ତୁମେ ଯେ ହେଲ ପୁନେଇ ରାତିର ଇନ୍ଦୁଲେଖା,
ତୁମ ଇନ୍ଦୁବଦନ ପ୍ରସାର କରୁଛି ଚାରୁ ଚନ୍ଦ୍ରରେଖା,
ସେହି ଶୀତଳ କିରଣ ଦେଖି ଭୁଲିଗଲି ଦୀପଶିଖା,
ମୋହିତ ମାନସ କହିଲା ଲେଖିବାକୁ ପ୍ରେମଲେଖା ॥୧॥
ମକରନ୍ଦ ଅନ୍ୱେଷଣରେ ନିମଗ୍ନ ଥାଏ ଯେ ମିଳିନ୍ଦ,
ପ୍ରସ୍ଫୁଟିବା ହେତୁ ଅତ୍ୟନ୍ତ ଆଚ୍ଛନ୍ନ ଥାଏ ଅରବିନ୍ଦ,
କବିରାଜ ମଗ୍ନ ଥାଏ ସୃଷ୍ଟି କରିବାକୁ ଚାରୁ ଛନ୍ଦ-ବୃନ୍ଦ,
ତୁମ ନିରଳସ ସ୍ତୁତି କରି ପାଇଲି ମୁଁ ଅନୁପମ ଆନନ୍ଦ ॥୨॥
ତୁମ ପ୍ରୀତିକର ସୌନ୍ଦର୍ଯ୍ୟ କେତେ ଯେ ମୋହକ,
ନବଯୌବନ ହେଲା ଜୀବନ ପାଇଁ ଆନନ୍ଦଦାୟକ,
ତୁମ ଅନୁରାଗ ମୋ ପାଇଁ ଅତ୍ୟନ୍ତ ଉନ୍ମାଦକାରକ,
ମୋତେ କରିଦେଲ ତୁମେ ଏକ ନବତନ ପ୍ରେମିକ ॥୩॥
ମୋ ଇନ୍ଦୁଲେଖା ହୋଇ କର ଆଗାମୀ ଜୀବନକୁ ଅମୂଲ୍ୟ,
ତୁମ ଶାଳୀନ ଶୀତଳତାର ନାହିଁ କାହାରି ସହିତ ତାରତମ୍ୟ,
ତୁମ ସାନ୍ନିଧ୍ୟ ବିନା ପ୍ରତିକ୍ଷଣ ବିତାଇବା ଲାଗେ ଯେ କଷ୍ଟସାଧ୍ୟ,
ମୋର ପ୍ରଣୟିନୀ ହୋଇ କର ମୋ ଜୀବନକୁ ସୌମ୍ୟ ରମ୍ୟ ॥୪॥
– ଶ୍ରୀ ରାଜଶେଖର ସି ‘ଚିମା’
Comments
ରାଜ ଶେଖର ଶ୍ରୀ ଚିମା ଓଡ଼ିଆ ତଥା ତେଲୁଗୁ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।