୍ତି ଆପଣଙ୍କ ପାଖେ ଆସି ବସିଥାନ୍ତି କି? ତା‘ ଛଡ଼ା ଆପଣ ବି ତ‘ ମୋ ପରି ଜଣେ ସାଧାରଣ ମଣିଷ । ଆପଣଙ୍କ ସହ କଥାହେଲେ ମୋ ଇଜ୍ଜତ କାଇଁ ଚାଲିଯିବ ବୋଲି ଭାବୁଛନ୍ତି??
–ମୁଁ ଭାବୁନି ଆଜ୍ଞା ! ମୁଁ ତ‘ ବାସ ସେଇଆ କହିଲି ଯାହା ଲୋକମାନେ କୁହନ୍ତି । ଯାହା ଏ ସମାଜ କୁହେ ଆମମାନଙ୍କୁ ନେଇ…
–ହେଲେ ମୁଁ କିନ୍ତୁ ସେମିତି ଭାବେନି । ମୋ ନଜରରେ ଆପଣ ବି ମୋ ପରି ଜଣେ ସାଧାରଣ ମଣିଷ ।
–କାସ ତୁମ ଭଳି ସମସ୍ତେ ଭାବନ୍ତେ (ଅତି ଅସ୍ପଷ୍ଟ ଭାବେ କହିଲା ସେ)
ଏତିକି କହି ଚୁପିରହିଲା ସେ । କିଛି କ୍ଷଣପାଇଁ ନୀରବତାର ଗୋଟେ ବହଳ ପରଦ ଘୋଡ଼ି ହେଇଗଲା ଆମ ଉପରେ । କଣ କହି ପୁଣି କଥା ଆରମ୍ଭ କରିବି ଭାବୁଥାଏ କି ସେ ମୋ ଆଡ଼କୁ ପୁଣି ଗୋଟେ ସ୍ମିତହାସ୍ୟ ଦେଇ ଚାହିଁଲା ଆଉ ପଚାରିଲା
–କଣ କଥା ହେବେ ବୋଲି କହୁଥିଲେ ପରା? ଏବେ ଚୁପ ବସିଲେ ଯେ !
–ନାଇଁ ମୁଁ ଭାବିଲି କାଳେ ମୋ ସହ କଥାହେବାକୁ ଭଲ ଲାଗୁନଥିବ । ସେଲାଗି…
–ହେ ହେ ହେ…
–ତାହେଲେ ଘର ଆଉ ପରିବାର ବିଷୟରେ କୁହନ୍ତୁ ନା…
–ବ୍ରହ୍ମପୁରରୁ ଟିକେ ଆଗକୁ ଗଲେ ପୋଲସରା ବୋଲି ଛୋଟିଆ ଜାଗା, ସେଇଠି ଆମଘର । ମତେ ଛାଡ଼ିଦେଲେ ଘରେ ବାପା ବୋଉ ଦୁଇ ଭଉଣୀ ଆଉ ଗୋଟେ ଭାଇ । ମୁଁ ସମସ୍ତଙ୍କଠୁ ବଡ଼ ।
–ସବୁଦିନ କଣ ପୋଲସରାରୁ ଯିବା ଆସିବା କରୁଛନ୍ତି ?
–ହେ ହେ ହେ… ସେ ଭାଗ୍ୟ ମୋର କାହିଁ ଆଜ୍ଞା ! ଖୋର୍ଦ୍ଧା ରୋଡ଼ରେ ଗୋଟେ ଘର ଭଡ଼ା ନେଇ ରହୁଛୁ ଆମେ ପାଞ୍ଚ ଜଣ । ବାସ ସେଇ ହେଲା ଘର ।
–ଓଃ ! ସରି… ଆଚ୍ଛା ଆପଣ କଣ ପିଲାଦିନୁ ଏମିତି? ମାନେ….
–ନା ନା… ପିଲାଦିନୁ ମୁଁ ବିଲକୁଲ ଅନ୍ୟ ଛୁଆଙ୍କ ପରି ସ୍ୱାଭାବିକ ଥିଲି । ସ୍କୁଲ ଯାଉଥିଲି, ସାଙ୍ଗ ମାନଙ୍କସହ ବୁଲୁଥିଲି, ଖେଳୁଥିଲି… ଭଲ ପାଠ ବି ପଢ଼ୁଥିଲି ।
–ତେବେ?
–ଯେବେଠାରୁ ଏ ଦୁନିଆ ସହ ପରିଚୟ ହେଲା, ସେବେଠାରୁ ସବୁ ଚାଲିଗଲା । ସାଙ୍ଗ ସାଥି ଗଲେ, ସ୍କୁଲ ଛାଡ଼ିଲି, ବନ୍ଧୁ ବାନ୍ଧବ ଗଲେ, ଏମିତିକି ପରିବାର ବି….
କଣ୍ଠ ବାଷ୍ପରୁଦ୍ଧ ହେଇ ଉଠୁଥିଲା ତା‘ର । କେଉଁ ଅଜଣା ଖିଆଲରେ ହଜିଗଲା ପରି ଅନ୍ୟମନସ୍କ ହୋଇଉଠୁଥିଲା ସେ । ପୁଣି ଏକ ନୀରବତାର ଚାଦର ଢାଙ୍କିହେବା ଆଗରୁ ପ୍ରଶ୍ନ କଲି…
–ଯଦି ପିଲାଦିନେ ଭଲ ପଢ଼ୁଥିଲ ପାଠ ଛାଡ଼ିଲ କଣ ପାଇଁ? ଆଉ ଯଦି ନିଜ ପରିବାରକୁ ଏତେ ମନେପକାଉଚ, ସେମାନଙ୍କ ସହ ରହୁନା କଣ ପାଇଁ?
–ଯେତେବେଳେ ମୁଁ ଷଷ୍ଠ ଶ୍ରେଣୀରେ, ପ୍ରଥମ ଥର ଅନୁଭବ କଲି ମୋ ଶରୀରରେ ପରିବର୍ତ୍ତନ । ଦିନ ବଢ଼ିବା ସହ ସେ ସବୁ ସ୍ପଷ୍ଟ ବାରିହେଉଥିଲା ମୋ ଦେହରେ ଆଉ ତା‘ ସହ ବଢ଼ି ଚାଲିଥିଲା ମୋ ମାନସିକ ଦୁଶ୍ଚିନ୍ତା । ସାଙ୍ଗ ସାଥୀଙ୍କ ଥଟ୍ଟା ମଜା, ସାଇ ପଡ଼ିଶାଙ୍କ ପରିହାସ ଆଉ ବନ୍ଧୁ ବାନ୍ଧବଙ୍କ ତାତ୍ସଲ୍ୟ ଭରା କଟୁବାକ୍ୟ… ସବୁ ଯେମିତି ଅସହ୍ୟ ହୋଇଉଠୁଥିଲା ଦିନକୁ ଦିନ….. ସପ୍ତମ ଶ୍ରେଣୀରେ ଥିଲାବେଳେ ଦିନେ ସାର କହିଲେ ଯାଇ ଝିଅ ମାନଙ୍କ ପାଖେ ବସିବା ପାଇଁ । ପୁରା ଶ୍ରେଣୀ ହସ ତାତ୍ସଲ୍ୟରେ ଗୁଞ୍ଜରିତ ହୋଇ ଉଠିଲା । କେହି ବି ଚେଷ୍ଟା କରିନଥିଲେ ମୋ ମାନସିକ ଅବସ୍ଥା ବୁଝିବାକୁ ସେଦିନ । ଚୁପଚାପ ତଳକୁ ମୁହଁପୋତି ଲୁହ ଗଡ଼େଇ ଚାଲିଥିଲି ପିରିଏଡ଼ ସାରା । କ୍ଳାସ ସରୁ ସରୁ ବହିପତ୍ର ଧରି ଚାଲିଆସିଲି ବାହାରକୁ । ସେଇ ଆସିଲି ଯେ ଆଉ ଯାଇନି ସ୍କୁଲକୁ, ହେଲେ ମୋ ସହ ରହିଯାଇଛି ସେଦିନର ସେ ନୂଆ ନା‘ ‘ମାଇଚିଆ‘ ।
ବାହାର ଲୋକଙ୍କର ଟାହିଟାପରାରୁ ବଞ୍ଚିବା ପାଇଁ ସିନା ଘରେ ରହିଗଲି, ହେଲେ ଘର ଲୋକମାନଙ୍କର ଆକ୍ଷେପ ଆଉ କଟାକ୍ଷ ଥିଲା ପ୍ରାଣାଂତକ କଷ୍ଟଦାୟୀ । “ଏନ୍ତୁଡ଼ି ଶାଳାରୁ ମରିଗଲୁନାହିଁ କଣ ପାଇଁ” “ମାଇଚିଆ ହେଇ ଜନ୍ମ ନେଇଛୁ ଆମକୁ ସାଧିବା ପାଇଁ” “ତୋ ଲାଗି ଦାଣ୍ଡରେ ମୁଣ୍ଡଟେକି ଚାଲିପାରୁନୁ” ଜେଜେମା, ବାପା, କକା ଆଉ ଅନ୍ୟମାନଙ୍କଠୁ ସବୁଦିନ ଏମିତି କଥା ଶୁଣି ଶୁଣି ସ୍ଥାଣୁ ପାଲଟି ଯାଇଥିଲି ମୁଁ । ଧୀରେ ଧୀରେ ତାହା ତୀବ୍ର ହେବାକୁ ଲାଗିଲା । ଦିନସାରା ସେମିତି ଘରର ଗୋଟେ କଣରେ ପଡ଼ିରହେ ମୋ ଭାଗ୍ୟକୁ ନିନ୍ଦା କରି । ବହୁତ କାନ୍ଦେ, ନିଜକୁ ବୁଝାଏ, ସବୁକୁ ସହିବାକୁ ମନକୁ ଦୃଢ଼କରେ, ହେଲେ ପାରେନି….
ପୁନଶ୍ଚ ନୀରବତା । ମେଞ୍ଚେ ମର୍ମ ବେଦନା ଦୀର୍ଘଶ୍ୱାସ ହୋଇ ବାହାରି ଆସିଲା ଦଲକାଏ ଗରମ ପବନ ହେଇ, ପଞ୍ଜରା ଥରାଇ….
–ତା‘ ପରେ ??
–ତା‘ ପରେ… ତା‘ ପରେ… ତା‘ ପରେ ଯାହା ଘଟିଲା ମୋ ଜୀବନର ମୋଡ଼ ବଦଳେଇଦେଲା ସବୁଦିନ ପାଇଁ….. ଦିନେ ରାତିରେ ଶୋଇଥାଏ ମୋ ଶୋଇବା ଘରେ । ହଠାତ ଅନୁଭବ କଲି କାହାର ହାତ ପହଁରି ବୁଲୁଛି ମୋ ଛାତି ସାରା । ଚାଉଁ କିନା ପୁଳାଏ ନିଆଁ ଖସି ପଡ଼ିଲା ଯେମିତି ! ଧଡ଼ପଡ଼ ହେଇ ଉଠି ବସି ଦେଖେ ତ‘ ମୋ ପାଟିକୁ ଚାପି ଧରି ବସିଥିଲେ ମୋ ନିଜ କକା ଆଉ ତାଗିଦ କରି କହୁଥିଲେ ଯଦି କାହାକୁ କୁହେ ଜୀବନରେ ମାରିଦେବେ ବୋଲି । କେତେ କାକୁତି ମିନତୀ ହେଲି, ଗୋଡ଼ ହାତ ଧରିଲି, କାନ୍ଦିଲି, ନେହୁରା ହେଲି ମତେ ଛାଡ଼ିଦେବା ପାଇଁ… ହେଲେ କିଛି ଲାଭ ହେଲାନି । ତାଙ୍କ ନିଶ୍ୱାସର ଗରମ ପବନରେ ସେଦିନ ରାତିରେ ଖାଲି ମୋ ଦେହ ଜଳି ନଥିଲା, ତା‘ ସହ ଜଳିଥିଲା ମୋ‘ ମନ, ମୋ ଆତ୍ମବିଶ୍ୱାସ, ମୋ ମାନସିକ ଅବସ୍ଥା ଆଉ ମୋ ଆତ୍ମା…. ଶରୀରର ଯନ୍ତ୍ରଣା ରାତିସାରା ବୋହିଚାଲିଥିଲା ଆଖିରୁ ମୋର ଧାର ଧାର ହୋଇ…
ପୁଣି କିଛି ସମୟ କଟିଗଲା ନିରବତାରେ । ଆଉ କିଛି ପଚାରିବାକୁ ମୋ ଅନ୍ତରାତ୍ମା ଯେମିତି ମୋତେ ବାରଣ କରୁଥିଲା । ମୋ କାନ ଧରି ବାରମ୍ବାର ତାଗିଦ କରୁଥିଲା– ନା‘ ବହୁତ ହେଇଗଲା । ଆଉ କିଛି ପଚାରି ତାକୁ ଅଧିକ କଷ୍ଟ ଦେବାର କୌଣସି ନୈତିକ ଅଧିକାର ତୋ‘ର ନାହିଁ ! ଦୀର୍ଘଶ୍ୱାସଟିଏ ବାହାରି ଆସିଲା ମୋ ଫୁସଫୁସର ତୀବ୍ରତାକୁ ପ୍ରତିହତ କରି… ତା ଆଡ଼େ ଚାହିଁଲି । ଆଖିର ଲୁହ ପୋଛି ସେ ପୁଣି ଆରମ୍ଭ କଲା–
–ସେତିକିରେ ସବୁକିଛି ସରିଗଲାନି ଆଜ୍ଞା ! ବରଂ ସେ ରାତିର ଘଟଣା ଆଗାମୀ ଦୁଇବର୍ଷ ପାଇଁ ରାସ୍ତା ପ୍ରଶସ୍ତ କରିଦେଇ ଗଲା । ଆଗାମୀ ଦୁଇବର୍ଷ, ପ୍ରତି ଶନିବାର/ରବିବାର ତିଳ ତିଳ ଜାଳିବାପାଇଁ ପକାଇ ଦେଇ ଗଲା ଦୃଢ଼ ଭିତ୍ତିପ୍ରସ୍ତର । ଅପ୍ରାପ୍ତ ଶରୀର ମୋର ଛଟପଟ ହୁଏ, ସହି ପାରେନି ସେ କଷ୍ଟ, ତଥାପି ପ୍ରତିବାଦ କରିପାରେନି କି କାହାକୁ କହି ପାରେନି…. ଦିନେ ରାତିରେ ବୋଉ କକାଙ୍କୁ ଦେଖିନେଲା ମୋ ସହ । ତାକୁ ବୁଝିବାକୁ ବାକି ରହିଲାନି କିଛି । ମୋ ପାଖରେ ବହୁତ କାନ୍ଦିଲା, ହାତଯୋଡ଼ି ନେହୁରହେଲା ଘରଛାଡ଼ି ଚାଲିଯିବା ପାଇଁ । ସେ ହିଁ ଜଣେ ଥିଲା ଯେ ମତେ ବୁଝୁଥିଲା ହେଲେ ସେ ଯେତେବେଳେ ହାତ ଟେକିଦେଲା, ମୋ ପାଖରେ ଅନ୍ୟ କୌଣସି ପନ୍ଥା ନଥିଲା । ସେଇ ରାତିରେ ଘର ଛାଡ଼ିଲି । କୁଆଡ଼େ ଯିବି, କଣ କରିବି, କେମିତି ବଞ୍ଚିବି ସେ ସବୁ କିଛି ଚିନ୍ତା କରିନି । ପାସେଞ୍ଜର ଟ୍ରେନ ଯୋଉଠି ରହିଲା ସେଇଟା ଥିଲା ଖୋର୍ଦ୍ଧା ରୋଡ଼ । ସେଇଠି ଭେଟହୁଏ ଜସ୍ମିନ ସହ ଆଉ ଏ ରବି ପରିବର୍ତ୍ତିତ ହୁଏ ରୋଜିରେ । ନା‘ ବଦଳେ, ବେଶ ବଦଳେ ଆଉ ବଦଳେ ଠିକଣା ବି । ୟା ଭିତରେ ୧୨ ବର୍ଷ ବିତି ଗଲାଣି, ଅନେକ କିଛି ପରିବର୍ତ୍ତନ ହେଲାଣି ହେଲେ ମୁଁ ଆଉ ଫେରିନି ପୋଲସରାକୁ । ନିଜ ରୋଜଗାରରେ ଦୁଇ ଭଉଣୀଙ୍କ ବାହାଘର କରେଇଛି, ବାପାର ଶୁଦ୍ଧକ୍ରିୟା କରେଇଛି ଆଉ ସାନ ଭାଇକୁ ଇଞ୍ଜିନିଅରିଂ ପଢାଉଛି । ସେଦିନର ସେ ରବି, ରୋଜିରେ ପରିଣତ ହେବା ପାଇଁ ଏ ସଭ୍ୟ ସମାଜ ବହୁତ ସାହାଯ୍ୟ କରିଛି ଆଜ୍ଞା । ଆମେମାନେ ବଞ୍ଚୁ ଅନ୍ୟମାନଙ୍କ ଦୟାରେ ଆଉ ସ୍ୱପ୍ନ ଦେଖୁ ଦିନ ଆଲୁଅରେ ଖଣ୍ଡ ଖଣ୍ଡ କରି ଭାଙ୍ଗି ଦେବାକୁ । ତଥାପି ଆମେ ବଞ୍ଚୁ ଅଳ୍ପ ଟିକେ ସ୍ୱପ୍ନ ଦେଖିବାକୁ….
ଏତିକି କହି ଚୁପ ରହିଲା ସେ ଆଉ ହଠାତ ଉଠିପଡ଼ି ଯିବା ପୂର୍ବରୁ କହିଲା–
– “ମୋ ଭଳି ସମସ୍ତଙ୍କର ଏମିତି ଗୋଟେ ଗୋଟେ କାହାଣୀ ଅଛି ଆଜ୍ଞା, ହେଲେ ସେ ସବୁକୁ ଶୁଣିବା ପାଇଁ ଆପଣଙ୍କ ପରି କେତେଜଣ ଅଛନ୍ତି??”
ଚାଲି ଯାଉଥିଲା ସେ ତା‘ ବାଟରେ ଆଉ ମୁଁ ନିର୍ଲିପ୍ତ ନୟନରେ ଚାହିଁ ରହିଥିଲି ତାକୁ । ଭିତରେ ଭିତରେ ମୋ ଅଜାଣତରେ ତା‘ ପ୍ରତି କେମିତି ଗୋଟେ ଅଜଣା ସମ୍ମାନ ଉଙ୍କି ମାରୁଥିଲା । ଇଛା ହଉଥିଲା ତାକୁ ସଲାମ କରିବାକୁ । ଯାଉ ଯାଉ ସେ ଅନେକ ପ୍ରଶ୍ନ ଛାଡ଼ିଗଲା ମୋ ପାଇଁ, ଏ ସମାଜ ପାଇଁ । ସତରେ କଣ ସେମାନେ ଅଲୋଡ଼ା? ସତରେ କଣ ସେମାନଙ୍କ ପାଇଁ ଏ ସଭ୍ୟ ସମାଜରେ ସ୍ଥାନ ସୀମିତ? ସତରେ କଣ ସେମାନେ ଆମପରି ସାଧାରଣ ଭାବେ ବଞ୍ଚି ପାରିବେନି? ତାହେଲେ କାହିଁକି ଘୃଣା କରେ ଏ ସମାଜ ସେମାନଙ୍କୁ?? ଖାଲି କଣ ଆରକ୍ଷଣ କରିଦେଲେ ବା ଭୋଟ ପରିଚୟପତ୍ର କରିଦେଲେ ସେମାନେ ମୁଖ୍ୟ ସ୍ରୋତରେ ସାମିଲ ହେଇଯିବେ?? ସତରେ କଣ ସେମାନଙ୍କ ପ୍ରତି ଆମ ମାନସିକତାରେ ପରିବର୍ତ୍ତନ ଆସିବନି?? ଆହୁରି ଏମିତି ଅନେକ ଅସମାହିତ ପ୍ରଶ୍ନର ଉତ୍ତର ଖୋଜୁଥିଲି ମୁଁ ପ୍ଲାଟଫର୍ମର ବେଞ୍ଚ ଉପରେ ବସି….
– ତାପସ ରଞ୍ଜନ
Comments
ତାପସ ରଞ୍ଜନ ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ସହ-ସମ୍ପାଦକ ଏବଂ ସେ ବିଭିନ୍ନ ଆଧ୍ୟାତ୍ମିକ ତଥା ସାମାଜିକ କଥାବସ୍ତୁ ଉପରେ ଗପ, କବିତା, କାହାଣୀ ଆଦି ରଚନା କରନ୍ତି ।