ସ୍ୱପ୍ନର ମରୁଯାତ୍ରା

ନଶ୍ୱର ଶରୀରରେ ନିଃଶ୍ୱାସ ପ୍ରଶ୍ୱାସର ଧାରା ଅବିଛିନ୍ନ ଥିଲାଯାଏ ଗଢ଼ୁଥାଏ ଭାଙ୍ଗୁଥାଏ ସ୍ୱପ୍ନର ସୁଉଚ୍ଚ ଅଟ୍ଟାଳିକା, କିଛି ବନ୍ଦ୍ ଆଖିର ପଲକ ତଳେ ଆଉକିଛି ଖୋଲା ଆଖିରେ ଆଖିଏ ଜଞ୍ଜାଳ ଭିଡ଼ରେ । ସ୍ୱପ୍ନରୁ ବାସ୍ତବିକତାକୁ ରୂପାନ୍ତରଣର ପ୍ରକ୍ରିୟାଟି କିନ୍ତୁ ଖୁବ୍ ରହସ୍ୟମୟ ପ୍ରତିତହୁଏ ଜୀବନପଥର ଦୋଛକିରେ ବେଶ୍ କିଛି ବାଟ ଅତିକ୍ରାନ୍ତ କରି, କେଉଁ ଏକ ଝଙ୍କାଳିଆ ବର ଓହଳର ସ୍ନିଗ୍ଧ ଶୀତଳ ଛାଇତଳେ ଅବକାଶ ନେଉ ନେଉ ଅନ୍ତର୍ମୁଖୀ ହେଲାବେଳେ । ପ୍ରାପ୍ତି ଓ ପ୍ରୟାସର ସମାନ୍ତରାଳ ସମୀକରଣଟି କିନ୍ତୁ ଅଷ୍ଟମ କକ୍ଷାରେ ପଢ଼ିଥିବା ଗଣିତଠୁ ବେସ୍ ଭିନ୍ନ ବାରିହୁଏ । ଜୀବନ ଗୋଲକର ବିସ୍ମୟକର ଘୂର୍ଣ୍ଣନ ସହିତ, ଆଶା ଆକାଂକ୍ଷାର ଅଦୃଶ୍ୟ ଅକ୍ଷାଂଶ ସବୁ ଦୂର ସ୍ୱପ୍ନିଳ ଦିଗବଳୟରେ ଅପହଞ୍ଚ ଦ୍ରାଘିମା ପ୍ରାୟ ମନେହୁଏ । ହେଲେ ଜୀବନ କ’ଣ ଷ୍ଟେସନରେ ବିଚ୍ୟୁତ ହୋଇ ବନ୍ଦ ପଡ଼ିଥିବା ମାଲଗାଡ଼ି ହୋଇଛି ଯେ ସ୍ଥିର ହୋଇଯିବ ! ପୁଣି କୁଆଁମାରେ ଆଉ ଏକ ସବୁଜ ସ୍ୱପ୍ନ ଆଶା ଆଲୁଅକୁ ମୁହଁ କରି ଏକ ନୂତନ ଦିଗକୁ । କେତେବେଳେ ଅଂଶୁଘାତ ତ କେତେବେଳେ ମୌସୁମୀର ମାଦକୀୟ ବୃଷ୍ଟି ଧାରା… ତଥାବି ନିରବଛିନ୍ନ ଏ ସ୍ୱପ୍ନର ମରୁ ଯାତ୍ରା !

ହେଉ ସେ ଦିବା ସ୍ୱପ୍ନ ଅବା ଲହୁ ଲୁହ ଭିଜା ନିରୁତା ପ୍ରାପ୍ୟର ଆଞ୍ଜୁଳାଏ ଅଭିପ୍ସା, ମହାକାଳର ଇଙ୍ଗିତରେ କ୍ଷଣିକେ ପରିବର୍ତ୍ତିତ ହୋଇଯାଏ ସବୁକିଛି… ମୋକ୍ଷରୁ ମୃତ୍ୟୁ,ନିର୍ବାଣରୁ ଆସକ୍ତି କିମ୍ୱା ପୂର୍ଣ୍ଣତାରୁ ଶୂନ୍ୟତା । ପ୍ରାପ୍ତି- ଅପ୍ରାପ୍ତି, ସନ୍ତୋଷ-ଅବସୋସ ଭିତରେ ବି ଆଉ ଏକ ସ୍ୱପ୍ନର କ୍ଷୀଣ ଅଙ୍କୁରଣଟିଏ ବାସ୍ତବିକତାର ଉର୍ବର ପଟାଳିରେ ଉଧେଇବାକୁ ସଂଘର୍ଷ ଜାରି ରଖିଥାଏ। ଝରକା ସେପାଖର ମୋହ କୋହର ଜୁଆର ଭଟ୍ଟା ଭରା ଜୀବନ ସମୁଦ୍ରର ଗୁରୁ ଗର୍ଜନରେ କେତେବେଳେ ଭିତ୍ତତ୍ରସ୍ତ ତ କେତେବେଳେ ଆଶା ଅଭିପ୍ସାର ନୀଳାମ୍ୱୁ ଦିଗବଳୟର ଆକର୍ଷଣରେ ସ୍ୱପ୍ନାରୋହୀ ସାଜେ । ସ୍ୱପ୍ନର ବି ଏବେ କିଣା ବିକା ଚାଲେ, ସ୍ୱପ୍ନ କ’ଣ ନାସ୍ତିକତାର ପ୍ରଗଳ୍ଭତା ନା ଆଞ୍ଜୁଳାଏ ମାଟିର ମୋହ? ହେଉ ପଛେ ସ୍ୱପ୍ନ ମୃଗତୃଷ୍ଣାର ପ୍ରତୀକ୍ଷା, ହେଉ ସେ ଦୁଃସ୍ୱପ୍ନ ଅବା ଦିବା ସ୍ୱପ୍ନ, କର୍ତ୍ତବ୍ୟର ବୁଢ଼ିଆଣି ଜାଲରୁ ମୁକୁଳି ନିଜ ପାଇଁ ବି କିଛି ସ୍ୱପ୍ନ ଦେଖିବାକୁ ପଡ଼େ । ବାଲକୋନୀର କୁଣ୍ଡ ମାନଙ୍କରେ ବୁଣି ଦେଇଛି ଏବେ ସ୍ୱପ୍ନ କେଇ ମୁଠା, ରିତିମତ୍ ପାଣି ଦେଇ ଚାହିଁ ରହିଛି ଶୁଭପଲ୍ଲବର ସକରାତ୍ମକ ଅଙ୍କୁରଦ୍ଗମଟିକୁ… ନୂଆ ସକାଳର ସୁନେଲୀ କିରଣ ସ୍ପର୍ଶରେ ହୁଏତ ହସି ଉଠିବ ସ୍ୱପ୍ନର ସାର୍ଥକତା ଅବା ବାଳ ସୂର୍ଯ୍ୟର ଆଲିଙ୍ଗନ ପୂର୍ବରୁ ସ୍ୱପ୍ନ କୋଣାର୍କ ହେବ ପୁନର୍ବାର ଶତ ବିଧ୍ୱଂସ ! ଅନ୍ତହୀନ କ’ଣ ତାହେଲେ ସ୍ୱପ୍ନର ଏ ମରୁ ଯାତ୍ରା?

– ମାନସ ରଞ୍ଜନ ନାୟକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply