ଅନେକ ବର୍ଷ ତଳର କଥା । ଭାରତର ପୂର୍ବ ଉପକୂଳରେ ଓଡ଼ିଶା ବୋଲି ଗୋଟେ ରାଜ୍ୟ । ସେଠି ପ୍ରାୟ ୩.୫ କୋଟି ଲୋକ ଓଡ଼ିଆ ଭାଷା କୁହନ୍ତି ଓ ପ୍ରାୟ ୧ କୋଟି ଲୋକ ୨୯+ ଭାଷା କୁହନ୍ତି । ରାଜ୍ୟର ରାଜଭାଷା ଓଡ଼ିଆ ।
ଓଡ଼ିଶା ଲୋକେ ଭାରତର ଅନେକ ଭାଷାକୁ ସମାନଭାବେ ଭଲ ପାଆନ୍ତି, ତେଣିକି ଓଡ଼ିଆ ହଉ କି ହିନ୍ଦୀ କି ବେଙ୍ଗଲୀ କି ତେଲୁଗୁ ।
ତା’ପରେ କ’ଣ ହେଲା ନା କିଛି ଲୋକଙ୍କୁ କେବଳ ଉର୍ଦ୍ଦୁ ମିଶା ହିନ୍ଦୀ ବହୁତ ଭଲ ଲାଗିଲା ।
ଓଡ଼ିଆ ଚଳଚିତ୍ର ଜଗତ ଗୋଟେ ନୂଆ ରୂପ ଧାରଣ କଲା । ଅଧିକାଂଶ ଗୀତରେ ଉର୍ଦ୍ଦୁ ମିଶା ହିନ୍ଦୀ ଶବ୍ଦ ଭରିଦିଆଗଲା । ଚଳଚିତ୍ର ଜଗତ କହିଲା ଯେ ଲୋକଙ୍କୁ ଭଲ ଲାଗୁଛି ବୋଲି ଆମେ ଏମିତି କରୁଛୁ । କିଛି ଲୋକ କହିଲେ ଯେ ସେମିତି ଚଳଚିତ୍ର ହେବାରୁ ଲୋକଙ୍କୁ ଦେଖିବାକୁ ପଡୁଛି । ହଉ ଛାଡ଼ ସେକଥା । ଚଳଚିତ୍ର ଜଗତକୁ କଣ ଧରି ବାନ୍ଧି ଭାଷା ଶିଖାଯାଇପାରିବ?
ତା’ପରେ ଓଡ଼ିଆ ଗଣମାଧ୍ୟମ ମଧ୍ୟ ଗୋଟେ ନୂଆ ରୂପ ଧାରଣ କଲା । ସେମାନେ ବି ଅନେକ ଲେଖା ଓ କଥାରେ ଉର୍ଦ୍ଦୁ ମିଶା ହିନ୍ଦୀ ଶବ୍ଦର ବହୁଳ ବ୍ୟବହାର କଲେ ।
ଏସବୁ ଜିନିଷ କିଛି ଲୋକଙ୍କୁ ଭଲ ଲାଗିଲାନି । ସାହିତ୍ୟରେ ନୂଆ ଶବ୍ଦ ଯୋଡ଼ିବାର କାମ ଲେଖକ ଓ କବିଙ୍କର । ଯଦି ଜଣେ ସାଧାରଣ ଲୋକ କି ଚଳଚିତ୍ର ଜଗତ କି ଗଣମାଧ୍ୟମ ନିଜ ଇଚ୍ଛା ଅନୁସାରେ ପ୍ରବଳ ବାହ୍ୟ ଶବ୍ଦ ବ୍ୟବହାର କରେ ଓ ସ୍ଥାନୀୟ ଶବ୍ଦଗୁଡ଼ିକର ବ୍ୟବହାର ବନ୍ଦ ହୋଇଯାଏ ତାହେଲେ କିଛି ବର୍ଷ ପରେ ଓଡ଼ିଆ ଭାଷାର ବାକ୍ୟଗଠନ ସେ ବାହ୍ୟ ଭାଷା ଭଳି ହେଇଯାଏ । ତେଣୁ ଯୋଉ ଲୋକଙ୍କୁ ଏସବୁ ଜିନିଷ ଭଲ ଲାଗୁନଥିଲା, ସେମାନେ ଏ ମିଶ୍ରିତ ଭାଷା ବା ଖେଚୁଡ଼ିଓଡ଼ିଆ ବିରୋଧରେ କହିବାକୁ ଲାଗିଲେ । କିନ୍ତୁ ଅଧିକାଂଶ ଲୋକଙ୍କୁ ତ’ ଖେଚେଡ଼ି ଭଲ ଲାଗେ । ସେ ଅଳ୍ପ କିଛିଟା ବିରୋଧ କଲେ କଣ ହେବ?
ଏମିତି ସମୟ ଗଡ଼ିଗଲା । କାଳ ପଡ଼ିବାକୁ କଣ ହେଲା ନା, ଓଡ଼ିଶାର ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ବି ଦୁର୍ବଳ ହେଇଚାଲିଲା । ଓଡ଼ିଆ ଧୀରେ ଧୀରେ ଖେଚୁଡ଼ିଓଡ଼ିଆ ହେଇଚାଲିଲା । ଆଉ କିଛି ବାଟ ନଥିଲା । ଭାଗ୍ୟକୁ ଆଦରି ବସିବାର ଥିଲା । ଖେଚୁଡ଼ିଓଡ଼ିଆ ବିରୋଧରେ କହୁଥିବା ଲୋକ ବି ଚୁପ ହେବାକୁ ଲାଗିଲେ । ଓଡ଼ିଶାରେ ଚାକିରୀବାକିରିର ସମସ୍ୟା ପ୍ରବଳ । ସେ ପୂର୍ବକାଳରେ କୁଆଡ଼େ କଳିଙ୍ଗ ଲୋକ ନୌବାଣିଜ୍ୟ କରିବାକୁ ଯାଉଥିଲେ କିନ୍ତୁ ଏବେ ଗୋଟେ ଛୋଟ ବ୍ୟବସାୟ କରିବାକୁ ଡରୁଛନ୍ତି । ସେ ଯାହାହେଉ, କିଛି ତ କାମ କରିବାକୁ ପଡ଼ିବ ।
ଥରେ ଗୋଟେ କ’ଣ ନୂଆ ଜିନିଷ ଶୁଣିବାକୁ ମିଳିଲା “ଷ୍ଟାର୍ଟ-ଅପ” । ସରକାର ବି କିଛି ସାହାଯ୍ୟ କରିବେ ବୋଲି ଶୁଣିବାକୁ ମିଳିଲା ।
ଖେଚୁଡ଼ିଓଡ଼ିଆ ବିରୋଧରେ କହୁଥିବା ଲୋକ (ଯିଏ ଚୁପ ହେଇଯାଇଛନ୍ତି) ଥରେ ଭାବିଲେ ଯେ ଷ୍ଟାର୍ଟ-ଅପ ଆରମ୍ଭ କରିବେ । ଏମିତି କଥା ହେଉ ହେଉ ମୁଣ୍ଡକୁ ଗୋଟେ କଥା ଆସିଲା । ବର୍ତ୍ତମାନ ତ’ ଓଡ଼ିଶାରେ ଖେଚୁଡ଼ିଓଡ଼ିଆ ବେପାର ଭଲ ଚାଲିଛି ଓ ଚଳଚ୍ଚିତ୍ର ଏବଂ ଗଣମାଧ୍ୟମରେ ବି ସେଇ ଖେଚେଡ଼ିର ବ୍ୟବହାର ହେଉଛି । ତାହେଲେ ଆଗକୁ ବି ଚାହିଦା ବଢ଼ିପାରେ । ଆମେ ଯଦି ମିଶିକି ଗୋଟେ “ଖେଚୁଡ଼ି ଓଡ଼ିଆ ପ୍ରଶିକ୍ଷଣ ସଂସ୍ଥା” ଖୋଲିବା ଓ ସେ’ଠି ଓଡ଼ିଆକୁ କେମିତି ଖେଚୁଡ଼ିଓଡ଼ିଆ କରାଯାଏ ଶିଖେଇବା ତାହେଲେ ଭବିଷ୍ୟତରେ ଭଲ ଭଲ ଖେଚେଡ଼ି ରୋଷେଇଆ ବାହାରିବେ (ମାନେ ଖେଚୁଡ଼ିଓଡ଼ିଆ ଭଲରେ କହିପାରୁଥିବା ପ୍ରଶିକ୍ଷିତ ଲୋକ) ଓ ସେମାନଙ୍କୁ ଅତି ସହଜରେ ଚଳଚିତ୍ର ଜଗତ ଓ ଗଣମାଧ୍ୟମରେ ଚାକିରୀ ମିଳିଯିବ । ପୁଣି କିଛି କହିଲେ ଏମିତି କରି ଓଡ଼ିଆ ଭାଷାକୁ ନଷ୍ଟ କରିବା ଠିକ ହେବନି ।
ଏମିତି ଦ୍ୱନ୍ଦରେ ରହି ରହି ଶେଷରେ ସ୍ଥିର କଲେ ଯେ ସଂସ୍ଥାଟି ଖୋଲିବା କାରଣ ଏମିତିରେ ବି ଓଡ଼ିଆ ଭବିଷ୍ୟତରେ ଉର୍ଦ୍ଦୁ ହିନ୍ଦୀ ମିଶା ଖେଚୁଡ଼ିଓଡ଼ିଆ ହିଁ ହେବ ଓ ତା’ ସହିତ ଟିକେ ଇଂରାଜୀ ଛୁଙ୍କ ବି ଲାଗିବ । ଗୋଟେ ଶୁଭ ମୁହୂର୍ତ୍ତ ଦେଖି “ଖେଚୁଡ଼ି ଓଡ଼ିଆ ପ୍ରଶିକ୍ଷଣ ସଂସ୍ଥା” ଖୋଲିଲା । ସେ’ଠି ଶିଖାଗଲା କେମିତି ସବୁ ଓଡ଼ିଶାର ସ୍ଥାନୀୟ ଶବ୍ଦ ପୂରା ଲିଭେଇ ଦେଇ କେବଳ ବାହ୍ୟ ଶବ୍ଦ ବ୍ୟବହାର କରିବ । ଆଉ ଏଇଟା ବି ଶିଖାଗଲା ଯେ ଯଦି କିଏ ତମ ବିରୋଧରେ ଆସେ ତାକୁ କହିବ ଯେ ଏସବୁ ଆଧୁନିକ ଶବ୍ଦ, ସମୟ ଅନୁସାରେ ସବୁ ବଦଳେ ଓ ଆମେ ବି ବଦଳିବା, ଜୟ ଖେଚୁଡ଼ିଓଡ଼ିଆ ।
ସେ ସଂସ୍ଥାରେ ପ୍ରଶିକ୍ଷିତ ଅନେକ ଛାତ୍ରଛାତ୍ରୀ ଚଳଚ୍ଚିତ୍ର ଜଗତ ଓ ଗଣମାଧ୍ୟମରେ ଭଲ ଚାକିରୀ ପାଇଲେ ଓ ଧୀରେ ଧୀରେ ଖେଚୁଡ଼ିଓଡ଼ିଆର ପ୍ରଚାର ପ୍ରସାର କରାଇଲେ ।
ଆଜି “ଖେଚୁଡ଼ି ଓଡ଼ିଆ ପ୍ରଶିକ୍ଷଣ ସଂସ୍ଥା” ଓଡ଼ିଶାର ଗୋଟେ ଭଲ ସଂସ୍ଥା ଭାବେ ପରିଗଣିତ ହେଉଛି ।
[ଏଇଟା ଗୋଟେ ଗପ ଥିଲା । ସତ ବୋଲି ଭାବିବେନି ।]
– ଆଶିଷ କୁମାର ନାୟକ
Comments
ଆଶିଷ କୁମାର ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।