ଖୋଜୁଛି ମୁଁ ନିଜକୁ

Odia Poem Khojuchhi Mun Nijaku (ଖୋଜୁଛି ମୁଁ ନିଜକୁ) by Binay Kumar Das

ଦୁନିଆ ଭିଡ଼ରେ ହଜି ଯାଇଥିଲି ଏବେ ମୁଁ ନିଜକୁ ଖୋଜୁଛି
ଜୀବନ ଗଣିତ ଅଗଣିତ ସୂତ୍ର ଗୋଟେ ପରେ ଗୋଟେ ବୁଝୁଛି ।୦।

ଯିଏ କହୁଥିଲା ଦେବରେ ଆନନ୍ଦ ସିଏ ନେଲା ସବୁ ଛଡ଼େଇ
ନିଃସ୍ୱ କରି ମୋତେ ଦୁନିଆ ହାଟର ମଝିଦାଣ୍ଡେ ଦେଲା ଗଡ଼େଇ
ପରାଜିତ ଏକ ସୈନିକ ପରି ମୁଁ ବଞ୍ଚିବା ପାଇଁକି ଯୁଝୁଛି
ଜୀବନ ଗଣିତ ଅଗଣିତ ସୂତ୍ର ଗୋଟେ ପରେ ଗୋଟେ ବୁଝୁଛି ।୧।

ଭଲପାଇବାଟା ସ୍ୱର୍ଗୀୟ ବିଭବ ଯିଏ କହିଥିଲା କାନରେ
ପ୍ରତାରଣା ବିଷ ମଞ୍ଜି ବୁଣିଦେଲା ସେଇ ମୋର ମନ ବନରେ
ଝରୁଛି ଆକାଶୁ ଅନଳର ବର୍ଷା..ସେଇ ବରଷାରେ ଭିଜୁଛି
ଜୀବନ ଗଣିତ ଅଗଣିତ ସୂତ୍ର ଗୋଟେ ପରେ ଗୋଟେ ବୁଝୁଛି ।୨।

ଯିଏ କହିଥିଲା ଅତି ସରାଗରେ ତା’ ଜୀବନେ ମୁଁ ତ ତପଟିଏ
ସେଇ ବି କହିଲା ଆମର ସମ୍ପର୍କ ସତ ନୁହେଁ ମିଛ ଗପଟିଏ
ଶୁଭ ସାହାନାଇ ବାଜି ପାରିଲାନି କଳଙ୍କ ଡିଣ୍ଡିମ ବାଜୁଛି
ଜୀବନ ଗଣିତ ଅଗଣିତ ସୂତ୍ର ଗୋଟେ ପରେ ଗୋଟେ ବୁଝୁଛି ।୩।

– ବିନୟ କୁମାର ଦାସ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...