ଆଖିରେ ପାଣି, ଧମନୀରେ ରକ୍ତ । ଜୀବନ ଏହି ପାଣିରୁ ରକ୍ତ ପୁଣି ରକ୍ତରୁ ପାଣି ମଧ୍ୟରେ ଆବର୍ତ୍ତି ହେଉଥାଏ କାଳ ଅକାଳ । ସମୟର ସ୍ୱାକ୍ଷରରେ ସ୍ୱପ୍ନରୁ ବାସ୍ତବତାର ବାଟ ଖୋଜୁଥାଏ ନିରୁଦ୍ଦିଷ୍ଟ ପାହାନ୍ତାରୁ ଗୋଧୂଳି ଯାଏଁ… ଅଭୀପ୍ସାର ଉଡ଼ାଣ ଭରୁଥାଏ ଭୂମିରୁ ଭୂମା ଯାଏଁ । ଜୀବନ ଜଞ୍ଜାଳରେ ନିଜ ଅସ୍ମିତାକୁ ଜଳାଞ୍ଜଳି ଦେଇ ଗଢ଼ି ଚାଲିଥାଏ ସ୍ମୃତି କୋଣାର୍କ । ମୋହର ପରଳ ତଳେ ଚେତନାର ଦିଗନ୍ତ ଦିଶେ ଧୂମ୍ରାଭ । ଜୀବନର ଅମୃତ ଆଶ୍ଳେଷ ଟିକକ ଦ୍ରବୀଭୂତ ହେଉଥାଏ କେଉଁ ମୋହିନୀ ମାୟାର ମନ୍ତ୍ର ମୂର୍ଚ୍ଛନାରେ ଅହର୍ନିଶ । ମହାଜାଗତିକ ଧାରାର ସମ୍ୟକ ଚେତନାମନସ୍କତା ତା’କୁ କ୍ଷଣିକ ଆନ୍ଦୋଳିତ କଲେହେଁ ପର ମୁହୂର୍ତ୍ତରେ ଦେବାଳୟରେ ଧ୍ୟାନପୂର୍ବକ ମାଗିବସେ ଆଞ୍ଜୁଳାଏ ପାର୍ଥିବ ଐଶ୍ୱର୍ଯ୍ୟ । ଭୋଗ ଓ ଭାବର ଚାଲିଥାଏ ଏକ ଶୀତଳ ଯୁଦ୍ଧ କେଉଁ ଆବାହମାନ କାଳରୁ, ରାମ ରାବଣ ଅବା ଦୁର୍ଗା ମହିଷାସୁର ମାନଙ୍କ ରୂପରେ । ଅବଶେଷରେ ଚତୁର୍ଦ୍ଦିଗ ପ୍ରତିଧ୍ଵନିତ ହୁଏ ମହାଶକ୍ତିର ଆବାହନରେ, ପ୍ରକମ୍ପିତ ହୁଏ ଓମ୍ କାରର ଅମୃତ ମୂର୍ଚ୍ଛନା, ସଂଚରିଯାଏ ଜୀବନର ଅପରାଜୟ ଉଚ୍ଛ୍ୱାସଟିଏ ମନରୁ ଚେତନାକୁ । ସମାଧିସ୍ଥ ହୁଅନ୍ତି ଦାନବତ୍ୱର ପ୍ରତିଟି ଉଦଗିରଣ ଆଉ ଏକ ଜୀବନ୍ନ୍ୟାସର ଅପେକ୍ଷାରେ ।
ପବିତ୍ର ମହାଳୟାରୁ ଅଭିମନ୍ତ୍ରିତ ହୋଇଉଠେ ଆମର ପ୍ରତିଟି ସ୍ପନ୍ଦନ ମା’ର ଆବାହନୀ ଉଚ୍ଚାରଣରେ । ସକଳ ଦେବତ୍ୱର ପରିପ୍ରକାଶରେ ପରିପୂର୍ଣ୍ଣ ମା’ର ନବ ରୂପକୁ ଆମେ ଶ୍ରଦ୍ଧା, ଭକ୍ତି ଓ ସମର୍ପଣର ଉଲ୍ଲାସରେ ନାଚିଉଠୁ ନବରାତ୍ରିର ଆଡ଼ମ୍ୱରରେ । ବିଜୟାଦଶମୀର ସୌହାର୍ଦ୍ଦ୍ୟପୂର୍ଣ୍ଣ ଆମନ୍ତ୍ରଣ, ଅଭିବାଦନ ଓ ଦଶରା ଭେଟି ସଙ୍ଗକୁ ରାବଣପୋଡ଼ିର ଉତ୍ସୁକତା କ’ଣ ଖାଲି ଏକ ଆଡ଼ମ୍ୱରର ଉପଢୌକନ ହୋଇ ଉତୁରିଯାଏ ପରଦିନ ସକାଳକୁ? ପୁନର୍ବାର ମହିଷାସୁର, ରାବଣ ମାନେ ଜାଗି ଉଠନ୍ତି ଆମର ଅନ୍ତର୍ମନରେ? “ୟା ଦେବୀ ସର୍ବଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା”… ମନ୍ତ୍ରର ପ୍ରତିଧ୍ଵନି ନସରୁଣୁ ମା’ର ମୃଣ୍ମୟୀ ତଳେ ହୁଏ ନାରୀର ଶୀଳ ହରଣ । ତା’ ହେଲେ ମା’ର ପୂଜା ଅର୍ଚ୍ଚନା କ’ଣ ଖାଲି ଏକ ପ୍ରହେଳିକା, ପାର୍ବଣର ହାଲୁକା ପୁଲକତା?
ଭୌତିକବାଦର ଅନ୍ଧ ଅନୁଶୀଳନରେ, ଯାନ୍ତ୍ରିକ ପ୍ରଗତିର ଉଚ୍ଚାଟରେ ଉନ୍ମାଦିତ ଏ ଜାତି କ’ଣ ନିଜର ମହାନ ସଂସ୍କୃତି ପରମ୍ପରାର ବିସ୍ମୃତିର ପାଦଦେଶରେ? ଆତ୍ମଘୋଷିତ ପ୍ରଜ୍ଞାପୀଢ଼ି ଏବେ ବିଜ୍ଞତାର ଦ୍ୱାହି ଦେଇ ଦେବୀଙ୍କର ପଶୁବଳି ଆଦିକୁ କୁସଂସ୍କାରର କୁତ୍ସାରଟନା କଲାବେଳେ କୁଆଡ଼େ ଯାଉଛି ନିଜର ଦୈନନ୍ଦିନ ଅନୁଶୀଳନରେ ସେ ବିଜ୍ଞତାର ପ୍ରତିଫଳନ? ରାସ୍ତା ଘାଟ ଜନଗହଳି ସମ୍ମୁଖରେ ପଶୁ ପକ୍ଷୀ ମାନଙ୍କର ଜିଅନ୍ତା ମାଂସର ଭୋଜି କ’ଣ ଦିବ୍ୟ ଚେତନାର ପତିତପାବନ ବାନା? ଦୀପ ତଳ ଅନ୍ଧାର ପରି ଚେତନାର ସ୍ତର ଏବେ ରସାତଳଗାମୀ ମନେହୁଏ । ବିକାଶଶୀଳ ବୈଜ୍ଞାନିକ ଅନ୍ୱେଷଣ ସହ ଅନ୍ତର୍ମୁଖୀ ହୋଇ ଚେତନାର ସୁପ୍ତ ଆସ୍ତରଣଟିକୁ ଅନୁସନ୍ଧାନ କରି ପାରିଲେ ହିଁ ଏକ ଅତିମାନବୀୟ ସତ୍ତାର ଅଭ୍ୟୁଦୟ ହୋଇପାରିବ ଏହି ଦିବ୍ୟ ଭୂମି ଭାରତବର୍ଷରେ, ତାହାହିଁ ହେବ ସର୍ବଶକ୍ତିମୟୀ ମା’ଙ୍କ ପ୍ରତି ବିଜୟାଦଶମୀର ଆମର ସଶ୍ରଦ୍ଧ ଆବାହନୀ ଉଚ୍ଚାରଣ… ୟା ଦେବୀ ସର୍ବଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା, ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମଃ ନମଃ ।
– ମାନସ ରଞ୍ଜନ ନାୟକ
Comments

ମାନସ ରଞ୍ଜନ ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ, ପ୍ରବନ୍ଧ ଆଦି ରଚନା କରିଥାନ୍ତି । ତାଙ୍କ ରଚନାଗୁଡ଼ିକ କିଛି ପତ୍ରପତ୍ରିକରେ ସ୍ଥାନ ପାଇଛି ।