ଅତୀତ

Odia Poem Atita (ଅତୀତ) by Susmita Bavi

ଅତୀତ ମୋର ଯାଇଛି ହଜି
ସ୍ମୃତି କିଛି ରହିଛି ବାକି
ଯେତେ ଖୋଜିଲେ ବି ଆଉ ଫେରିବନି
ଖାଲି ଲୁହରେ ଭିଜିବ ଆଖି ॥

ସ୍ନେହ ଶ୍ରଦ୍ଧା କାଣିଚାଏ ପାଇଁ
ବଞ୍ଚିବାର ସ୍ୱପ୍ନ ଦେଖେ
ବିତି ଯାଇଥିବା ଦିନଗୁଡ଼ିକୁ
ସ୍ମୃତିରେ ସାଇତି ରଖେ ॥

ଆଉ କି ପାଇବି ଫେରି ପିଲାଦିନ
ସାଙ୍ଗ ସାଥି ବାଲି ଘର
ଯେତେ ଖୋଜିଲେ ବି ପାଇବିନି ଆଉ
ଭାଇ ଭଉଣୀଙ୍କ ଖେଳ ॥

କର୍ମ ଜଞ୍ଜାଳରେ ସମସ୍ତେ ବନ୍ଧା
ସମୟ ତ ପାଖେ ନାହିଁ
ଅତୀତର କଥାକୁ ଭାବିକି ଆଉ
ଖୁସି କି ପାଇବି ମୁହିଁ ॥

ହଜିଛି ଅତୀତ ହଜିଛି ସେ ପିଲାଦିନ
ହଜିଛି ବାଲିର ଘର
ଜୀବନରେ ମୋର ଥିଲା ଯେତେ ସୁଖ
ଚାଲିଗଲା ବହୁ ଦୂର ॥

ଅତୀତକୁ ମୋର ନେଇଛି ଭସେଇ
ସମୟର ପାଣି ସୁଅ
ଆଉ କି ଫେରିବ ସେ ଅତୀତ ମୋର
ଜାଣିଛ କି କିଏ କୁହ ॥

ପିଲାଦିନ କେବେ ଆଉ ତ ଫେରେନି
ଖୋଜିଲେ ଯେତେବି ତାକୁ
ସାଙ୍ଗସାଥି ମାନଙ୍କୁ ଆଉ କି ପାଇବି
ଝୁରୁଛି ମନ ଯାହାକୁ ॥

ହେ ଅତୀତ ଦେଖାଦିଅ ମତେ ଥରେ
ଫେରି ଆସ ମୋ ପାଖକୁ
ଫେରି ଆସନ୍ତୁ ମୋ ଆତ୍ମୀୟ ସ୍ୱଜନ
ଖୋଜୁଛି ମନ ସେମାନଙ୍କୁ ॥

ତାଙ୍କରି ସ୍ନେହ ଶ୍ରଦ୍ଧା ତାଙ୍କରି ଆଶିଷ
ପାରୁନି ତ ମୁଁ ଭୁଲି
ଫେରେଇ ଦିଅ ମୋ ହସ ଖୁସିର ଦିନ
କରୁଛି ତୁମ ପାଖରେ ଅଳି ॥

– ସୁସ୍ମିତା ବାଭୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...