ଅକୁହା କଥା

Odia Poem Akuha katha (ଅକୁହା କଥା) by Shubhalaxmi Nanda

ଆକାଶଟା ଫିକା ଲାଗେ
ଲାଗେ ସତେ ରଙ୍ଗଛଡ଼ା ନୀଳ ଶାଢ଼ୀଟି
ଗୁଡ଼େଇ ହେଇଚି, ଅଭିମାନି ମନ ତା’ର ଥମ ଥମ,
ହେଇ ସତେ ଯେମିତି ବର୍ଷିଯିବ ସବୁକୋହ ବର୍ଷା ହୋଇ…

କାହାପାଇଁ ହସିଉଠେ ଫୁଲଭରା ବଗିଚାଟି?
ଗୋଟି ଗୋଟି ଫୁଲ ତୋଳି ଚାଙ୍ଗୁଡ଼ିରେ ସଜାଡ଼ୁ ସଜାଡ଼ୁ
କେହି କେବେ ଭାବେନାହିଁ, ଗଛର ସବୁଫୁଲ ତୋଳିଦେଲେ
ଆଉ ସୁନ୍ଦର ଦିଶିବଟି ବଗିଚାଟି !??

କେମିତି ବୁଝିବାକୁ ଇଚ୍ଛାହୁଏ
ସବୁ ଦୁଃଖକୁ ପିଇଦେଇ ହସିବାକୁ ବାଧ୍ୟହୁଏ,
ଏକା ଏକା ଚାଲି ଚାଲି ଝୁଣ୍ଟିପଡ଼େ
କେବେ କେମିତି ପାଦ ଅଟକିଯାଏ,
ସମ୍ପର୍କର ଶିକୁଳି ସବୁ ବେଡ଼ି ପକାଇଦିଏ…
ଭାବିବାକୁ ଭଲଲାଗେ, ଭାବି ହୁଏନାହିଁ;
ହସିବାକୁ ଇଚ୍ଛାହୁଏ, ହସିହୁଏ ନାହିଁ;
ଏମିତି ସମୟ ଆସେ, ଭୁଲ ବୁଝିବାକୁ ବାଧ୍ୟହୁଏ
ପୁଣି ବୁଝିଯାଏ ବୁଝିବାର ପିଲାଟି ପରି
ଅବୁଝା ମନଟା ଘୁରିହୁଏ ସମ୍ପର୍କର ଦୋଛକିରେ,

ହସ ଆଉ କାନ୍ଦ ଭିତରେ ମନ ବାଟବଣା ହୁଏ
ଖୋଜି ଖୋଜି ପାଏନାହିଁ ନିଚ୍ଛକ ଛବିଟିଏ,
ଯିଏ ଖାଲି ଆସି ଆଉଁସି ଦେବ ମୋ ମୁଣ୍ଡକୁ
ସ୍ନେହର ପରଶ ଦେଇ, ହାତଠାରି ଡାକିବାକୁ ଡରଲାଗେ,
ତଥାପି ଡାକିବାକୁ ଇଚ୍ଛାହୁଏ ବାରମ୍ବାର
ବିଶ୍ୱାସକୁ ଜାବୁଡ଼ି ଧରିବାକୁ ଭାରି ଇଚ୍ଛାହୁଏ ।
ଝୁଣ୍ଟିପଡ଼େ, ତଥାପି ଝୁଣ୍ଟିବାକୁ ଇଚ୍ଛା ହୁଏ,
ସମ୍ପର୍କର କଣ୍ଟାଟିକୁ କିନ୍ତୁ କାଢ଼ିବାକୁ ହୁଏନାହିଁ ଇଚ୍ଛା,
ହୁଏନାହିଁ ଇଚ୍ଛା…

– ଶୁଭଲକ୍ଷ୍ମୀ ନନ୍ଦ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...