ଗଲେ ସେ ଚାଲି

Odia Poem Gale Se Chali (ଗଲେ ସେ ଚାଲି) by Nibedita Nayak

ସରନ୍ତା ନି କି ଏ ରେଳ ଧାରଣା
ଅଟକି ଯାଆନ୍ତା କି ଏ ସମୟ
ପୂରଣ ହେଇଯାଆନ୍ତା ଭାବନା
ପାଖେ ରହି ଯା’ନ୍ତେ ମୋ ଆପଣା ।୧।

ହୁଏ କାଇଁ ଅଧୈର୍ଯ୍ୟ ମନ ମୋର
ଲାଗୁଛି ବୋଧେ ତାକୁ ବହୁତ ଡର
ଦୁଃଖ କି ତା’ଠୁ ଦୂରେଇ ଯିବାର
ଭୀଷଣ କଷ୍ଟ କି ବିଚ୍ଛେଦ ହେବାର ।୨।

ପ୍ରଥମ ଦେଖରେ କଳ୍ପନା ଯାହା ଥିଲା
କେଜାଣି କେବେ ତାହା ବଦଳିଗଲା
ଅବିଚ୍ଛେଦ୍ୟ ଅଂଶ ସେ ମୋ ଜୀବନର
ସବୁ ଦୁଃଖ ସୁଖର ଏବେ ଭାଗୀଦାର ।୩।

ବୁଝିଯାଏ କ’ଣ ମୋ ମନେ ଚାଲୁଥାଏ
ଦୂରେ ଗଲେ ଆଖିରେ ଲୁହ ଆସିଯାଏ
ଉପସ୍ଥିତି ତା’ର ସତେ ନିଦାଘରେ ନୀର
ଅନୁପସ୍ଥିତିରେ ଜନ୍ମ ସ୍ଥିତି ମୃଗତୃଷ୍ଣାର ।୪।

ଚନ୍ଦନର ସ୍ପର୍ଶ ସେ ପ୍ରଚଣ୍ଡ ରବିରେ
ନବ କଳିକା ସେ ବରଷା ଋତୁରେ
ଶୀତରେ ସେ ଶ୍ୱେତ କାକରର ବିନ୍ଦୁ
ନୟନରେ ତା’ର ସମାହିତ ସପ୍ତ ସିନ୍ଧୁ ।୫।

ପୁଣି କେବେ ଦେଖା ହେବି ମୁଁ ଭାବି ହଉଥାଏ
ଘରକୁ ତା’ର ବୁଲିଯିବାକୁ ସୁଯୋଗ ଖୋଜୁଥାଏ
ଭାଗ୍ୟ ଭଲ ମୋର କି ଦୟା ଜଗନ୍ନାଥଙ୍କର
ମିଳିଯାଏ ମଉକା ତା’ ସହ ଦେଖା ହେବାର ।୬।

– ନିବେଦିତା ନାୟକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...