ସରସ୍ୱତୀ ପୂଜା କି ଗଣେଶପୂଜା ଆସିଲେ ମୋ ମନ କୁଣ୍ଢେମୋଟ ହେଇଯାଏ, କାରଣ ଗୋଟେ ପଟେ ସ୍କୁଲର ପୂଜା ଅନ୍ୟଟି ହେଲା ବହୁ ପ୍ରତିକ୍ଷୀତ ଏକ ସୁନ୍ଦର ଖାଦ୍ୟ ଖାଇବାର ମଉକା ମିଳେ । କେଜାଣି କାହିଁ ପୂଜା ପୂର୍ବ ଦିନ ରାତିଟା ବି ଅଧିକ ଲମ୍ବା ଭଳି ଲାଗେ । ସବୁ ପିଲାଙ୍କ ପରି ସକାଳୁ ଉଠି, ଫୁଲ ତୋଳି ଗାଧେଇ ହେଇ ନୂଆ ଡ୍ରେସ ପିନ୍ଧି ମା’ ପାଖେ ହଜାର ହେଇଯାଏ ।
ମାଆ ମୋ ମୁହଁକୁ ଚାହିଁ ଚୁପ୍ କିନା ହସି ଦେଇ କହେ, “କିରେ ଏବେ ସ୍କୁଲ ଯାଉନୁ ପୁଣି କ’ଣ ହେଲା?” ମୁଁ ବି ତା’ ମୁହଁକୁ ଚାହିଁ ଏକ ଲମ୍ବା ହସ ହସିଦିଏ । ଏହା ଭିତରେ ଏକ ସୁନ୍ଦର କାମଟିଏ ବାକି ରହିଯାଇଥାଏ, ସେଇଟିକୁ ମାଆ ଜାଣି ଜାଣି ଡେରି କରେ । ସେ ଚାହେଁ ମୁଁ ତାକୁ ମୁହଁ ଖୋଲି କିଛି ପଇସା ମାଗେ । ତା’ ପରେ ସେ ତା’ କେଉଁ ଅଜା ଅମଳରୁ ଛୋଟ ନାଲି ମୁଣିରୁ ତିନି ଟଙ୍କା ପଚାଶ ପଇସା ବାହାର କରି ଦିଏ ଆଉ କହେ ୫୦ ପଇସାରେ ଭେଟି ଦେବୁ ଆଉ ୩ ଟଙ୍କାରେ ତ ମନ ମୁତାବକ କ’ଣ କିଣି ଖାଇନବୁ, ହଁ ଜମା ବେଲୁନ୍ କି ଚକ୍ରି କିଣିବୁନି । ସେ ଠିକ ଜାଣେ ମୁଁ ସେ ତିନି ଟଙ୍କା କ’ଣ କରିବି । ମୁଁ ତା’ ମୁହଁରେ ଗୋଟେ ବଡ଼ ଗେଲ କରି ବାହାରି ଯାଏ ସ୍କୁଲ ।
ବାଟରେ ଗଲାବେଳେ ମୁଁ ସେ ପଇସା ତକକକୁ ବାରମ୍ବାର ତନଖି କରୁଥାଏ କାଳେ ସେଇତକ ନ ହଜିଯାଉ । ପୂଜା ସରିଲା ପରେ ମୁଁ ସିଧା ପହଞ୍ଚି ଯାଏ ସ୍କୁଲ ପାଖ ବାବୁ ଭାଇ ତେଲଭାଜି ଦୋକାନ ପାଖରେ । ସେଇ ତିନି ଟଙ୍କାରେ ବରାଦ କରିଦିଏ ଆଳୁଦମ୍ ଓ ଗୁଲୁଗୁଲା । ସେ ଦୁଇ ଟଙ୍କାରେ ପ୍ଲେଟ ଭର୍ତ୍ତି ଆଳୁଦମ୍ ଓ ଟଙ୍କାଟିରେ ଦୁଇଟି ଗୁଲୁଗୁଲା ଦିଏ । ପ୍ଲେଟଟିକୁ ହାତରେ ଧରି ମୋତେ ଲାଗେ ବାବୁ ଭାଇ ବୋଧେ ମୋ ହାତରେ ଅମୃତର ଥାଳି ଧରେଇ ଦେଉଛି । ଗୁଲୁଗୁଲା ଓ ଆଳୁଦମ୍ ପ୍ରତି ମୋର ଅହେତୁକ ଦୁର୍ବଳତା, ସେଥିଲାଗି ମା ଜାଣିଜାଣି ତିନି ଟଙ୍କା ପଚାଶ ପଇସା ହିଁ ଦେଇଥାଏ । ଗୁଲୁଗୁଲା ଓ ଆଳୁଦମ୍ର ମଜା ନେଲା ବେଳେ ଭାବୁଥାଏ ସବୁଦିନ ସ୍କୁଲରେ ପୂଜା ହୁଅନ୍ତାକି ସବୁଦିନ ଅମୃତ ଟିକେ ଟିକେ ମିଳିଯାଅନ୍ତା ।
ସମୟ ଚକ୍ରରେ ବେଳେବେଳେ ଜୁଆର ଉଠେ ଆଉ ସେ ଜୁଆର ଉଠିଛି ମୋ ନିଜ ଘରେ ମାତ୍ର କେଇତକ ଟଙ୍କା ପାଇଁ । ମୋ ସ୍ତ୍ରୀ ନାଁ ସିନା ସୀମା କିନ୍ତୁ ତା’ର ଜିଦି୍ ଅସୀମ ଟଙ୍କା ପଇସାର । ଏମିତି ହିସାବ ରଖେ ଯେମିତି କେଉଁ ଏକ ବିଦେଶୀ ବିଶ୍ୱବିଦ୍ୟାଳୟରୁ ପାଠ ପଡ଼ିଛି । ସେଦିନ ସୀମା ମାଆକୁ କହିଥିଲା, “ମନ୍ଦିରରୁ ଭୋଗ ସରିଲା ପରେ ଆଉ ଯେଉଁ ପାଞ୍ଚ ଟଙ୍କା ବଳିବ ସେଥିରେ ଜିତ୍ପାଇଁ ଚକଲଟେ ଆଣିଦେବାପାଇଁ । ଜିତ୍, ମୋ ପୁଅ ମାଆଠୁ ବଳି ଜିଦିଆ, ଏଇଟା ବି ସୀମାର ଅହେତୁକ ଭଲପାଇବା ପାଇଁ । ମା ବି ମନ୍ଦିରରୁ ଫେରି ଚକଲେଟ ତକ ଦେଇଛି କିନ୍ତୁ ଜିଦିଆ ଜିତ୍ ସେ ଚକଲେଟକୁ ତଳେ ଫିଙ୍ଗି ପାଗଳ ହାତି ପରି ଗୋଡ଼ କଚାଡ଼ି ହେଇ ବାଲ୍କୋନୀରେ ତଳେ ଗଡ଼ି ଯାଇଛି କାରଣ ତା’ ଜେଜେମା ତା ପାଇଁ ଦୁଇଟି ଚକଲଟେ ଆଣିଛି । ଏଇ ସବୁ କଥାକୁ ଲକ୍ଷ୍ୟ କରୁଥିବା ସୀମା ଜିତ୍କୁ କୋଳେଇ ନେଇ ମାଆକୁ ଆଗପଛ କଥା ମିଶାଇ କଢ଼ା ଭାଷରେ ବହୁତ କଥା ଶୁଣେଇ ଦେଇଗଲା । ଘର ସେଦିନ ଉଠୁଥାଏ ପଡ଼ୁଥାଏ । ସୀମା ନିଜର ଅସ୍ତିତ୍ୱକୁ ହରାଇ ମାଆକୁ କହିଲା, “ଶେଷରେ ନାତିର ତିନି ଟଙ୍କାରେ ଭାଗ ବସାଇଲା ।” ମା କୁ ଏଇ କଥା ପଦକ ଭାରି ବାଧିଲା, ସେ ତା’ ଆଖିକୁ ଛଳ ଛଳ କରି ସୀମାକୁ କିଛି ନ କହି ତା’ ଶୋଇବା ଘରକୁ ସିଧା ଚାଲିଗଲା ।
ରାତି ପାଖାପାଖି ନଅଟା; ହସ୍ପିଟାଲ୍ ବେଡ୍ରେ ମାଆ ପାଖରେ ମୁଁ ବସିଥାଏ, ନର୍ସ ଦିଦି ଆସି କହିଲେ, “ଆପଣଙ୍କ ମାଆ ସମ୍ପୂର୍ଣ୍ଣ ବିପଦ ମୁକ୍ତ, ସେ ଶୋଇଛନ୍ତି ତାଙ୍କୁ ଡିଷ୍ଟର୍ବ କରନ୍ତୁନି ।” ଏତିକି କହି ଦିଦି ଚାଲିଗଲେ । ମାଆର ହାତକୁ ଜାବୁଡ଼ି ଧରି କହିଲି, “ମାଆ ମୁଁ ପଚାରିବିନି ତୁ ଏ କାମ କ’ଣ ପାଇଁ କଲୁ, ଆଉ ଜାଣିଚି ମଧ୍ୟ ତୁ ଶୋଇବାର ଅଭିନୟ କରିଛୁ କାରଣ ତୋ’ ପୁଅ ତୋ’ର ଓଦା ଆଖି ଦେଖି କାନ୍ଦିବ । ମୁଁ ଜାଣିଛି ସୀମାର ସେଇ ତିନି ଟଙ୍କାର ହିସାବ ତା’ ଭଲପାଇବା ଆଗରେ କେତେ ଛୋଟ । ଆଉ ସେ ତିନି ଟଙ୍କାରେ ତୁ ମନ୍ଦିରରୁ ଫେରିଲାବେଳେ ବାବୁ ଭାଇ ଦୋକାନରୁ ମୋ ପାଇଁ ଗୁଲୁଗୁଲା ଓ ଆଳୁଦମ୍ ଆଣିଥିଲୁ ଯାହାକୁ କି କେଉଁ ଗୋଟେ ଭୋକିଲା ଗରିବ ପିଲାକୁ ଦେଇଛୁ । ମାଆ ସେଇ ଗରିବ ପିଲାର ଭୋକ ଓ ମୋ ପ୍ରତି ତ ଭଲପାଇବା ନିକିତିରେ ସମାନ ଭାବେ ତୁଲାଇ ପାରୁଛୁ, ସୀମା କାହିଁ ପାରୁନି । ତୋ’ ପାଖେ ଗୋଟେ ଅଳି ମାଆ, ଆଉ ଥରେ ତୋର ସେଇ ନାଲି ମୁଣିରୁ ତିନି ଟଙ୍କା ପଚାଶ ପଇସା ଦିଅନ୍ତୁନି ମୁଁ ବହୁତ ଦିନରୁ ଗୁଲୁଗୁଲା କି ଆଳୁଦମ୍ ଖାଇନି ଟିକେ ଖାଇବି ।” ମୁଁ ଅନୁଭବ କଲି ଗୋଟେ ଟୋପା ଗରମ ଲୁହ ମୋ ହାତରେ ପଡ଼ିଲା, ଯେଉଁଟାକି ବହିଆସୁଥିଲା ବନ୍ଦ ଥିବା ମାଆର ଆଖି କୋଣରୁ ।
ମାଆ ପାଖରୁ ଫେରିଲାବେଳେ ଦେଖିଲି ତା’ କାନିରେ କ’ଣ ଗୋଟେ ବନ୍ଧା ହେଇଥିଲା । ଖୋଲି ଦେଖିଲି, ଛୋଟ ବିଷ ପ୍ୟାକେଟ ଓ ମୋତେ ସ୍ପଷ୍ଟ ଦିଶୁଥିଲା ସେଇ ବିଷ ପ୍ୟାକେଟ ଉପରେ ଲେଖାହେଇଥିଲା ମାତ୍ର “୩ ଟଙ୍କା ୫୦ ପଇସା” ।
– ଲକ୍ଷ୍ମୀ କାନ୍ତ ବେହେରା
Comments
ଲକ୍ଷ୍ମୀକାନ୍ତ ବେହେରା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।