ଆମ ମାଉସୀ ଅଧା ବିଲାତରେ ରୁହେ ବୋଲି ଆଈ ର ସବୁବେଳେ ମନ କଷ୍ଟ। କଣ ବା କରିବ, ଭଲ ପାତ୍ର ଦେଖି ଝୁଅ ର ହାତକୁ ଦିହାତ କରିଥିଲା। ତା ଜ୍ୱାଇଁ ଟି ପୋଲିସ୍ ଚାକିରି କରିଛି ଆଉ ଝୁଅ ବି ଖୁସିରେ ଅଛି କିନ୍ତୁ ତାକୁ ଦେଖିବାକୁ ମନ କଲେ ହଠାତ୍ କିନ୍ତୁ ହୋଇପାରେ ନାହିଁ। ତା ପାଖକୁ ଯାଇ ଆସିବା ପାଇଁ ପୁଞ୍ଜାଏ ଟଙ୍କା ଦରକାର। ଅବଶ୍ୟ ଦିନି ପାକିଟି ଫୁନ୍ ରେ ଘଡ଼ିଏ କଥା ନହେଲେ ରହିପାରେନା। ଏଣେ ନାତିଟିଏ ହେଇଛି, ଇଏ କଣ କମ୍ କଥା। ଯେତେ ହେଲେ ମା ମନ, ବେଳେ ବେଳେ ବୁଢ଼ୀ ସକେଇ ସକେଇ କାନ୍ଦେ। ଗାଁ ର ଆଉ ଚାରିଟା ଘରକୁ ପୁଣ୍ୟ ପର୍ବରେ ଝିଅ-ଜ୍ୱାଇଁ ଆସୁଛନ୍ତି, କିନ୍ତୁ ତା ଝୁଅ ସୁବିଧା ହେଲେ ବର୍ଷ କୁ ଥରେ ଆସିବ।
ଏମିତି ଏମିତି ଦିନାକେତେ ଚାଲିଗଲା। ଥରେ ମାଉସୀ ତା ଛୋଟ ପୁଅକୁ ଧରି ଘରକୁ ଆସିଥାଏ, ଜ୍ୱାଇଁ ବି ସାଙ୍ଗରେ ଆସିଥିଲେ। କିନ୍ତୁ ପୁଲିସିଆ ଲୋକ କଣ ଗୋଟାଏ ବଡ ଗୁରୁତର କାମ ଅଛି ବୋଲି ତାର ଆସିଲାରୁ ସେ ମା ପୁଅ ଙ୍କୁ ଛାଡି ଚାଲିଗଲେ। ଗଲାବେଳେ କହିଗଲେ ଛୁଟି ପରେ ଯିବାପାଇଁ। ଏତେ ଦିନ ପରେ ଜ୍ୱାଇଁ ଙ୍କୁ ଟିକେ ଭଲରକମ ଚର୍ଚ୍ଚା କରିନପାରିବାରୁ ବୁଢ଼ୀ ର ମନ ଉଣା ହୋଇଗଲା।
ସୁଅ ମୁହଁରେ ପତର ପଡ଼ି ଚାଲିଯିବା ଭଳି ଛୁଟି ଗୁଡ଼ା ସରିଗଲା। ମାଉସୀ ର ଯିବା ବେଳ ଆସିଗଲା। ଏତିକିବେଳେ ଜ୍ୱାଇଁ ଫୋନ କରି କ ହିଲେ ପୁଅ ଛୋଟ ଅଛି ଆସିଲା ବେଳେ ବୋ ଉଙ୍କୁ ସାଙ୍ଗରେ ନେଇଆସ ଆଉ ଏଠି ବାହାରେ କିଛିଦିନ ରହିଲର ତାଙ୍କୁ ଟିକେ ଭଲବି ଲାଗିବ। କିନ୍ତୁ ସେଠିକି ବ୍ୟୋମଯାନ ରେ ଯିବା କୁ ହବ ଏଥିପାଇଁ ବୁଢ଼ୀ ର ଖୁସି ଯେତିକି ଡର ବି ସେତିକି ଲାଗୁଥାଏ।
ଯିବା ଦିନ ବୁଢ଼ି ଝିଅ ଆଉ ନାତିକୁ ଧରି ବାହାରିଲା ସାଙ୍ଗରେ ଆମ ମାମୁଁ ବି ସେମାନଙ୍କୁ ଛାଡ଼ିବା ପାଇଁ ଯାଉଥାନ୍ତି। ଗାଁ ରୁ ପେଡ଼ିପେଟରା ଧରି ସମସ୍ତେ ରାତି ଜଗନ୍ନାଥ ଏକ୍ସପ୍ରେସ୍ ରେ କଲିକତା ବାହାରିଲେ। ହାଓଡ଼ା ଷ୍ଟେସନ ରେ ଓହ୍ଲାଇ ହଳଦିଆ କଳା ମାର୍କା ରାଜକୀୟ ଅମ୍ବାସାଡର ଟାକ୍ସି କରି ଦମଦମ ବିମାନ ଘାଟିରେ ପହଞ୍ଚିଲେ। ବିମାନ ଛାଡ଼ିବାକୁ ଢ଼େର୍ ବେଳଥିବାରୁ ସମସ୍ତେ ସେଠି ବସିଥାଆନ୍ତି। ଆଈ ର ନାତିଟୋକା ଛୋଟିଆ ଛୁଆ ଟା ତାକୁ ନିଦ ଆସିବାରୁ ସେ ଶୋଇପଡ଼ିଲା। କେତେ ବା ତାକୁ କୋଳରେ ବୁଢ଼ୀ ଧରିବ, ସେଠୁ କଣ କଲା ଚଉକି ରୁ ଓହ୍ଲେଇ ତଳେ ଗୋଡ଼ଲମ୍ବେଇ ବସି ପଡ଼ି ଲୁଗା କାନିକୁ ମେଲେଇ ଦେଇ ତା ଉପରେ ନାତିକୁ ଶୁଆଇ ଦେଲା। ୟାକୁ ଦେଖି ଡିଉଟି ରେ ଥିବା ଗାର୍ଡ ଆସି ଭଲରେ ବସିବା ପାଇଁ ତାଗିଦ କଲା ହେଲେ କଣ ହବ ବୁଢ଼ି କି ଶୁଣେ ଓଲଟା ଗାର୍ଡ କୁ କହିଲା ଯଦି ମୋ ନାତି ଉଠେ ତୋ ବେକ ଝୁଣି ଦେବି। ଏଠି ପାଟି ନ କରି ଚୁପଚାପ୍ ଚାଲିଯା, ବୁଢ଼ିର ଏ ଋପ ଦେଖି ବିଚରା ଗାର୍ଡ ନରମିଗଲା ଯାଇ ତାଙ୍କ ସୁପରଭାଇଜର ଙ୍କୁ ଫେରାଦ ହେଲା। ସେ ଭଦ୍ରଲୋକ ଜଣେ ପଞ୍ଜାବୀ ଲୋକ, ସେ ଆସି ସବୁ ଦେଖିଲେ, କଥାବାର୍ତ୍ତା ରୁ ଜାଣିଲେ ବୁଢ଼ି କିଛି ଶୁଣିବା ଅବସ୍ଥାରେ ନାହିଁ। ସେ ବି ପରାସ୍ତ ସୈନିକ ଟି ପରି ଚାଲିଗଲେ। କିଛିସମୟ ପରେ ବୁଢ଼ି ଗୁଡ଼ାଖୁ ଡବା ବାହାରକଲା; ଅର୍ଥାତ୍ ଛେପ ନିହାତି ପକେଇବ, ମାମୁଁ ମନାକରୁଥାନ୍ତି ବିମାନବନ୍ଦରରେ କଣ ଗୁଡ଼ାଖୁ ଘସିବ ନା କଣ। ଏଠି ସବୁଯାଗାରେ କ୍ୟାମେରା ଲାଗିଛି ଆଉ ଗାର୍ଡ ମାନେ ଜଗିଛନ୍ତି। ଆଉ ସେ ଗାଳିଖିଆ ଗାର୍ଡ ଏପଟସେପଟ ହଉଥାଏ ଧରିବାପାଇଁ। ହେଲେକଣ ହବ କିଛିସମୟ ପରେ ଦେଖିଲା ବେଳକୁ ଆଈ ଗୁଡ଼ାଖୁ ପର୍ବ ସାରି ସିଆଡ଼ୁ କୁଆଡୁ ୪ ଖଣ୍ଡ ଦାନ୍ତକାଠି ଧରି ଆସିଲା କହିଲା ଆରେ ସେ ବେଗ୍ ରୁ ସବୁ କାଢ଼ିବାକୁ ଡେରିହବ ଏଥିରେ ସମସ୍ତେ ଦାନ୍ତ ଘସି ଦିଅ। ଦାନ୍ତକାଠି କୁ ଦେଖି ବିଚରା ଗାର୍ଡ ଥମ୍ ହେଇ ଠିଆ ହେଇଥାଏ, କୋଉଠୁ ଆଣିଲେ କିନ୍ତୁ ପଚାରିବାକୁ ଭରସି ପାରୁନଥାଏ। ମାମୁଁ ଆଉ ମାଉସୀ ମନାକଲାରୁ ବୁଢ଼ୀ ୩ ଖଣ୍ଡ କାଠି କୁ ମୁଣାରେ ରଖିଦେଲା ନିଜେ ଯାଇ ଦାନ୍ତ ଘସି ଆସିଲା। ଏସବୁ ପରେ ମାମୁଁ ପଚାରିଲେ ସତକହିଲୁ କାଠି କୋଉଠୁ ପାଇଲୁ ଆଉ ତାକୁ କୋଉଠି ପକେଇଲୁ ବୋଲି ପଚାରିଲାରୁ ବୁଢ଼ି କହିଲା ମଲା ଏତେ ସୁବିଧା ଅଛି ପଚାରୁଛୁ କଅଣ!!
ବୁଝୁ ବୁଝୁ ଏତେ ସବୁ ଥାଇ ବି ବୁଢ଼ି କଣକରିଛି, ବଡ଼ ବଡ଼ କୁଣ୍ଡରେ ଯୋଉ ଖଜୁରୀ ଜାତିଆ ଗଛ ଲଗାହୋଇଥିଲା ତାରି ମୁଳରେ ଚୁପରେ ଯାଇ ଗୁଡ଼ାଖୁ ଛେପ ପକେଇଛି ଆଉ ସେଥିରୁ ତଳୁ ଦେଖି କି ଚାରିଖଣ୍ଡ କାଠି ଭାଙ୍ଗିଆଣିଛି। କେହିବି ଟେର୍ ପାଇଲେନି।
ସମୟ ହେଲାରୁ ସମସ୍ତେ ବିମାନରେ ବସି ଗନ୍ତବ୍ୟସ୍ଥଳକୁ ଗଲେ। ବୁଢ଼ି ତ କିଛିଦିନ ପରେ ଫେରିଲା, ତାର ଏ କାରନାମା ମାମୁଁଙ୍କ ଠାରୁ ଶୁଣି ଆମେ ବହେ ହସିଲୁ।
ବି.ଦ୍ର.– ଘଟଣା ଟି ଏକ ସତ ଘଟଣା, କାଳ୍ପନିକ ନୁହେଁ ।
– ଅଖିଳ ନାରାୟଣ ଦାସ
Comments
ସ୍ୱର୍ଗତ ଅଖିଳ ନାରାୟଣ ଦାସ ନିଶାରେ ଜଣେ ଭ୍ରମଣକାରୀ ଥିଲେ । ସେ ଭ୍ରମଣ କାହାଣୀ ରଚନା କରିବା ସହିତ ଅନେକ ମଜାଳିଆ ଗପ କବିତା ଆଦି ରଚନା କରିଥିଲେ । ଯେତେବେଳେ ଇଣ୍ଟରନେଟରେ ଓଡ଼ିଆ ଭାଷାର ସ୍ଥାନ ନଗଣ୍ୟ ଥିଲା, ସେତେବେଳେ ସେ ଓଡ଼ିଆରେ ଗପ ଓ କବିତା ଆଦି ତାଙ୍କ ବ୍ଲଗ୍ରେ ସେୟାର୍ କରୁଥିଲେ ଏବଂ ଟୁଇଟର୍ରେ ଖିଲିଖିଲିଆ ତଥା ନାକଟା ଚିତ୍ରକର ଭାବରେ ସେ ବେଶ୍ ଜଣାଶୁଣା ଥିଲେ ।