ଦୁଇ ବର୍ଷ ଧରି କୋମାରେ ରହିବା ପରେ ପରିଶେଷରେ ବୋଉର ଚେତା ଫେରିଥିଲା ଓ ଧୀରେ ଧୀରେ ଉଠି ବସିଥିଲା ସେ । ଏଇଟା ଚମତ୍କାର ଥିଲା କି ଭଗବାନଙ୍କ ଖେଳ ମୁଁ ଜାଣିନାହିଁ । କାଲି ପରି ଲାଗୁଛି ପରା । କିଛି ନାହିଁ ହଠାତ ବୋଉ ଛିଡ଼ା ହୋଇଥିଲା ତ ଦେଖିଲା ବେଳକୁ ଗଛ କାଟିଲା ଭଳି ତଳେ ପଡ଼ିଗଲା ତ ଗଲା ଆଉ ଚେତା ନାହିଁ । ହସ୍ପିଟାଲ ନେଇ ସବୁ ପରୀକ୍ଷା ନିରୀକ୍ଷା କଲାପରେ ଯେତେବେଳେ ଡାକ୍ତର କହିଲେ ଯେ ଭିତରେ ଗୋଟିଏ ସ୍ନାୟୁ ଅଚଳ ହୋଇ ଯାଇଛି ଏବଂ କେବେ ତାହା ପୁଣିଥରେ କାର୍ଯ୍ୟକ୍ଷମ ହେବ କହି ହେବନାହିଁ ସେତେବେଳେ ଯାଇ ଜଣା ପଡ଼ିଲା ବୋଉ କେବେ କୋମାରୁ ଫେରିବ କେବଳ ଭଗବାନ ହିଁ ଜାଣନ୍ତି ସିନା ଡାକ୍ତର ମାନେ ଜାଣି ନାହାନ୍ତି । ହୁଏତ ଦିନେ ଦୁଇ ଦିନ ଲାଗି ପାରେ କିମ୍ୱା ଦୁଇ ବର୍ଷ କିମ୍ୱା ମୋଟେ ନୁହେଁ । ତେଣୁ ଗୋଟିଏ ସପ୍ତାହ ପରେ ବୋଉକୁ କୋମା ୱାର୍ଡ଼କୁ ନେଇଗଲେ ଏବଂ ସେଇଠି ହିଁ ନର୍ସଟିଏ ରହି ବୋଉର ଅଚେତ ଅବସ୍ଥାରେ ଯାହା ଯାହା ସେବା ଶୁଶ୍ରୂଷା ଦରକାର କରୁଥାଏ ।
ଆମେ ପିଲା ଥିଲା ବେଳେ ବାପା ଚାଲିଗଲେ ଓ ତାଙ୍କ ଚାକିରୀ ବୋଉକୁ ମିଳିଲା । ବୋଉ ତା’ର କର୍ତ୍ତବ୍ୟ ସମ୍ପାଦନ କରିବା ସହ ବାପାଙ୍କ ଦାୟିତ୍ତ୍ଵ ବି ସମ୍ଭାଳିବାକୁ ବାଧ୍ୟ ହୋଇଥିଲା । ଅନୁକମ୍ପା ମୂଳକ ଚାକିରୀ ଖଣ୍ଡିଏ ପାଇ ବାପ ଛେଉଣ୍ଡ ପିଲାଙ୍କୁ ସମ୍ଭାଳିବାରେ ଏକୁଟିଆ ନାରୀ ଜଣକ କେବେ ବି ଅବହେଳା କରିନାହିଁ । ସମସ୍ତଙ୍କୁ ଶିକ୍ଷିତ କରାଇ ଆତ୍ମ ନିର୍ଭରଶୀଳ କରାଇ ପାରିଥିଲା ମୋ ବୋଉ । ବୋଉ ଅବସର ନେଲା ବେଳକୁ ଆମେ ସମସ୍ତେ ଚାକିରିଆ । ମୁଁ ବ୍ୟାଙ୍କରେ, ସାନ ଭଉଣୀ ରିନି ଗୋଟେ ସ୍କୁଲରେ ଚାକିରୀ ପାଇଗଲା । ଆଉ ରହିଲା ଭାଇ ଦେବ ଓ ସେ ବି କମର୍ସ ପଢ଼ି ଓଡ଼ିଶାରେ ଗୋଟେ ଫାର୍ମରେ ରହିବାକୁ ପସନ୍ଦ କଲା । ଏବେ ବୋଉର ଚିନ୍ତା ଥିଲା ଆମ ବାହାଘର କରାଇବ ଆଉ ତା’ ପୂର୍ବରୁ ହିଁ ବୋଉର ଏପରି ଅବସ୍ଥା ହେଲା । ବୋଉର ଏମିତି ଅବସ୍ଥା ପରେ ଘରର ଶାନ୍ତି ଶୃଙ୍ଖଳା ଇତସ୍ତତଃ ହୋଇ ଖିନ୍ଭିନ୍ ହୋଇଗଲା ଆମର ଜୀବନଚର୍ଯ୍ୟା ।
ନିଜକୁ କେମିତି କ’ଣ କରି ସମ୍ଭାଳି ନେଇଥଲୁ ଆମେ । ଯାହା ହେଲେବି ଆମର ମୁଣ୍ଡକୁ ହାତ ପାଇ ଗଲାଣି ଏବଂ ଆମେ ଯେ ଯାହା ମର୍ଜିର ମାଲିକ । ଆମକୁ କହିବାକୁ କେହି ନାହିଁ । ତିନି ଭାଇ ଭଉଣୀ ପାଳି କରି ବୋଉକୁ ହସ୍ପିଟାଲ ଦେଖିବାକୁ ଯାଉ । ଘରକୁ ଫେରିଲା ପରେ ଯେ ଯାହାର ରୁମ୍ରେ । ଠାକୁର ପୂଜା ରୋଷେଇବାସ ପ୍ରାୟ ଢଙ୍ଗରେ ହୁଏନି କହିଲେ ଚଳେ । ଠାକୁରଙ୍କ ଘରେ ଶୁଖିଲା ଫୁଲ ମୂର୍ତ୍ତି ଗୁଡ଼ିକରେ ଚନ୍ଦନ ଛିଟା ସେମିତି ଲାଗି ରହିଥାଏ । ଯଦି କାହାର ମନେ ପଡ଼ିଯାଏ ସେ ଯାଇ ଆଳତିଟା ଦୁଇ ଚାରି ଥର ବୁଲେଇ ଆଣେ । ରନ୍ଧା ବଢ଼ା କଥା ନକହିବା ଭଲ । ବାସନ୍ତୀ ବୋଲି କାମବାଲୀଟିଏ ଥାଏ ଝାଡ଼ୁପୋଛା କରି ପରିବାପତ୍ର କାଟିଦେଇ ଚାଲି ଯାଏ । ମୁଁ ନହେଲେ ରିନି ଯାଇ ଯାହିତାହି କ’ଣ ଦି ଟା ରୋଷେଇ କରିଦେଉ ଓ ତିନି ଜଣ ତାକୁ ହିଁ ଖାଇ ଚାଲି ଯାଉ ଆମର ଗନ୍ତବ୍ୟ ପଥରେ । ସନ୍ଧ୍ୟାରେ ବୋଉକୁ ହସ୍ପିଟାଲ ଯାଇ ଦେଖିସାରି ଫେରିଲା ରାସ୍ତାରେ କ’ଣ ଟିକିଏ ଖାଇ ରାତି ପାଇଁ ପାର୍ସଲ ନେଇ ଆସିଲେ କାମ ଶେଷ ।
ଏଇ ଦୁଇ ବର୍ଷ ମଧ୍ୟରେ ଆମ ମାନଙ୍କ ଜୀବନରେ ନୂତନ ଆଗନ୍ତୁକ ମାନଙ୍କର ଆଗମନ ହୋଇ ସାରିଥିଲା । ମୋର ସବୁଠାରୁ ବଡ଼ ସାହାରା ଥିଲେ ସିଦ୍ଧାନ୍ତ ଏବଂ ରିନି ଲଳିତକୁ ତଥା ଦେବ ସୁମିତ୍ରାକୁ ଜୀବନ ସାଥି ରୂପେ ଗ୍ରହଣ କରିବା ପାଇଁ ନିର୍ଣ୍ଣୟ ନେଇ ସାରିଥିଲା । ସିଦ୍ଧାନ୍ତଙ୍କ ସହିତ ମୁଁ ବିବାହକୁ ନେଇ କୌଣସି ନିଷ୍ପତି ନେଇ ନଥିଲି । ଗୋଟେ ବାକ୍ୟରେ କହିଲେ ମୋ ବୋଉ ହିଁ ମୋ ମୁଣ୍ଡରେ ବସା ବାନ୍ଧି ରହିଥିଲା । ତା’ ଛଡ଼ା ଆଉ କାହାରି ବିଷୟରେ ମୁଁ ଭାବି ନାହିଁ । ହଁ ମୋର ଏବେ ଟିକିଏ ଲେଖା ଲେଖି ଆଡ଼କୁ ମନଟା ଢଳିବାରେ ଲାଗିଥିଲା । ବହି କେତୋଟି ଲେଖିଥିଲି ଓ ଅନଲାଇନରେ ବି ଲେଖାଲେଖି ଚାଲିଥିଲା । ଏପରି କରିବା ପଛରେ ମୋର ଗୋଟେ ଉଦ୍ଦେଶ୍ୟ ମୋର ଏକାକୀତ୍ୱକୁ ଭୁଲିଯିବି । ବୋଉ ରହିଲା କୋମାରେ, ବାପା ବି ନାହାନ୍ତି । ଭାଇ ଭଉଣୀ ଯିଏ ଯାହାର ଭାବି ପତି ଓ ପତ୍ନୀ ମାନଙ୍କ ସହିତ ଫୋନରେ ବ୍ୟସ୍ତ ରହୁଛନ୍ତି । କଥାବାର୍ତ୍ତା ଓ ଚାଟିଙ୍ଗରୁ ସେମାନଙ୍କୁ ଫୁରୁସତ କାହିଁ ଯେ ବଡ଼ ଭଉଣୀ ବିଷୟରେ ଭାବିବେ? ସୁତରାଂ ଅଫିସରୁ ଫେରିବା ପରେ ସାହିତ୍ୟ ହିଁ ମୋର ଏକମାତ୍ର ପ୍ରେରଣା ଓ
ସାଥି ।
ହଠାତ ଦିନେ ଦେବ କହିଲା, “ନାନୀ ମୁଁ ଗୋଟେ କଥା କହିଥାନ୍ତି । ଦେଖ ବୋଉ ତ ଭଲ ହେଉନି । ନା ସେ ଭଲ ହେଉଛି ନା ମୁକ୍ତି ପାଉଛି ! ମୁଁ ଆଉ କେତେଦିନ ଅପେକ୍ଷା କରିବି କହିଲୁ?” ମୁଁ ଆଶ୍ଚର୍ଯ୍ୟ ହେଲି କାହାକୁ ଅପେକ୍ଷା କରିବା କଥା ସେ କହୁଛି? ଦେବ ପୁଣି କହିଥିଲା, “ନାନୀ ଦେଖ ବୁଲେଇ ବଙ୍କେଇ କହିବାକୁ ମୁଁ ପସନ୍ଦ କରେ ନାହିଁ । ସୁମିତ୍ରାର ଘର ଲୋକ ମୋ ପାଇଁ ଆଉ କେତେ ଦିନ ଜଗି ବସିଥିବେ? ତାଙ୍କ ଝିଅ ପାଇଁ ସେମାନେ ଆଉ କୋଉଠି ପ୍ରସ୍ତାବ ଦେଖିବେ ନା ।” ନା ମୁଁ ବିସ୍ମିତ ହୋଇ ପାରୁଥିଲି ନା ରାଗି ପାରୁଥିଲି । ସଙ୍ଗେ ସଙ୍ଗେ ରିନି ଯୋଡ଼ିଲା, “ହଁ ନାନୀ ମୋର ବି ସେଇ ସମସ୍ୟା । ଲଳିତଙ୍କ ଘରେ ବି ସେଇ କଥା କହୁଛନ୍ତି । ସେମାନେ ବି ଅନ୍ୟ ଆଡ଼େ ଝିଅ ଦେଖିବେ ବୋଲି କହିଲେଣି ଲୋ ।” ଏତକ କହି ରିନି କାନ୍ଦ କାନ୍ଦ ହୋଇଗଲା । ଆହୁରି ବି କହିଲା, “ଭଗବାନ ନ କରନ୍ତୁ ଯଦି ବୋଉର କିଛି ହୋଇଯାଏ ତେବେ ପୂରା ଗୋଟାଏ ବର୍ଷ ମାରା ହୋଇଯିବ ନା !”
ଆଉ ରହିଲି ମୁଁ । ସିଦ୍ଧାନ୍ତ ମୋତେ ବହୁତ ମାନସିକ ସାହାରା ଦେଇଛନ୍ତି । କେବେ ବି ବିବାହ ପ୍ରସ୍ତାବ ଦେଇନାହାନ୍ତି ହେଲେ କ’ଣ ସିଏ ବି ଏମିତି ବ୍ୟସ୍ତ ହେଉଥିବେ ମୋ ପାଇଁ? ସେଦିନ ବହୁତ କାନ୍ଦ ଲାଗିଲା ମୋତେ । କାହିଁକିନା ଅନାଥ ଅନାଥ ଲାଗିଲା । ମୋତେ ଲାଗିଲା ବୋଉ ବଞ୍ଚି ଥାଇ ବି ମୃତ ପ୍ରାୟ । ମୋ ମନର ଦ୍ୱନ୍ଦ୍ୱ କାହାକୁ କହିବି ଆଉ? ମୋ ମନରେ ସିଦ୍ଧାନ୍ତଙ୍କୁ ନେଇ ପ୍ରବଳ ଦ୍ୱନ୍ଦ୍ୱ । ବହୁତ ଭଲ ପାଏ ତାଙ୍କୁ ମାତ୍ର ସିଦ୍ଧାନ୍ତଙ୍କୁ ବିବାହ କଲେ ମୁଁ ସୁଖୀ ହୋଇ ପାରିବି ନାହିଁ ଯାହା ମୁଁ ଭଲ ରୂପେ ଜାଣିଥିଲି । ତାଙ୍କର ଶଯ୍ୟାଶାୟୀ ପିତା, ପାଗଳ ସାନ ଭାଇ, ଛାଡ଼ପତ୍ର ପରେ ଘରେ ଆସି ରହୁଥିବା ତାଙ୍କ ବଡ଼ ଭଉଣୀ ଓ ତାଙ୍କର ଦୁଇ ଝିଅଙ୍କ ଦାୟିତ୍ତ୍ୱ ସିଦ୍ଧାନ୍ତଙ୍କୁ ବିବାହ ବିଷୟରେ ବୀତସ୍ପୃହ କରାଉଥିବ ନିଶ୍ଚୟ । ମୁଁ ବି ସ୍ୱପ୍ନର ଦୁନିଆରେ ରହି ସ୍ୱପ୍ନର ବୀଜ ବୁଣି କୌଣସି ଭୁଲ ନିଷ୍ପତ୍ତି ନେବାକୁ ଚାହୁଁ ନଥିଲି । ମୋର ଗୋଟିଏ ଭୁଲ ନିଷ୍ପତ୍ତି ଯୋଗୁଁ ମୁଁ ତ ସାରା ଜୀବନ ଜଳିଜଳି ପୋଡ଼ି ମରିବି ତା’ ସହିତ ସିଦ୍ଧାନ୍ତଙ୍କ ପରିବାର ମଧ୍ୟ ଘାଣ୍ଟି ହେବ । ସିଦ୍ଧାନ୍ତଙ୍କର ସଂଘର୍ଷମୟ ଜୀବନରେ ମୁଁ ପ୍ରବେଶ କରି କେବେ ବି ମୋ ପାଇଁ ସୁଖ ସାଉଁଟି ପାରି ନଥାନ୍ତି । ସେଥିପାଇଁ ତାଙ୍କ ପ୍ରତି କୌଣସି ଦୁର୍ବଳତାକୁ ମନ ଭିତରେ ସ୍ଥାନ ଦେଉ ନଥିଲି ଓ ଆଉ କାହାକୁ ବାହା ହେବାର ବି ଯୋଜନା ନଥିଲା ମୋର ।
ଦୀର୍ଘ ଦୁଇ ବର୍ଷ ପରେ ସବୁ ପ୍ରକାର ଧର୍ମ ସଙ୍କଟରୁ ଆମକୁ ମୁକ୍ତ କରି ବୋଉ ଦିନେ ଉଠି ବସିଥିଲା । ଦୁଇ ଦିନ ପରୀକ୍ଷା ନିରୀକ୍ଷା କଲା ପରେ ଡାକ୍ତର ବୋଉକୁ ବିପଦ ମୁକ୍ତ ଘୋଷଣା କରି ଛାଡ଼ିଦେଲେ ଘରକୁ । ସେଥିପାଇଁ ଆମେ ଭାଗ୍ୟବାନ କି ଆମ ବୋଉ ଭାଗ୍ୟହୀନା ଆମେ ଜାଣିନାହୁଁ । ବୋଉ ଭଲ ହୋଇ ଘରକୁ ଆସିଲା ପରେ ଘର ଲୋକଙ୍କ ଜୀବନଚର୍ଯ୍ୟାରେ ଆମୂଳଚୂଳ ପରିବର୍ତ୍ତନ ପୁଣି ଥରେ ଆସିଥିଲା ଯାହା ଆମକୁ ବହୁତ ଅସୁବିଧାରେ ପକାଇଥିଲା । ଏବେ ବୋଉ ତା’ ନିଜର କୌଣସି କାର୍ଯ୍ୟ କରିବା ଅବସ୍ଥାରେ ନଥିଲା । ତା’ ପାଇଁ ବାସନ୍ତୀକୁ ଅଧିକା ପଇସା ଦେଇ ରଖିବାକୁ ପଡ଼ିଥିଲା । ଧୀରେ ଧୀରେ ବୋଉ ଆମକୁ ଠାକୁର ପୂଜାଠୁ ଆରମ୍ଭ କରି ରୋଷେଇବାସ ଆଦି ଛୋଟ ଛୋଟ କାମଗୁଡ଼ିକ ତା’ର ଇଚ୍ଛା ଅନୁଯାୟୀ ବତାଇବାକୁ ଆରମ୍ଭ କଲା ଯେମିତି ସେ ଭଲ ଥିଲାବେଳେ ହେଉଥିଲା । ବୋଉ ଭାବୁଥିଲା ଯେ ତା’ ବିନା ଖିନ୍ଭିନ୍ ହୋଇ ଯାଇଥିବା ତା’ର ଉଜୁଡ଼ା ସଂସାର ତଥା ତା’ର ପିଲାମାନଙ୍କୁ ସେ ପୁଣି ଫେରି ଆସି ରାତାରାତି ସଜାଡ଼ି ଦେବ ବୋଲି ।
କିନ୍ତୁ ଫଳ ହେଲା ଓଲଟା । ରିନି, ଦେବ ଓ ବାସନ୍ତୀ ମଧ୍ୟ ବୋଉର ଖନେଇ ଖନେଇ କହୁଥିବା କଥାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତୁତ ନଥିଲେ । ମୁଁ ନିଜକୁ ସେମାନଙ୍କ ଠାରୁ ଭଲ ବୋଲି କହୁନାହିଁ କିନ୍ତୁ ମୋତେ ବି ବେଳେ ବେଳେ ଅତିଷ୍ଠ ଲାଗେ ଯେ ବୋଉ ସବୁ ଜିନିଷ ପୂର୍ବ ଭଳି ହୋଇଯାଉ ବୋଲି ଚାହୁଁଛି ଯାହା କେବେ ବି ହେବନାହିଁ । ଏ ଘରର ଢାଞ୍ଚା ସେଇଦିନ ଠାରୁ ହିଁ ବିଗିଡ଼ି ଯାଇଥିଲା ଯେଉଁଦିନ ବୋଉ କୋମାକୁ ଚାଲି ଯାଇଥିଲା ।
ବୋଉ ଘରକୁ ଫେରିବା ପରେ ରିନି ଓ ଦେବ ସେମାନଙ୍କର ଭାବି ପତି ଓ ପତ୍ନୀ ସହିତ ସନ୍ଧ୍ୟା ସମୟରେ ଫୋନରେ କଥା ହୋଇ ପାରୁ ନଥିଲେ କାହିଁକି ନା ବୋଉ ସେମାନଙ୍କୁ ସବୁବେଳେ ଆସି ପାଖରେ ବସି ରହିବା ପାଇଁ ଡାକୁଥିଲା । କୋମାରୁ ଫେରିବା ପରେ ବୋଉ ବହୁତ ଡରି ଯାଇଥିଲା କି କ’ଣ । ହଠାତ କାଳେ କ’ଣ ହୋଇଯିବ ବୋଲି ଭାବୁଥିଲା । ସବୁବେଳେ ବୋଉ ସହିତ ରହିବାକୁ ରିନି ଓ ଦେବ କୁଣ୍ଠାବୋଧ କରୁଥିଲେ । ମୋ ଭାଇଭଉଣୀଙ୍କୁ ଦୋଷ ଦେଇ ମୁଁ କ’ଣ ନିଜକୁ ନିର୍ଦ୍ଦୋଷ ବୋଲି ପ୍ରମାଣ କରିବାକୁ ଚାହୁଁଛି କି? ମୋଟେ ନୁହେଁ । ମୁଁ ବି ସିଦ୍ଧାନ୍ତଙ୍କ ସହ ଫୋନରେ କଥା ହୁଏ କିନ୍ତୁ ମୁଁ ବୋଉ ପାଖରେ ବସି ତାଙ୍କ ସହ କଥା ନହୋଇ ପାରିଲେ ସେ ଯେ ମୋ ଠାରୁ ଦୂରେଇ ଯିବେ ଏ ଆଶଙ୍କା ମୋର ନଥାଏ । ସେତିକି ବିଶ୍ୱାସ ମୋର ତାଙ୍କ ଉପରେ ଅଛି । ଦୂରେଇ ଗଲେ ବି କାହାର କିଛି ଲାଭ ବା କ୍ଷତି ନାହିଁ କାରଣ ଆମେ ବିବାହ କରିବାର ଯୋଜନା କରିନାହୁଁ । ଆମେ ଦୁହେଁ କିଛି ନ ହୋଇ ପାରିଲେ ବି ଭଲ ବନ୍ଧୁ ହିସାବରେ ରହି ପାରିଛୁ । ନା ମୋ ଉପରେ ତାଙ୍କର କିଛି ଅଧିକାର ନା ତାଙ୍କ ଉପରେ ମୋର । ଅଧିକାର ରହିଲେ କବଜା ହୁଏ ଏବଂ କବଜା ରହିଲେ ଚଢ଼ଉ କରାଯାଏ । ତେଣୁ ଆମେ ଦୁହେଁ ଏବେ ମୁକ୍ତ ଆକାଶର ବିହଙ୍ଗ ।
ରିନିର ଭାବି ପତି ଲଳିତ ଏବଂ ଦେବର ଭାବି ପତ୍ନୀ ସୁମିତ୍ରା ଥରେ ଦୁଇ ଥର ଆମ ଘରକୁ ଆସି ବୋଉକୁ ଦେଖିସାରି ଗଲେଣି । ମୁହଁରେ ସେମାନଙ୍କର ବ୍ୟସ୍ତତା ଦେଖି ମୁଁ ସ୍ପଷ୍ଟ ରୂପେ ଜାଣି ପାରୁଛି ଯେ ବୋଉ ହସ୍ପିଟାଲରୁ ସିଧା ଶ୍ମଶାନ ଚାଲି ଯାଇଥିଲେ ହୁଏତ ସେମାନେ ବେଶୀ ଆଶ୍ୱସ୍ତ ହୋଇଥାନ୍ତେ । ଏବେ ବୋଉ ଆସି ଦରମରା ହୋଇ ଘରେ ପଡ଼ିଛି । ନା ମରୁଛି ନା ବଞ୍ଚୁଛି ତେଣୁ ତାଙ୍କର ବାହାଘରଟା ବି ସେମିତି ଶୂନ୍ୟେ ଶୂନ୍ୟେ ଝୁଲି ରହିଛି ।
ଏବେ ତ ବାହାଘର ପ୍ରସଙ୍ଗ ଉଠାଇ ହେବନାହିଁ କାରଣ ବୋଉ ଅଳ୍ପ ଦିନ ହେଲା କୋମାରୁ ଉଠିଛି । ଏଣେ ଯଦି ବୋଉର କିଛି ହୋଇଯାଏ ତେବେ ପୂରା ବର୍ଷେ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଶୁଭ କାର୍ଯ୍ୟ ବନ୍ଦ । ଲଳିତ ଆମର ଭାଇ ଭଉଣୀଙ୍କ ସାମ୍ନାରେ କହି ଉଠିଲା ଯେ ବୋଉର ଯଦି କିଛି ହୋଇଯାଏ ତେବେ ଓଡ଼ିଆ ପାଞ୍ଜିରେ ସିନା ଶୁଭକାର୍ଯ୍ୟ ନିଷେଧ କିନ୍ତୁ ଅନ୍ୟ କେଉଁ ପାଞ୍ଜିରେ ପୁଣି ତାହା ସମ୍ଭବପର ହେଉଛି । ଲଳିତ ଯାହା କହିବ ଏଡ଼େ ପାଟିରେ କହିବ ଯେ ସାହିର ଏ ମୁଣ୍ଡରୁ ସେ ମୁଣ୍ଡ ଯାଏଁ ଶୁଭିବ । ସେ ଦାଣ୍ଡ ଘରେ କହୁଥାଏ ଏବଂ ତାହା ପଢ଼ା ଘର ପର୍ଯ୍ୟନ୍ତ ଯଦି ଶୁଣାଗଲା ତେବେ ପାଖ ରୁମ ଯୋଉଠି ବୋଉ ଶୋଇଛି ସେଠାରେ ଶୁଭିବା କିଛି ଅସମ୍ଭବ ନୁହଁ ।
ବୋଉ ଭଲରେ କଥା କହି ପାରୁ ନଥାଏ । ଖାଲି ଖଟ ବାଡ଼ାରେ ତକିଆକୁ ଆଉଜି ବସି ଆମକୁ ତା’ ପାଖରେ ବସିବାକୁ କହୁଥାଏ । ଯେଉଁଦିନ ରିନି ଲଳିତକୁ ନେଇ ବୋଉ ସହ ଭେଟ କରାଇଲା ବୋଉ କିଛି କହି ନଥିଲା ବରଂ ମୋତେ ହାତ ଠାରି ପାଖରେ ବସିବା ପାଇଁ ଡାକିଥିଲା । ବୋଉ କେଉଁ ଉଦ୍ଦେଶ୍ୟରେ ଏହା କରିଥିଲା ତାହା ଏବେ ମୁଁ ବୁଝୁଛି । ବୋଉ ପରୋକ୍ଷରେ ରିନିକୁ ଜଣାଇ ଥିଲା ଯେ ତା’ର ବଡ଼ ଝିଅ ଏ ପର୍ଯ୍ୟନ୍ତ ଅବିବାହିତା ରହିଛି । ରିନି ମୁହଁର ଭାବ ଗୋଟିଏ ଘାଇଲା ବାଘୁଣୀ ପରି ହୋଇ ଯାଇଥିଲା ଯାହା ମୋ ଆଖିରୁ ବାଦ ଯାଇନଥିଲା । ମଣିଷ ମାତ୍ରକେ ସ୍ୱାର୍ଥପର । ସୁତରାଂ ରିନି ବା ସେଥିରୁ ବାଦ ଯାଆନ୍ତା କିପରି । କିନ୍ତୁ ବୋଉ ବି ବୁଝିବା କଥା ଯେଉଁ ଘରେ ବଡ଼ ଝିଅ ବିବାହ କରି ଘର ସଂସାର କରିବାକୁ ଅନିଛୁକ ସେଠାରେ ସାନ ଭାଇଭଉଣୀମାନେ କ’ଣ ସାରା ଜୀବନ ତାକୁ ଅପେକ୍ଷା କରି ବସିଥିବେ କି?
ସେଦିନ କିନ୍ତୁ ମୋତେ ବହୁତ କାନ୍ଦ ଲାଗିଥିଲା । କାହିଁକି ଜାଣେନି । ସିଦ୍ଧାନ୍ତ ମୋତେ ଭଲ ଲାଗନ୍ତି କିନ୍ତୁ ତାଙ୍କ ସହିତ ଘର ସଂସାର କରି ସମସ୍ୟାର ଅଥଳ ଗର୍ଭରେ ବୁଡ଼ି ବୁଡ଼ି ବାହାରେ ହସ ଫୁଟାଇବାର କଳା ମୋତେ ଜଣା ନଥିଲା । ଆଉ ଯାହାକୁ ଜାଣିଛି ତା’ ସହିତ ଯଦି ସଂସାର ଗଢ଼ି ନ ପାରିଲି ଆଉ ଜଣେ ଅଜଣା ବ୍ୟକ୍ତି ସହିତ କିପରି ସାରା ଜୀବନ ପାଇଁ ଛନ୍ଦି ହୋଇ ରହିବି । ସୁତରାଂ ଅବିବାହିତ ରହିବା ହିଁ ମୋ ପକ୍ଷରେ ଶ୍ରେୟସ୍କର ଥିଲା । ଦୁଃଖ ଲାଗୁଥିଲା ବୋଉ ପାଇଁ ଯେ କି ଏପରି ଅବସ୍ଥାରେ ବି ମୋ କଥା ଭାବୁଛି ହେଲେ ତା’ର ଏ ଅବସ୍ଥାରେ ମୁଁ କୌଣସି ବିଷୟରେ କହି ତା’ର ଚିନ୍ତା ବଢ଼ାଇବାକୁ ଚାହୁଁ ନଥିଲି ।
ବୋଉ ଘରକୁ ଆସିଲା ପରେ ମାତ୍ର ଦୁଇ ସପ୍ତାହ ଆମ ସହିତ କଟାଇଥିଲା । ବୋଧେ ସେ ତା’ର ପିଲାମାନଙ୍କୁ ଅସହାୟ ଅବସ୍ଥାରେ ଛାଡ଼ି ଚାଲି ଯିବାକୁ ଚାହୁଁ ନଥିଲା । ତେଣୁ ବଞ୍ଚିବାର ମୋହ ଯୋଗୁଁ କୋମାରୁ ବାହାରି ଚାଲି ଆସିଲା ସିନା କିନ୍ତୁ ଆସିଲା ପରେ ଅଳ୍ପ କେତେ ଦିନ ରହି ଦେଖିଲା ଯେ ତା’ ବିନା ତା’ ପିଲାମାନେ ନିଜେ ନିଜର ରାସ୍ତା ବାଛି ବଞ୍ଚିବାର କଳା ଶିଖି ଗଲେଣି । ବରଂ ସେ ନିଜେ ଏବେ ଅନ୍ୟ ମାନଙ୍କର ମୁଣ୍ଡ ବଥାର କାରଣ ହେଉଛି । ତେଣୁ ଏଠାରେ ତା’ର ରହିବାର ଆବଶ୍ୟକତା ଆଉ ନାହିଁ । ଦିନେ ରାତିରେ ଖାଇପିଇ ଶୋଇଥିଲା ଏବଂ ତହିଁ ପରଦିନ ଆଉ ଉଠି ନଥିଲା ।
ବୋଉ ସମସ୍ତଙ୍କ ରାସ୍ତାରୁ ଅଚିରେ ହଟି ଯାଇଥିଲା । ବୋଉର ସତ୍କାର କାର୍ଯ୍ୟ ସବୁ ସରିବା ପରେ ରିନି ଓ ଦେବ ଅନ୍ୟ କେଉଁ ପାଞ୍ଜିକୁ ଅନୁସରଣ କରି ବିବାହ କଲେ ମୂର୍ତ୍ତିକିୟା ଦୋଷ ଲାଗିବ ନାହିଁ ବୋଲି ନିଜ ନିଜର ଭାବି ଜୀବନସାଥି ମାନଙ୍କ ସହିତ ବିଚାର ବିମର୍ଶ ଚଳାଇ ଥିଲେ । ସିଦ୍ଧାନ୍ତ ଏବଂ ମୁଁ ଦୁଇଟି ସମାନ୍ତରାଳ ରେଖା ଭଳି ଚାଲିଥିଲୁ ଓ ନିୟମିତ ସେ ମୋତେ କେମିତି ମାନସିକ ଭରସାମ୍ୟ ରଖିହେବ କିପରି ଧୈର୍ଯ୍ୟ ଧରି ବୋଉର ଦୁଃଖକୁ ସମ୍ଭାଳି ହେବ ଇତ୍ୟାଦି ଗୁଡ଼ାଏ ଉପଦେଶ ଦେଇ ଚାଲିଥିଲେ । ମୁଁ ଧୀରେ ଧୀରେ ଅନୁଭବିର ନଜରରେ ହୃଦୟଙ୍ଗମ କରୁଥିଲି ଯେ ସଂସାର ଏମିତି ଚାଲିଛି ଓ ଚାଲୁଥିବ । କାହାରି ଅବର୍ତ୍ତମାନରେ କେହି ଭାସି ଯାଆନ୍ତି ନାହିଁ ।
– ପଦ୍ମାଳୟା ପାଢ଼ୀ
Comments

ପଦ୍ମାଳୟା ପାଢ଼ୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।