ହେ ବର୍ଷା !
କେତେବେଳେ ତୁମେ
ଶାନ୍ତ ନିରବ ଶବ୍ଦରେ ମନର କୋହ
ଆଉ କେତେବେଳେ
ବଜ୍ର ବତାସରେ ଆଖିର ଲୁହ ॥
ହେ ବର୍ଷା !
ଅବାସ୍ତବକୁ ବାସ୍ତବ କରି
ଦେଖେଇଥିଲ କେତେ ସ୍ୱପ୍ନ
ତୋଳି ଆଣିବାକୁ ଇଚ୍ଛା କରିଥିଲ
ସେ ପରୀ ରାଇଜର ଜହ୍ନ ॥
ହେ ବର୍ଷା !
କେତେ ଚିତ୍ର ପୁଣି ଅନ୍ଧାର ଭିତରେ
ପ୍ରତିଛବି କରି ଆଙ୍କୁଥିଲ
ଭାବନା ରାଇଜ ରଙ୍ଗ ସବୁ ଆଣି
ମନ ଇଲାକାରେ ଢାଳୁଥିଲ ॥
ହେ ବର୍ଷା !
ସବୁଜ ଘାସ ଗାଲିଚା କଡ଼େ କଡ଼େ
ତୋଳିଥିଲି ପ୍ରେମ ନଅର
ହେଲେ ବଡ଼ ବଡ଼ ଇଟା କାନ୍ଥରେ
ଗଢ଼ା ତୁମର ସେ ସହର ॥
ହେ ବର୍ଷା !
ଆଜି ବି ମନ ଭିତରେ
ଅଶାନ୍ତ ସାଗର ମାଡ଼ି ଆସେ
କେବେ କେବେ ଅବପାତର ରୂପ ନେଇ
ସ୍ୱପ୍ନର ଝଡ଼ ବର୍ଷା ସୃଷ୍ଟି ହୁଏ ॥
ହେ ବର୍ଷା !
ମାଗିଥିଲ ତୁମେ ବ୍ୟକ୍ତିଗତ ସମୟ
ଯାହା ପାଇଁ ଥିଲ ପାଗଳ ପ୍ରାୟ
ତୁମ ବିନା ପ୍ରିୟା ଆଜି ବିି ବଞ୍ଚିଛି
ଶୁଣିଲେ ତୁମକୁ ଲାଗିବ ଭୟ ॥
ହେ ବର୍ଷା !
ସଜ୍ଞାହୀନ ଆଉ ଲକ୍ଷ୍ୟହୀନ
ମୁଁ ପଥପ୍ରାନ୍ତ ବୋଟେଇ
ସ୍ଥିତି ଆଉ ପରିସ୍ଥିତିଠାରୁ ଦୂର
ମୋ ବାସଘର ଆଉ ସ୍ନେହର ଛାଇ ॥
ହେ ବର୍ଷା !
ରାତି ନିଦ ସ୍ୱପ୍ନ ଭାବନା
ମନରେ ତୋଳନ୍ତି ଉଆସ
ସ୍ମୃତି ତଳେ ଥିବା ଜଳନ୍ତା ନିଆଁ
ଜାଳି ପୋଡ଼ି କରେ ସର୍ବନାଶ ॥
ହେ ବର୍ଷା !
ମନ କୁହେ ତୁମେ ଫେରିବ ନିଶ୍ଚୟ
କେଉଁ ଏକ ଉଲକା ପିଣ୍ଡ ଭଳି
ହାତେ ହାତ ଛନ୍ଦି ନେଇଯିବ ମୋତେ
ବିଶ୍ୱ ବ୍ରହ୍ମାଣ୍ତକୁ ଲୁହରେ ଜାଳି ॥
– ସଂଗ୍ରାମ ମହାରଣା
Comments
ସଂଗ୍ରାମ ମହାରଣା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।