ନିର୍ବାଣ

Odia Poem Nirbana (ନିର୍ବାଣ) by Bikash Ojha

ତୁମେ କହିଲ ବଞ୍ଚିବା ପାଇଁ,
ଗଡ଼ି ଯାଉଥିବା ସମୟକୁ ଆଦୌ
ପ୍ରଶ୍ନ ନକରି, କେବଳ ବଞ୍ଚି ରହିବା ପାଇଁ
ଆଉ ମୁଁ ସେଇପରି ବଞ୍ଚିବାକୁ ହିଁ,
ଜୀବନ ଭାବିନେଲି ।

ଯେମିତି,
କେତେ କିଆ ଫୁଲ ଗୋହିରୀରେ ଝରେ,
ନିସ୍ତବ୍ଧ ଓ ନୀରବରେ,
ସଜ ଫୁଲ ସବୁ ବାସି ହୋଇଚାଲେ,
ବର୍ଷା ଭିଜା ସକାଳର ସାରୁ ପତ୍ର ସବୁ,
ଜଣା ନାହିଁ କାହା ପ୍ରତୀକ୍ଷାରେ,
ନିଜକୁ ଉତ୍ସର୍ଗ କରୁଥାଏ ।

ଉପରେ ନୀରବ ଝଡ଼ ବୋହିଗଲା ପରେ,
କେବେ କେବେ ପ୍ରଶ୍ନ ଉଠେ –
ଆକସ୍ମିକ ଉଲକା ପରି –
ଆଉ କେତେକାଳ ଚାଲିବାକୁ ହେବ,
ସମୟର କୁହେଳି ଭିତରେ?

ଆଗରେ ଅସରନ୍ତି ରାସ୍ତା,
ଜଣାନାହିଁ ଯାଏ କେତେଦୂର
ଜଣାନାହିଁ, ଯେମିତି ଦରିଆ ସେପାରିର
ପକ୍ଷୀଟିକୁ ଉଡ଼ିବାକୁ ହେବ
ଆଉ କେତେକାଳ ।

ତୁମେ ଯଦି ପ୍ରଶ୍ନ କର,
ମୁକ୍ତି କିମ୍ବା ମୋକ୍ଷର ଯଥାର୍ଥତା ନେଇ,
ମୁଁ ହୁଏତ ଉତ୍ତର ଦେବି,
ସେସବୁର ସଜ୍ଞା ମୁଁ ଜାଣେନା ।
କିନ୍ତୁ ପାଇବାର ଛଳନା ଓ
ନପାଇବାର ଅତୃପ୍ତି ଭିତରେ,
ଏମିତି ବଞ୍ଚିବା ପାଇଁ ବଞ୍ଚିରହିବାର
ଅର୍ଥ ବା କ’ଣ ହୋଇପାରେ?

– ବିକାଶ ରଞ୍ଜନ ଓଝା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...