ବସନ୍ତରେ ବର୍ଷା

Odia Poe Basantare Barsha (ବସନ୍ତରେ ବର୍ଷା) by Chandrakanti Pradhan

ତୁମେ କୁହ, ମୁଁ କାଳେ ବର୍ଷା !
ମୋର କୌଣସି ଠିକଣା ନାହିଁ ।
ଏଇ ଆସେ ଆଉ ଚାଲିଯାଏ ।
ଦିନ ହଉ କି ରାତି, ପୂର୍ଣ୍ଣିମା ହଉ କି ଅମାବାସ୍ୟା ।
ସନ୍ଧ୍ୟା ହଉ କି ଅପରାହ୍ନ, ବୈଶାଖ ହଉ କି ଫାଲଗୁନ ।
ମୁଁ ଅଚାନକ ବର୍ଷିଯାଏ ।
ହେଲେ ତୁମେ କ’ଣ ବୁଝିବ?
ମୁଁ ଯଦି ଆଷାଢ଼ରେ ସରିଯାଏ, ଆଉ ଶ୍ରାବଣରେ ମରିଯାଏ !
ତେବେ ବସନ୍ତରେ ତୁମ କାନ୍ଧ ଓଦା କିଏ କରିବ?
ସେଥିପାଇଁ ସେଦିନ ସେ ଅନ୍ଧାର ରାତିର ଝାପ୍ସା ଝାପ୍ସା ଆଲୋକରେ ମୁଁ ଆସିଥିଲି ।
ତହୁଁ ତୁମକୁ ଭିଜେଇବା ପାଇଁ ନୁହେଁ !
ବାସ୍ ତୁମ ହାଲଚାଲ୍ ବୁଝି ଫେରିଯିବା ପାଇଁ ।
କିନ୍ତୁ ମୋ ପ୍ରଥମ ସ୍ପର୍ଶରେ ହିଁ ତୁମେ ସ୍ଥାଣୁ ପାଲଟି ଯିବ ତା’ ମୋର କଳ୍ପନା ନଥିଲା ।
ନୀରବତାର ଗାଢ଼ ପରଦାକୁ ଆଡ଼େଇ ଦେଇ,
ତୁମ ଆଖି ଯେବେ କଥା କହିବା ଆରମ୍ଭ କଲା,
ଦୁଇଟି ହୃଦୟ ସ୍ପନ୍ଦନର ଧ୍ୱନିରେ ମୋ ଦେହସାରା ଶିହରଣ ଖେଳିଯାଉଥିଲା !
ଆଉ ସେ ନିବିଡ଼ତା ତୁମ କଠୋରତାକୁ ଜାଳିପୋଡ଼ି ଯେତେବେଳେ ପାଉଁଶ କରୁଥିଲା,
ମୁଁ ଆହୁରି ବର୍ଷୁଥିଲି !
ଆକାଶର ଛାତିଚିରି ଯେବେ ମନଭରି ହସୁଥିଲି,
ତୁମ ଶରୀରର କିଛି ଅନାବୃତ ଅଂଶ ଜାଡ଼ରେ ଥରୁଥିଲା ।
ଏଥର ଜାଣିଲ ତ ବର୍ଷା ବସନ୍ତରେ ବି ଆସିଥିଲା ।

– ଚନ୍ଦ୍ରକାନ୍ତି ପ୍ରଧାନ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...