ବିସ୍ଥାପନ ବ୍ୟଥା

Odia Poem Bisthapana Byatha (ବିସ୍ଥାପନ ବ୍ୟଥା) by Prabhat Mishra

ଚାଲି ଚାଲି ଆଜି ଥକିଲାଣି ପାଦ
ମନ ତା’ ଚାଖିଛି କେତେ କଷ୍ଟ ସ୍ଵାଦ,
ବିସ୍ଥାପନର ଏକି ଅପୂର୍ବ ଦରଦ
ଅପୂର୍ବ ମଣିଷ ଏ ତ ଦୁଃଖର ଦାୟଦ ।

ମହାମାରୀ କବଳରେ ଆଜି ସର୍ବ ଜୀବ
ଅପୂର୍ବ ସଙ୍କଟ ଫାଶରେ ଜଗତେ ସରବ,
ବିସ୍ଥାପନ ଦୁଃଖ ଭାରେ ଦେଶର ଗରିବ
ହାତେ ନାହିଁ ଚଳିବାକୁ ଆଉ ଯେ ଦରବ ।

ମହାମାରୀ ବାଧା ଆଜି ନାହିଁ ରୋଜଗାର
ତେଣୁ ଫେରି ଆସେ ନିଜ ଭିଟା ମାଟି ଘର,
ଚାଲି ଚାଲି କୋଷ ବାଟ ଦିଶୁଛି ଅନ୍ଧାର
ହେଲେବି ଠିକଣା ତା’ର ଆହୁରି ଯେ ଦୂର ।

ରେଳ ଧାରେ ଆସୁ ଆସୁ କେତେ ପରିବାର
ବିନା ଦୋଷେ ଲିଭିଗଲା ଜୀବନର ଗାର,
ଚାଲୁ ଚାଲୁ ଚଲାପଥେ କୋଷ କୋଷ ଦୂର
ଲିଭି ଗଲା ପ୍ରାଣ ଜ୍ୟୋତି ଅନେକ ଜନର ।

ଏହା ଦେଖି ମନେପଡ଼େ ସେଦିନର କଥା
ଦେଶ ବିଭାଜନର ସେହି ଅପୂର୍ବ ଯେ ଗାଥା,
ଗଡ଼ିଥିଲା ନ ଜାଣି କେତେ ଲୋକ ମଥା
ଇତିହାସର ସେ ତ ଅପୂର୍ବ ଯେ ବ୍ୟଥା ।

ବାରମ୍ବାର ମନେ ପଡ଼େ ସେହି ପୁରାତନ କଥା
ଘେନି ଆଣେ ବିସ୍ଥାପନ ଦୁଃଖର ଯେ ବ୍ୟଥା,
କେତେ ଯେ ଦରଦ ଏ ତ କେତେ ଦୁଃଖ ଗାଥା
ଲେଖୁ ଲେଖୁ ସରିବନି ଏହି ବିସ୍ଥାପନ ବ୍ୟଥା ।

– ପ୍ରଭାତ ମିଶ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...