ଆକାଶ ପରିକା ପ୍ରଶସ୍ତ ହୃଦୟ
ଚମ୍ପା କଢ଼ି ପରି କର୍ମ,
ସାଗରର ଢେଉ ନିର୍ବାକ ନିଶ୍ଚଳ
କିଏ ବୁଝେ ତା’ର ମର୍ମ ।
କୁଳୁ କୁଳୁ ନାଦେ ବଣ ଝରଣା ସେ
ତରୁ ଲତା ମାଳ ଛୁଇଁ,
ଶୀତଳ ସମୀର ଶେଫାଳୀର ବାସ
ବିତରିତ କରି ଦେଇ ।
ଅଝଟିଆ କେତେ ବରଷା ବିତାନ
ନିର୍ଘାତ ସହିଛି ଅଙ୍ଗେ,
ମୁରୁକି ହସଟେ ହସି ଦେଇ ସିଏ
ଖେଳେ ଶସ୍ୟ ବିଲ ସଙ୍ଗେ ।
ଜହ୍ନି ଫୁଲ ପରି କୋମଳତା ମୁଖେ
ହସ ଦେଖି ନିଜେ ହସେ,
ଆତୁର ପରାଣ ଲୋଡ଼େ ଯେବେ ତାହା
ଜରାଶ୍ରମେ ଯାଇ ବସେ ।
ଘର କରିଥିଲା ସରଗ ସୁନ୍ଦର
ପର କଲା ପୁଅ ବୋଲି,
ସ୍ମୃତି ବିଜଡ଼ିତ ବାର୍ଦ୍ଧକ୍ୟ ତା’ କାନ୍ଦେ
କରୁଣ ରାଗିଣୀ ତୋଳି ।
ହୃଦୟ ବୀଣାର ଛିଡ଼ିଲା ତା’ର ସେ
ଭାଷେ କାହିଁ ଭଗ୍ନ ସୁର,
ଫଟା ଚିରା ଚୀର ପରି ସେ ଅଲୋଡ଼ା
ମୃତ ସ୍ୱପ୍ନ ଅନାବିଳ ।
– କୃଷ୍ଣ ଚନ୍ଦ୍ର ବାରିକ
Comments
କୃଷ୍ଣ ଚନ୍ଦ୍ର ବାରିକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।