ରାଣୀହାର

Rani Hara

ତା’ ସୃଷ୍ଟିକୁ ନେଇ ସେ ସନ୍ତୁଷ୍ଟ
କରିନାହିଁ କେବେହେଲେ
ଆପତ୍ତି ଅଭିଯୋଗ
କହିନାହିଁ କେବେହେଲେ
ବେସନ, ହଳଦୀ, ଚନ୍ଦନ
ମାଖି ଯା’ ଯାବତୀୟ ପ୍ରସାଧନ !

ସାଇକେଲ ଦେବା କାଳରୁ କୋଳକୁ
ଭିଡ଼ିଆଣି ବହେ ଗେହ୍ଲା କରି କହିଥିଲା,
“ଗଢ଼େଇଦେବି ରାଣୀହାର”
ତଳେ ପଡ଼ିଗଲେ ଗୋଟେଇନେଇ
ଧୂଳି ମାଟି ଝାଡ଼ିଦେଇ କରୁଥିଲା
ପାଦ ଖସିଲା ଆକଟ,

ଝିଅ ଘିଅ !
ନିନ୍ଦା ଅପବାଦର ଭୟ ଯଦିଓ ତାକୁ ବି ଥିଲା
ତଥାପି ଶିଖାଇଲା ଚାଲି
ନିଜ ଗୋଡ଼ରେ ନିଜେ ଛିଡ଼ା ହେବାଲାଗି,
ନିଜ ଇଚ୍ଛାରେ ପିନ୍ଧିବୁ କେତେ ଶାଢ଼ୀ, ଚୁଡ଼ି, ଘଡ଼ି
ଘୋଡା ଚଢ଼, ନିଜ ପାଇଁ ନିଜେ ଲଢ଼,
ଦେଇନି କେବଳ ଅହ୍ୟସୁଲକ୍ଷଣୀ ବର
ଦେଲା ବି ପାଞ୍ଚ ଜଣରେ ଜଣେ ହେବାର କଲ୍ୟାଣ,
ଠେଲିପେଲି ଦେଇନି ନାରୀ କି ହେଲାନି ପାରି
ସମୟ ଆଗରୁ ଝାଡ଼ି ହେଇନି ସଂସାର ଜଞ୍ଜାଳ
କି ନଥିଲା ତା’ର ପୁଣ୍ୟ କମେଇ
ମୋକ୍ଷ ଲଭିବାର ଲକ୍ଷ୍ୟ !

ବୋଉ, ସଯତନେ ପନ୍ଦରରୁ ପଚିଶ
ପେଜୁଆ ଆଖିରେ ହସ ଲୁହ ପଜେଇ
ଲିପିପୋଛି ସାଆତିଲା ଝିଅ,
ଭାଙ୍ଗିଦେଲା ଶଙ୍ଖବଟି ମାଳ
ଗଢ଼େଇଲା ରାଣୀହାର,
ମୁଁ ଶିଖୁଥିଲି,
ଫୁଲ ପରି ଝିଅ ବଢ଼େଇବାର କଳା କୌଶଳ…

– ପଲ୍ଲବୀ ପୂଜାପଣ୍ଡା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...