ଜ୍ୟୋତ୍ସ୍ନା ବି ଭାବୁଥିବ ଜହ୍ନ କଥା,
ଆଉ ରାତି ବି ମାଗୁଥିବ ହିସାବ
ତାରାଙ୍କ ଉପସ୍ଥିତିର ।
ଅନ୍ଧାର ଖୋଜୁଥିବ କୋଣ ଲୁଚିବାକୁ,
ଆଉ ମୁଁ ଗଣୁଥିବି
ମଲା ସ୍ୱପ୍ନ ମାନଙ୍କର ଶବକୁ ।
ତୁମେ ତ ନୀଳ ଆକାଶ,
କେବେ ଗଣିଛ କି ଉଡ଼ୁଥିବା
ପକ୍ଷୀର ଡେଣା ।
ଫୁଲ କ’ଣ ଶୁଙ୍ଘି ଆତୁର ହୁଏ
ନିଜ ଦେହ ବାସ୍ନା?
ସେ ତ କୃଷ୍ଣମୃଗ, ଖୋଜୁଥିବ ନିଜ ଦେହେ କସ୍ତୁରୀର ଗନ୍ଧ,
ମହକାଇ ଚଉଦିଗ ନିଜ
ଈଶ୍ୱରୀୟ ମାନବିକତାର ସୁଗନ୍ଧ ।
ଜହ୍ନ ଅବୟବ, ଜ୍ୟୋତ୍ସ୍ନା ପ୍ରକାଶ,
ରାତ୍ରି ଆକାଶେ, ନକ୍ଷତ୍ର ଅଶେଷ ।
ଆଙ୍ଗୁଠି ଅଗରେ ତାକୁ ଗଣିନିଏ,
ଯେତେଯାଏଁ ମୋର ଛୋଟ ଆଖିପାଏ ।
କଳ୍ପନା ପ୍ରାନ୍ତରେ, ଚୁନି ଚୁନି ଫୁଲ,
ଛୋଟ ଛୋଟ ସିନା, ଖୁବ୍ ପାଏ ଭଲ ।
ନିଥର ନିଶିଥେ ଏକା ହୋଇଯାଏ,
ଅମାବାସ୍ୟା ଚନ୍ଦ୍ର ଯେବେ ହଜିଯାଏ ।
ଏହି କୁନି ତାରା, ପ୍ରାଣର ପ୍ରତୀକ,
ତମ ଭରା ପଥ, ଆଶାର ଝଲକ ॥
– ବିଶ୍ୱନାଥ କିଙ୍କର ରାଉତ
Comments
ବିଶ୍ୱନାଥ କିଙ୍କର ରାଉତ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।