ରାକ୍ଷୀର ସଂଜ୍ଞା

Rakhira Sajna by Swati Swagatika Lenka

ସମୟ ରାତି ନ’ଟା ପନ୍ଦର ପାଖାପାଖି ହେବ । ଅଫିସରୁ ଛୁଟି ନେଇ ଆଭା ଘରକୁ ଯିବ ବୋଲି ଟ୍ରେନ୍‌ରେ ତରବର ହେଇ ଚଢ଼ିଲା । ଯିବନି ବି କେମିତି, ରାକ୍ଷୀ ପୁନେଇଁ ପରା ଗୋଟେ ଦିନ ପରେ । ନିଜ ସିଟ୍‌ରେ ବସି ବ୍ୟାଗପତ୍ର ରଖିଦେଇ ଘରକୁ ଫୋନ୍ କରି ଜଣେଇଦେଲା । ଆଉ ସେ ଆସୁଛି ବୋଲି ଭାଇକୁ ନ ଜଣେଇବାକୁ ବି ମାଆଙ୍କୁ କହି ଫୋନ୍ କାଟିଦେଲା । ତା’ପରେ ଭାଇ ପାଇଁ ଯେଉଁ ସୁନ୍ଦର ରାକ୍ଷୀଟେ ଆଣିଥିଲା ତାକୁ ନିରିଖେଇକି ଦେଖିଲା । ଆଉ ଭାବୁଥାଏ ସତରେ ଏଇ ଭାଇଭଉଣୀ ସମ୍ପର୍କ କେତେ ନିଆରା ସତେ । ଯେତେବେଳେ ଛୁଆ ଥିଲେ ଭାଇ ଅମୟ ସକାଳୁ ସକାଳୁ ଜଲଦି ଉଠି ଆଭାକୁ ଉଠେଇ କେତେ ଶୀଘ୍ର ରାକ୍ଷୀ ବାନ୍ଧିବ ବୋଲି ଅସ୍ତବ୍ୟସ୍ତ ହେଇ ଉଠେ । ସେ ସବୁ କଥା ଭାବି ହସୁ ଥାଏ । ସତରେ ସମୟ ବଦଳିଗଲା ନା ମଣିଷର ସମ୍ପର୍କର ସଂଜ୍ଞାକୁ ବଦଳେଇଦେଲା…

ଏମିତି ଭାବୁ ଭାବୁ ପିଠିରେ କାହାର ସ୍ପର୍ଶ ପାଇ ଚମକି ପଡ଼ିଲା ସେ । ତିନୋଟି ଚାରୋଟି ସମାନ ବୟସର ପୁଅ ଦେଖୁଦେଖୁ ତା’ ମୁହଁ ବନ୍ଦ କରି ତାକୁ ଭିଡ଼ିନେଲେ; ବାଥ୍‌ରୁମ୍‌ରେ କବାଟ ବନ୍ଦ କରି ଦେହ ସହ ଖେଳି ଦେଇ ଚାଲି ଗଲେ । ଯେତେ ଚିତ୍କାର କଲା ଟ୍ରେନର ଶବ୍ଦରେ କୋଉଠି ଯାଇ ମିଳେଇଗଲା ତା’ର ସେ ଚିତ୍କାର । କ୍ଷଣିକରେ କ’ଣ ସବୁ ହେଇଗଲା ସେ କିଛି ଜାଣି ପାରିଲାନି । ସକାଳୁ ଟ୍ରେନ୍‌ ଲାଇନ୍‌ରେ ଗୋଟେ ଝିଅର ଶବ ପାଇ ଗାଆଁ ଲୋକ ପୋଲିସ୍‌କୁ କଲ୍ କଲେ । ପୋଲିସ ତୁରନ୍ତ ଆସି ତା’ର ପର୍ସରେ ଥିବା କାଗଜପତ୍ରରୁ ଫୋନ୍ ନମ୍ବର ପାଇ ବାପାଙ୍କୁ ଜଣେଇଦେଲା । ବାପାମାଆ ସ୍ତବ୍ଧ ହେଇଗଲେ । କାଲି ହିଁ ଯୋଉ ଝିଅ ରାକ୍ଷୀ ପାଇଁ ଏତେ ଖୁସି ହେଇ ଆସୁଥିଲା ସେ କି ଜାଣିଥିଲା ଆଉ କାହା ଭାଇର ଭୋକର ଶୀକାର ହେଇଯିବ ବୋଲି ! ବାପାମାଆ ଭାଇ ପହଞ୍ଚୁ ପହଞ୍ଚୁ ଭାଇ ବେହୋସ ହେଇଗଲା । କାନ୍ଦିକାନ୍ଦି ଭଉଣୀ ହାତରେ ଧରିଥିବା ରାକ୍ଷୀକୁ ଧରି ପ୍ରତିଶୋଧର ନିଆଁରେ ଜଳୁଥାଏ । ଆଭାର ଭୁଲ ଏଇଆ ଥିଲା କି, ସେ ତା’ ଭାଇ ହାତରେ ରାକ୍ଷୀ ବାନ୍ଧିବାକୁ ଆସିଥିଲା । ଅମୟ ଲୁହଭରା ଆଖିରେ ଭାବୁଥାଏ ଯଦି ଆଇନ୍ ଏହିଭଳି ପାପୀମାନଙ୍କୁ ସେହିଭଳି ବଡ଼ ଦଣ୍ଡ ଦେଉଥାନ୍ତା, ଆଜି ହୁଏତ ତା’ ଭଉଣୀ ଭଳି ମୌମିତା, ପ୍ରିୟଙ୍କା, କେବେଠୁ ନ୍ୟାୟ ପାଇ ସାରନ୍ତାଣି । ଆଉ ସେଇ ଲୁହ ଭିଜା ଆଖିରେ ରାକ୍ଷୀକୁ ଧରି ଶପଥ ନେଲା ଦୋଷୀ କିଏ ଜାଣି ମଧ୍ୟ ଆଇନ୍ ଯାହା ନକରି ପାରିଛି ତାହା ଗୋଟେ ଭାଇ କରିକି ଦେଖେଇବ । ଆଉ ସେଇଟା ହିଁ ହେବ ରାକ୍ଷୀର ସଂଜ୍ଞା ।

– ସ୍ଵାତୀ ସ୍ଵାଗତିକା ଲେଙ୍କା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...