ମଉଳା ପାଷାଣ

Odia Poem Maula Pasana (ମଉଳା ପାଷାଣ) by Smruti Ranjan Patra

ଜହ୍ନ ଆଜି ଶୋଇଯାଏ ରାତିର କବରୀରେ
ରାସ୍ତାକଡ଼ର ହଳଦିଆ ମୁଖାପିନ୍ଧା
ବତିମାନେ କୃତ୍ରିମ ଚନ୍ଦ୍ର ସାଜୁଛନ୍ତି ଯେମିତି
ଇତସ୍ତତଃ ସେ ମାୟାବୀ ଆଲୁଅରେ
ଛଦ୍ମବେଶ ଧରି ଲୁଚିରହିଛି ଅଲଂଘ୍ୟ
ଗିରିପଥ ଟିଏ ଦୂରତାକୁ ଉପହାସ କରୁଛି ।

ମୁଁ ଚାଲୁଛି,
ପାଦ ମୋର ଥକି ଆସିଲାଣି ଦେହ ବି
ଜବାବ୍ ଦେଲାଣି ତଣ୍ଟି ଶୁଖିଯାଇଛି ଆଖିରେ
ବି ଆଖିଏ ନିଦ ମାଡ଼ି ଆସୁଛି ତଥାପି
ଯେପରି ଦିବାଲୋକର ମୃଗତୃଷ୍ଣା
ଫୁଙ୍ଗୁଳା ପବନରେ ମତେ କଟାକ୍ଷ କରୁଛି।

ରାସ୍ତାକଡ଼ର ଗୋଟିଏ ଭଙ୍ଗା ମହଲଟିଏ
ଆଜି ଅନ୍ଧାର ନିଶାରେ ଚୁର୍ ହୋଇଛି
ନିସ୍ତବ୍ଧତା ଏଠି ବର୍ଷିଯାଏ ମେଘ ରୂପକ
ପବନ ଏଠି ଶୂନ୍ୟତାର ସର୍ଜନା କରି
ପଶିଯାଏ ପାଷାଣର ସେହି ଭଙ୍ଗା ଝରକାରେ
ମଉଳିଯାଏ ପାଷାଣର ଅହମିକା…

ନିଶବ୍ଦ ଏ ପାଷାଣ ଆଜି ବିବର୍ଜିତ
ସମୟ ସୁଅରେ…
ରୈଖିକ ଜୀବନଚର୍ଯ୍ୟା ଆଜି ବିଚ୍ୟୁତ ହୁଏ
ସମୟ ଶୋକ ପ୍ରସ୍ତାବରେ
ଝଲମଲ ଅତୀତ ଖିନ୍ ଭିନ୍ ଖାଲି ଖିନ୍ ଭିନ୍
ଶବ୍ଦ ମଧ୍ୟ ପ୍ରତିଧ୍ୱନୀ ଦେଇ ଲେଉଟି ଆସେ
ଫଟା ଓଠର ଫାଙ୍କା ବାଟରେ…

ହଁ ! ମୁଁ ସେହି ମଉଳା ପାଷାଣ !
ବୟସର କୋଠାଘର ପୁରୁଣା ହୋଇ
ପ୍ରାୟ ଭଗ୍ନାବସ୍ତାରେ ପହଞ୍ଚିଲାଣି
ଯନ୍ତ୍ରଣାର ଧୂସର ଏକୁଟିଆପଣର ଅଳନ୍ଧୁ
ଓ କୋହର ଶିଉଳିର ଜଞ୍ଜିର ଆଜି
ମତେ ବନ୍ଦି କରିଦେଇଛି ଏହିଠାରେ
ଲୁହର ଜଳଭଣ୍ଡାର ଶୁଷ୍କ ପ୍ରାୟ ବୋହିବାକୁ
ଆଖିର ଜଳପ୍ରପାତରେ…

– ସ୍ମୃତି ରଞ୍ଜନ ପାତ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply