ସକାଳୁ ସକାଳୁ ଭୁବନେଶ୍ୱରର ଏକ ନମ୍ୱର ମାର୍କେଟ୍ଟା ଖଚାଖଚ୍ ଭିଡ଼ରେ ଭରି ରହିଥାଏ । ଦୋକାନୀ ସବୁ ଜୋର୍ଜୋର୍ରେ ଚିଲାଇ ଚିଲାଇ ଡାକ ଛାଡ଼ୁଥାନ୍ତି, “ନେଇଯାଅ ଭାଇ ଆମ୍ୱ କିଲକୁ ୧୦୦ ନେଇଯାଅ ଭାଇ ତାଜା ତାଜା କାଶ୍ମିରୀ ଆମ୍ୱ… ପଣଷ ଗୋଟା ଦୁଇଶହ… ସଜତୋଳା ଗୋଟା ପଣଷ… ହାତକୁ ଅଠା ପାଟିକୁ ମିଠା ନେଇଯାଅ ଭାଇ ନେଇ ଯାଅ… ଭାଇ ।” ହୋ ହାଲ୍ଲା ଶବ୍ଦରେ କାନ ଫାଟି ପଡ଼ୁଥାଏ । ଲୋକମାନେ ବି ସବୁ ଯିଏ ଯେମିତି ହାତରେ ବଡ଼ ବଡ଼ ବ୍ୟାଗ୍ରେ ଭରି ଭରି ଆମ୍ୱ, ପଣସ, ଲିଚୁ, ଖଜୁରୀ, କଦଳି, ନଡ଼ିଆ ବାଇକ୍/କାର୍ ଭରି କରି ନେଇକି ଯାଉଥାନ୍ତି ।
ହେଲେ, ହାଟର କୋଳାହଳଠାରୁ ଦୂରରେ ହାତରେ ସାଇକେଲ୍ଟାକୁ ଧରି ଛିଡ଼ା ହୋଇଥାଏ ବାଇନ । ସେ ଫଳର ଦର ଦାମ୍ ଶୁଣି ମନରେ ସାହାସ କରିପାରୁ ନଥାଏ ହାଟ ଭିତରକୁ ପଶିବା ପାଇଁ, କିନ୍ତୁ ନାଚାର । ଜମିଟାକୁ ବନ୍ଧା ପକାଇ ଗାଁ ଲୋକଙ୍କଠାରୁ ଧାର ଉଧାର କରି ଝିଅଟାକୁ ଯେମିତି ସେମିତି ବିଦା କରିଦେଲା ସିନା, ହେଲେ… ଓଷା ବ୍ରତରେ କ’ଣ ବାପର ମନ ବୁଝିବ? ପ୍ରଥମ କରି ଝିଅ ତା’ର ସାବିତ୍ରୀ ଓଷା କରୁଛି ତା’ ସ୍ୱାମୀ ପାଇଁ, ବାପଟିଏ ହୋଇ କିପରି କିଛି ନଦେଇ ରହିପାରିବ । ଯିଏ ଦିନେ ଟିକେ ଭୋକ ସମ୍ଭାଳି ନପାରି ରାଗରେ ଭୂଇଁରେ ପାଦକୁ କଚାଡ଼ି ଖାଲି ମାଆ ଉପରେ ରାଉ ରାଉ ହୋଇ ଦୁମୁ ଦୁମୁ କରି ଚାଲି ଯାଉଥିଲା । ସେ ଆଜି ଉପବାସରେ ରହି ତା’ ସ୍ୱାମୀ ପାଇଁ ପୂଜା କରୁଛି । ଭାବୁଥାଏ ବାଇନ, ଝିଅଟା ମୋର ବାହା ହୋଇଗଲାନି ଯେ ବଡ଼ ହୋଇଗଲା । ଦିନ କେଇଟା ଭିତରେ ଘରର ସବୁ ଭଲ ମନ୍ଦ ବୁଝିବାକୁ ଲାଗିଲାଣି ।
ଗୋଟିଏ ଦୀର୍ଘ ଶ୍ୱାସ ନେଇ ହାଟ ଭିତରକୁ ପଶିଲା ବାଇନ । ଗୋଟି ଗୋଟି କରି ସବୁ ଦୋକାନରେ ବୁଲିଲା, ବାରମ୍ୱାର ଫଳ ଗୁଡ଼ୁକର ଦର ପଚାରି ପଚାରି ଦୋକାନୀକୁ ବିରକ୍ତ କରୁଥାଏ ଆଉ ଦୋକାନୀ ବି ବିରକ୍ତି ହୋଇ କହୁଥାଏ, “ଦାମ୍ ଦେବାର ଔକାତ୍ ନାହିଁ ଯଦି ଫଳ ଖାଇବ କାହିଁକି? ଯାଅ… ଯାଅ ଭିଡ଼ ଛାଡ…”
ମନକୁ କଷ୍ଟ କରି, ମନ ମୁତାବକ ଦର ନପାଇ ପୁଣି ଫେରି ଆସି ନିଜ ଜାଗାରେ ଛିଡ଼ା ହେଲା ବାଇନ । କଣ୍ଠ ବାଷ୍ପରୋଳ ହୋଇ ଯାଉଥାଏ ଖାଲି କହୁଥାଏ, “ଭଗବାନ ତୁମର ଏକି ବିଚିତ୍ର ପରୀକ୍ଷା, ଗୋଟିଏ ପଟେ କାମ ନଥିବାକୁ ଅନ୍ୟ ପାଖରେ ଦରଦାମ୍ ବୃଦ୍ଧି । ମୋ ଝିଅ କ’ଣ ତା ସ୍ୱାମୀ ପାଇଁ ସାବିତ୍ରୀ ଓଷା କରି ପାରିବ ନାହିଁ? ମୋତେ ଶାଢ଼ି, ଚୁଡ଼ି, ସିନ୍ଦୂର, ଫଳ-ମୂଳ ଆଣିବା ପାଇଁ ପଇସା ଦେବ କିଏ?” ତରତର ହୋଇ ପାଇଜାମା ପକେଟ ଭିତରରୁ ଭିଡ଼ି ଆଣିଲା କିଛି ମୋଡ଼ି ଯାଇଥିବା ଦଶ ଟଙ୍କିଆ, କୋଡ଼ିଏ ଟଙ୍କିଆ ଆଉ ପଚାଶ ଟଙ୍କିଆର ନୋଟ୍କୁ ଆଉ ତାକୁ ଆଦରରେ ଗଣିବାରେ ଲାଗିଲା । ମନ ଭିତରର ଚାପିଥିବା କୋହକୁ ଆଉ ସମ୍ଭାଳି ପାରିଲା ନାହିଁ, ସବୁ ଲୁହ ହୋଇ ଠୋପା ଠୋପା ଝରି ପଡ଼ୁଥାଏ ପଇସା ଉପରେ… ତା’ ହାତରେ ମାତ୍ର ଦୁଇଶହ ପଚାଶ ଟଙ୍କା ଥିଲା ଆଉ ସେଥିରେ ସାବିତ୍ରୀ ପାଇଁ ଫଳ ସଜ ବି ହେବନି ।
– ରାଜେଶ କୁମାର ବାରିକ୍
Comments
ରାଜେଶ କୁମାର ବାରିକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।