ମଣିଷ ଶବକୁ ଛୁଇଁଦେଲେ ନର
ହୋଇଯାଏ ଅପବିତ୍ର ।
ଅନ୍ୟ ଶବ ମାଂସ ରାନ୍ଧି ଖାଇଥାଏ
ଏ ବିଧାନ ବଡ଼ ବିଚିତ୍ର ॥
ମଣିଷ ମରିଲେ ଶବ ହେଲା ବୋଲି
ଘରୁ କରନ୍ତି ବାହାର ।
ପଶୁ ପକ୍ଷୀ ଶବ ନିଜ ଘରେ ଆଣି
ରାନ୍ଧି କରନ୍ତି ଆହାର ॥
ଶୁଖୁଆ ମାଛଟି କେବେ ମରିଥାଏ
କେହି କହି ନପାରନ୍ତି ।
ବଡ଼ ଶରଧାରେ ତା’କୁ କିଣି ଆଣି
ଘରେ ରୋଷେଇ କରନ୍ତି ॥
ଶରୀର ନଥାଏ, ଜୀବନ ନଥାଏ
ତାହାକୁ ଦିଏ ଆହାର ।
ଅଭାବରେ ଥିବା ଲୋକକୁ ନଦିଏ
କରିଥାଏ ଅନାଦର ॥
ନିଜ ବାପାମାଆ ବଞ୍ଚି ଥିବା ବେଳେ
ସେବାରେ ହେଳା କରନ୍ତି ।
ମରିଗଲା ପରେ ଲୋକ ଦେଖାଣିଆ
ନାନା କର୍ମ କରିଥାନ୍ତି ॥
ଅସ୍ଥି ତିନି ଖଣ୍ଡ ନେଇ ନଦୀ ଜଳେ
କରିଥାନ୍ତି ବିସର୍ଜନ ।
ବ୍ରାହ୍ମଣ ଡକାଇ ନାନା ଦ୍ରବ୍ୟ ଦେଇ
ଦିଅନ୍ତି ଗଙ୍ଗା ଭୋଜନ ॥
ପାପ ଅତ୍ୟାଚାର ଯେତେ କରିବାର
ତହିଁର ସୂଚନା ନାହିଁ ।
ତୀର୍ଥ ଜଳେ ଯାଇ ସ୍ନାନ କରିଦେଲେ
ସବୁ ପାପ ଯିବ ଧୋଇ ॥
ତିଥି ବାର ବାଛି ଆମିଷ ଭୋଜନେ
ନଲାଗଇ କିଛି ଦୋଷ ।
ଏପରି ବିଧାନ କରିଣ ମଣିଷ
ନିଜକୁ ମଣେ ନିର୍ଦ୍ଦୋଷ ॥
– ଶ୍ରୀନିବାସ ସାମଲ
Comments
ଶ୍ରୀନିବାସ ସାମଲ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।