ମନେ ଅଛି ଆମ ସେ ପ୍ରଥମ ଦେଖା? ମନେଅଛି ସେଇ ପ୍ରଥମ ଦେଖାର ରାସ୍ତା? ଆଜିବି ସେଇ ରାସ୍ତାରେ ମୁଁ ଯାଉଛି ହେଲେ ତୁମେ ଦେଖାଯାଉନ । ରାସ୍ତାକୁ ପଚାରେ ତୁମ କଥା ହେଲେ ରାସ୍ତା କିଛି ବି ଉତ୍ତର ଦିଏ ନାହିଁ । କିନ୍ତୁ ଗଛ ଓ ପବନକୁ ସବୁ କିଛି ଜଣା ତଥାପି ସେ ନିରବ ରହିଥାନ୍ତି ।
ଆଜିବି ସେଇ ରାସ୍ତାରେ ମୁଁ ଅପେକ୍ଷା କରିଥାଏ ପ୍ରତ୍ୟେକ ଦିନ ସଞ୍ଜ ବେଳକୁ । ରାତିରେ ସ୍ୱପ୍ନରେ ଆସୁଥିଲ ତୁମେ, ଦେଖାହୋଇ କେତେ କଥା ହେଉଥିଲ । ହେଲେ ଆଜି କଉଠି ତୁମେ? ନା ଶୁଣିବାକୁ ମିଳୁଛି ତୁମର ପଦିଏ କଥା ନା ମିଳୁଛି ତୁମର ଦେଖା । ରାତିରେ ଆଗରୁ ଖୁସିରେ ତୁମକଥା ଭାବି ନିଦ ହେଉନଥିଲା କିନ୍ତୁ ଏବେ ତୁମ ବିରହର ଦୁଃଖକୁ ଭାବି ଭାବି ନିଦ ହେଉନି । ଆଖିକୁ ଯେତେ ମନା କଲେବି ସେ ଜମା ମାନେନି ଝରାଏ କିଛି ଲୁହ ।
ଆଜି ସେ ରାସ୍ତା ଆଉ ଆଗଭଳି ଗୋଡ଼ି ମାଟି ନାହିଁ । ସେ ବର୍ତ୍ତମାନ ପିଚୁ କଳା ରାସ୍ତା ହୋଇଯାଇଛି, ଆଗ ଭଳି ଆଉ ହସୁ ନାହିଁ , ଭିଜି ଯାଇଛି ମୋ ଆଖି ଲୁହରେ । ତୁମେ ଜାଣିନ ଆଜିବି ତୁମକୁ ଅପେକ୍ଷା କରିଥାଏ ସେଇଠି । ହଁ କେତେବେଳେ କିଛି ଲୋକ ମୋତେ ପାଗଳ କହନ୍ତି ତ ଆଉ କିଏ କେତେ କ’ଣ କହନ୍ତି କିନ୍ତୁ ମୁଁ ତ ତୁମକୁ ଅପେକ୍ଷା କରିରହିଛି ।
ତୁମ ବିନା ମୋ କାହାଣୀ ଅଧୁରା, ଯେଉଁଠି ଯାଅନା କାହିଁକି ପୁଣି ଫେରି ଆସିବ । କାହିଁକି ନା ସେଇ ନୀରବ ଭିଜା ଭିଜା ରାସ୍ତାରେ ତୁମ ଆସିବାର ବାଟକୁ ମୁଁ ନିତି ଦିନ ଚାହିଁ ରହିଛି ।
ତୁମେ ଜାଣିନ ତୁମ ପାଇଁ ବଞ୍ଚିରହିଛି, ମନରେ ବିଶ୍ୱାସ ଅଛି ପୁଣି ଥରେ ଦେଖାହେବ । ଗଲାବେଳେ କାହିଁ କହିଲନି ରାଗିଚ ନା ରୁଷିଚ । ଯେତେ ବର୍ଷା, ଶୀତ, ଖରା ଯାହା ହେଲେବି ଜଗି ରହିଥାଏ ସେଇ ବର୍ଷାର ନୀରବ ଭିଜା ଭିଜା ରାସ୍ତାରେ ତ ଆଉ କେବେ କେବେ ଝାପସା ଝାପସା ସନ୍ଧ୍ୟା ସମୟରେ ହେଲେ ତୁମେ କେବେବି ଫେରନି…
“ଫେରି ଆସ ପୁଣିଥରେ ଦେଖିଯାଅ ଥରେ ଖାଲି, ମୁଁ ସେମିତି ଚାହିଁ ରହିଛି ନୀରବ ଭିଜା ଭିଜା ରାସ୍ତାରେ…”
– ଅବିନାଶ ସିଂହ
Comments

ଅବିନାଶ ସିଂହ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।