ହଳ ଧରି ସିଏ ବିଲକୁ ଯାଇ
ସକାଳୁ ସକାଳୁ ସପନ ବୁଣେ,
ସୁନେଲି ଫଳକୁ ଫଳେଇ ସେଠି
ଯେତେ ଖୁସି ପାରେ ସାଙ୍ଗରେ ଆଣେ ।
ଚାଷୀର ଆଖିରେ ଥାଏ ସପନ
ଫସଲ ହିଁ ଅଟେ ତାହାରି ଧନ,
ବିଲ ଅଟେ ତା’ର ମାଆ ପରିକା
ଫସଲ କରଇ ଭଳି ଭଳିକା ।
ହଳ ଲଙ୍ଗଳରେ ତାହାରି ଧ୍ୟାନ
ସବୁ ଋତୁ ତାହା ପାଇଁ ସମାନ,
ଖରା ଆସିଲେ ସେ ଜମିକୁ ଖୋସେ
ବର୍ଷା ଟିକେ ପାଇଁ ଚାହେଁ ଆକାଶେ ।
ଯେତେ ହେଉ ପଛେ ଟାଣୁଆ ମାଟି
ଖୋଳି କରେ ଚାଷ ଉପୋଯୋଗୀଟି,
ଶସ୍ୟ ବୁଣି ସେହି ଜମି ଉପରେ
ଚାଷୀ ଜଗିଥାଏ ଖୁସି ମନରେ ।
ଆସିଲେ ବାଦଲ ଘୋଟି ନଭରେ
ଛାତି ତା’ ଫୁଲି ଉଠେ ଗରବରେ,
ବରଷା ଚାଷୀର ଆପଣା ଲୋକ
ମନ ତା’ ନାଚଇ ରାବିଲେ ଭେକ ।
ବର୍ଷା ପାଣି ଆଉ କାଦୁଅ ସହ
ଭିଜେ ସେ ଭିଜେଇ ଝାଳୁଆ ଦେହ,
ଗଜୁରିଲେ କ୍ଷେତେ ବିହନ ସବୁ
ନିଦ ଆସେନାହିଁ ଚାଷୀ ଆଖିକୁ ।
ସ୍ଵପ୍ନ ଦେଖେ ସୁନା ଅମଳ ପାଇଁ
ଅମାରରେ ଧାନ ଭରିବ ଯାଇ,
ବର୍ଷକ ପାଇଁ ଚିନ୍ତା ରହିବନି
ଘରେ ଆଉ କେ ଭୋକ ସହିବେନି ।
ସପନ ତାହାର ତା’ ମାଟି ଫଳ
ବୃଥା ତା’ ପାଇଁ ଅନ୍ୟ ଧନ ସକଳ,
ଚାଷୀର ସପନ ହୋଇଲେ ସତ
ପେଟ ପୂରିଯାଏ ହସିଲେ କ୍ଷେତ ।
– ମଧୁମିତା ମିଶ୍ର
Comments
ମଧୁମିତା ମିଶ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।