ଏକ୍ଲାପଣର କବିତା

Odia Poem Eklapanara Kabita (ଏକ୍ଲାପଣର କବିତା) by Jyotiprakash Mohapatra

ମୈତ୍ରେ ହୋ !
କୋଉଠି ରହୁଛ ଆଜିକାଲି
ଶୁଣିଲଣି ନା ତମ ବନ୍ଧୁଙ୍କ ହାଲୋ ଟ୍ୟୁନ୍
କିମିତି ଶୁଣିବ ତମେ
ଫୋନ ତ ଲଗାଇ ନ ଥିବ ବର୍ଷ ବର୍ଷ ଧରି ।

ମେଁ ଜିନ୍ଦେଗୀ କା ସାଥ୍‌ ନିଭାତା ଚଲା ଗୟା
ହର ଫିକ୍ର କୋ ଧୂଏଁ ମେଁ ଉଡ଼ାତା ଚଲା ଗୟା
ଆଜିକାଲି ଶୁଭୁଛି
ଇଚ୍ଛା ହେଲେ ସେ ଫୋନ ଉଠୋଉଚି
ଇଚ୍ଛା ହେଲେ ଫୋନ କାଟି ଦେଉଚି ।

ହ୍ୱାଟ୍‌ସଆପ୍‌ ବି ତ କରି ନଥିବ
କୋଉ କାଳରୁ
ଦେଖିଲଣି କି ତା’ ଷ୍ଟାଟସ୍‌ କ’ଣ ରଖିଛି-
ଯଦି ତୋ’ର ଡାକ ସୁନେ କେଉ ନ ଆସେ ତୋବେ
ଏକଲା ଚଲୋରେ –
ବୋଲି ଲେଖିଛି ।

ତମେ ତ ମେସେଜଟେ ପଠାଇ ନଥିବ
ଦେଖିବ କୋଉଠୁ?

ତା’ ଫେସ୍‌ବୁକ୍‌ ଟାଇମ୍‌ଲାଇନ୍‌କୁ ଯାଇ କେବେଠୁ
ତାକୁ ଟ୍ୟାଗ୍ କରିବା ତ ତମେ ଛାଡ଼ି ଦେଲଣି
ଯାଅ ଥରେ
ଦେଖ ସେ ଖୋକା ଭାଇ ଗୀତ ସାଇତିଛି-
ହାରି ଯାଇଥିବା ଲୋକର କି ଅଛି
ଜୀଇଁଲା ଜୀଏଁ ସେ ନ ହେଲେ ନାଇଁ ।

ଏବେ ଆଉ ଓଡ଼ିଆରେ
ସେ ଟ୍ୱିଟ୍ କରୁନି,
କେବେକେବେ ରି-ଟ୍ୱିଟ୍‌ କରି କାମ ସାରୁଛି,
ତଥାପି ବନ୍ଧୁ ମୋର
ଥରେ ତା’ ପ୍ରୋଫାଇଲକୁ ଯାଅ
ଗୁଲଜାର୍‌ଙ୍କୁ ଆଜି ବି ସେ ଛାତିରେ ରଖିଚି-
ଥୋଡ଼ା ସା ରଫୁ କରକେ ଦେଖିଏ ନା
ନୟି ସି ଲଗେଗି
ଜିନ୍ଦେଗୀ ତୋ’ ହୈ
ଆଜି ବି ତା’ ପିନଡ୍‌ ଟ୍ୱିଟ୍ ।

ସିଏ ସେମିତି ଅଛି
ତା’ କମ୍ପ୍ୟୁଟର ଟେବୁଲରେ ହଳଦିଆ ଚାହା ମଗ୍, ଚଷମା
ତା’ ଶୋଇବା ଘରେ
ତମର ସେ ତାଜମହଲ ଆଗେ ଉଠେଇ ଥିବା ଫଟୋ
ଦାଣ୍ଡ ଦୁଆରେ ଚକାଆଖି ହଳକ
ଓ ତା’ ଘରେ ଏକ୍ଲାପଣର ଅଜବ ମହକ ।

ତମର କ’ଣ ହେଲା ତମେ ଜାଣିଥିବ
କାଇଁ ତା’ ହାତ ଛାଡ଼ିଲ
କାଇଁ ତା’କୁ ଜୀବନର ସ୍ଲେଟ୍‌ରୁ ନିଭେଇ ଦେଲ
କାଇଁ ତା’ ସ୍ମୃତି ଏକବାର ପୋଛିଦେଲ?

ତଥାପି ରାଣ ରହିଲା-
ଥରେ ଅଚାନକ ତା’ ଘରେ
ପହଞ୍ଚି ଯାଆ,
ଦେଖିବ ଚା’ ପିଉଥିବ ସେ
ତମେ ବି ପିଇବ
ଦରକାର ନାଇଁ ହୋ କଥା କହିବା
ତା’କୁ ଥରେ ଜାବୁଡ଼ି ଧରିବ
ଯେଯାକେ ସେ ନ କାନ୍ଦିଛି
ସେତେ ସମୟ
ଥରେ ସେ ବୋବାଳି ଛାଡ଼ି କାନ୍ଦିଲେ
ସେ ପୁଣି ଥଣ୍ଡା ପାଣି ହୋଇ ଯାଇଥିବ
ଦେଖିବ ସେଇଠି ଠିଆ ହୋଇ
କେମିତି ସେ ତୁମ ଦିହେ ଆସ୍ତେ ଆଉଜି ଯିବ !

ତୁମ ଗ୍ରୁପ୍‌ ମେଲ୍, ମ୍ୟାନେଜର ପୋଜିସନ୍
ଓ୍ୱାର୍ଡ଼, ଏକ୍ସେଲ୍, କମ୍ପାନୀର ନୂଆ ସଫ୍ଟଓୟାର୍
ହରେକ୍‌ ସମୟରେ ବିଜିର ବାହାନା
ଦେଖାଉଥିବା ତମେ ଓ ତମ ଫୋନ୍‌କୁ
ଫୁରସତ୍‌ ମିଳିଲେ
ଏତକ କରିବ ନିଶ୍ଚିତ
ରାଣ ତ ପକାଇ ସାରିଛି
ମୈତ୍ରେ ହେ ।

– ଜ୍ୟୋତି ପ୍ରକାଶ ମହାପାତ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply