ସ୍ୱପ୍ନର ଦୁନିଆ ମୋର ଅଟେ ଯେ ନିଆରା
ଫୁଲ ପରି କୋମଳ ସେ, ସୁଖର ଆସରା
ଶେଯରେ ବିଛାଏ ସ୍ୱପ୍ନ କେତେ କେତେ ମୁଁ ଯେ
ସୁଖର ଆସରାରେ କେବେ କେବେ ହଜେ ॥
ସ୍ୱପ୍ନ ଆଣେ ନୂଆ ସକାଳର ବାସ୍ତବତା
ପୁଣି କେବେ ଆଣେ ଜୀବନରେ ନୀରବତା
ଉଙ୍କିମାରେ ପ୍ରଶ୍ନ କିଛି ଏ ମନର ଭିତରେ
ଘୁରି ବୁଲେ ଅଧାଭଙ୍ଗା ସ୍ୱପ୍ନ ସାକାରରେ ॥
ସ୍ୱପ୍ନ ଆଗମନରେ କେବେ ନଥାଏ ଦିନ ରାତି
ସେହି ସ୍ୱପ୍ନ ଦିଏ ଶୀତ ଓ ଉଷ୍ମତାର ତାତି
ସ୍ୱପ୍ନ ଥାଏ ଅଧାଭଙ୍ଗା ଛୋଟ ବାଲିଘରେ
ଥାଏ ପୁଣି ଜୀବନର ଆଶା ନିରାଶାରେ ॥
କେମିତି ଦେବି ମୁଁ ଏ ମନକୁ ଭରସା
ରଖିନାହିଁ କେବେ ମନେ ଏପରି ଲାଳଶା
ସତେ କ’ଣ ସ୍ୱପ୍ନ କେବେ ସତ ହୁଏ ନାହିଁ?
ଅବା ସ୍ୱପ୍ନ ଦେଖିବାର କିଛି ଯଥାର୍ଥତା ନାହିଁ ॥
ଜାଣିଛ କି ସ୍ୱପ୍ନର ସୀମା ଅଟେ କେତେ ଦୂର?
ପାରେ ନାହିଁ ମାପି ମୁଁହି ତା’ର ପରିଧିର
ଜାଣିଲି ଯେ ଅସରନ୍ତି ସ୍ୱପ୍ନ ଆସେ ଜୀବନରେ
ପୂରଣ କରିବା ମୋର ଆୟତ ବାହାରେ ॥
– ଶୁଭଙ୍କର ଶତପଥୀ
Comments
ଶୁଭଙ୍କର ଶତପଥୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।