ଜୀବନର ଶେଷ ଦିନ

jibanara-sesha-dina

ଜାଣିପାରନ୍ତି ଯଦି ମୁଁ ଆଜି ମୋ ଜୀବନର ଶେଷ ଦିନ
ତଥାପି କ’ଣ ଆଜି ଯାଇଥାନ୍ତା ଠିକ୍ ସେମିତି
ଗଲା ଦିନ ସବୁ ମୋର ବିତିଛି ଯେମିତି
ନା… ମରିବା ଭୟରେ ବଞ୍ଚିଯାଇଥାନ୍ତି ସେ ସମୟକୁ
ପ୍ରତ୍ୟେକଟି କ୍ଷଣ ।

ବଳକା ପଡ଼ିଯାଉଥିବା ସମୟ ସବୁ
ହୁଏତ ସେଦିନ ପାଇଁ ପଡ଼ିଯାଆନ୍ତା ନିଅଣ୍ଟ
ସୂର୍ଯ୍ୟ ଆଉ ଚନ୍ଦ୍ର ଉଦୟର
ସୀମିତ ପରିସୀମା ଭିତରେ ହୁଏତ
ମୋ ସ୍ୱପ୍ନ ସବୁ ପୂରଣ ହେବାପାଇଁ ଖୋଜୁଥାନ୍ତେ ବାଟ ।

ଲୁହ ଢାଳନ୍ତି ମନେପକାଇ ମୋ ଅତୀତକୁ
ନା ଭବିଷ୍ୟତ କଥା ଭାବି ଗଡ଼ାଇଦିଅନ୍ତି ସମୟକୁ
ନା ଭାବନା ରାଜ୍ୟରୁ ବାହାରି
ଶେଷଥର ପାଇଁ ବଞ୍ଚି ଯାଆନ୍ତି
ମୋର ବର୍ତ୍ତମାନକୁ ।

ହୁଏତ ଇର୍ଷା ଆଉ ଅଭିମାନକୁ ବାଦ୍ ଦେଇ
ବଢ଼ିଯାଆନ୍ତି ଦୁଇ ପାଦ ବନ୍ଧୁତ୍ୱ ଆଡ଼କୁ
ବୁଝିପାରନ୍ତି ବୋଧେ ସେ ଦିନ
କ୍ଷମା ନେଇ କ୍ଷମା ଦେବାର କଳାକୁ
ହେଲେ କ’ଣ ଥିବ ସମୟ, ଭୁଲ ମାଗିବାକୁ ।

କିଏ ଯାଣେ କେଉଁ ଦିନ ଜୀବନର ଶେଷ ଦିନ
କିଏ ଯାଣେ କେଉଁ କ୍ଷଣ ଜୀବନର ଶେଷ କ୍ଷଣ
ଯଦି ବଞ୍ଚିବାର କଳା ସିଖାଇ ଦିଏ ମରଣ
ପ୍ରତ୍ୟେକ ଦିନ ବଞ୍ଚିବାକୁ ଚାହେଁ ମୁଁ
ସତେ ଯେମିତି ଜୀବନର ଶେଷ ଦିନ ।

“If you know that tomorrow will be the last day of your life then what will you like do that day?”

ତାନିଆ ପଟେଲ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...