✍ ପ୍ରଥମ ସମ୍ପାଦକୀୟ

Editorial Page of Shubhapallaba 1st Edition (ଶୁଭପଲ୍ଲବ ସମ୍ପାଦକୀୟ ପୃଷ୍ଠା)

ପହିଲି ଫଗୁଣରେ ସ୍ନିଗ୍ଧ ମଳୟର କୋମଳ ସ୍ପର୍ଶରେ ଡାଳେ ଡାଳେ ଅଙ୍କୁରି ଉଠେ ନୂତନ ଭବିଷ୍ୟତ, ନୂତନ ସମ୍ଭାବନା ଆଉ ଅସୁମାରୀ ସ୍ୱପ୍ନକୁ ନେଇ ନବପଲ୍ଲବ…. ଏଇ ଅୟମାରମ୍ଭ ଗୋଟେ ନୂତନ ସୃଷ୍ଟିର ! ପତ୍ରଝଡ଼ା ଡାଳରେ କୁନି କୁନି ନବପଲ୍ଲବ ଆଶା ସଞ୍ଚାରେ ଆଗାମୀ ଭାବିତବ୍ୟର । ସବୁଜ ପତ୍ରର ଉହାଡ଼ରୁ ଉଙ୍କିମାରିବେ ପୁଷ୍ପ କଢ଼ିମାନ ଆଉ ପ୍ରସ୍ପୁଟିତ ପାଖୁଡ଼ା ମଧ୍ୟରୁ ବିଛୁରିତ ମହଣ ମହଣ ବାସ୍ନା ଭିତରେ ଜନ୍ମନେଉଥିବ ନୂତନ ବୀଜଟିଏ, ଭବିଷ୍ୟତର ମହାଦ୍ରୁମ ହେବା ପାଇଁ….

ଭାଷା ଠିକ ପାହାଡ଼ି ଝରଣାଟିଏ ପରିକେଉଁ ଉପାନ୍ତ ଗିରିଗହ୍ୱରରୁ ସୃଷ୍ଟ କ୍ଷୁଦ୍ର ଧାରାଟିଏ, କେତେଯେ ବନ୍ଧୁର ପଥ ଅତିକ୍ରମ କରି ଆଗକୁ ମାଡ଼ିଚାଲେ ଭାଷା ମହାସମୁଦ୍ରର ସନ୍ଧାନରେ ତା ହିସାବ ନଥାଏ । ଯାତ୍ରାପଥରେ ସମ୍ମିଳିତ ହୁଅନ୍ତି ଆହୁରି କେତେ ଉପସ୍ରୋତ । ମୁଖ୍ୟ ସ୍ରୋତ ଅସ୍ଥିତ୍ୱ ହରାଏନି, ବରଂ ହୁଏ ପରିପୃଷ୍ଟ । ବିସ୍ତାର କରେ ତା କାୟା, କଳେବର । ସେ ଅଙ୍ଗୀକାର କରେ ସମସ୍ତଙ୍କୁ, ମିଶାଇଦିଏ ନିଜ ରଙ୍ଗରେ, କିନ୍ତୁ ନିଜ ପରିଚୟ ହରାଏନିସେ ମାଡ଼ିଚାଲେ । ପରିଣତ ହୁଏ ମହାନ ନଦୀଟିରେ ସାଗରରେ ମିଶିବା ପୂର୍ବରୁ…. ନବପଲ୍ଲବ କ୍ଷୁଦ୍ର ଧାରାଟିଏ ମାତ୍ର । ଆପଣମାନଙ୍କ ଲେଖାର ସ୍ରୋତ ଏଥିରେ ମିଶିଲେ ଏହା ହେବ ପରିପୃଷ୍ଟ । ଆଉ କୁଳୁକୁଳୁ ନାଦକରି ଆଗକୁ ବଢ଼ୁ ବଢ଼ୁ ଛୁଇଁଯିବ ପାଠକ ପାଠିକାଙ୍କ ହୃଦୟକୁ ।

ଶେଷରେ ଅନ୍ତରରୁ ଧନ୍ୟବାଦ ଦେବି ଆମର ସମସ୍ତ ଲେଖକ ଲେଖିକା ମାନଙ୍କୁ, ଯାହାଙ୍କ ପାଇଁ ଆଜିନବପଲ୍ଲବଠୁକୁ ଠୁକୁ ହେଇ ଚାଲିବ ଆରମ୍ଭ କରିଛି । ଆଗକୁ ମଧ୍ୟ ଆପଣମାନଙ୍କ ସହଯୋଗ କାମ୍ୟ । ଅନ୍ତରରୁ ଶୁଭେଚ୍ଛା ଜଣେଇବି ଆମର ସମସ୍ତ ପାଠକ ପାଠିକାମାନଙ୍କୁ । ଆପଣମାନଙ୍କ ସୁଚିନ୍ତିତ ମତାମତ ଅପେକ୍ଷାରେ

ସମସ୍ତଙ୍କୁ ନୂତନ ବର୍ଷର ଶୁଭକାମନା ସହ

ଜୟ ଜଗନ୍ନାଥ

Tapas Ranjan Signature

 

 

 

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...