ସ୍ୱଚ୍ଛ ଭାରତ

swachha-bharat

ଆଜ୍ଞା ! ଆପଣମାନେ ଏହି କିଛି ବର୍ଷ ହେଲା ‘ସ୍ୱଚ୍ଛ ଭାରତ’ର ସ୍ଳୋଗାନଟି ବହୁଳ ମାତ୍ରାରେ ଶୁଣୁଥିବେ । କିନ୍ତୁ ଜାଣନ୍ତି ଏହି ସ୍ଳୋଗାନଟି ବହୁ ପୁରାତନ । ଆମର ଏବେଏବେ ଏହାସହ ପରିଚୟ ହୋଇଛି । ଯାହା ବି ହେଉ ପରିଚୟଟା ତ’ ହୋଇଯାଇଛି । ଏବେ ଆଉ ଏହା ଆମପାଇଁ ନୂଆ ନୁହେଁ । କାହିଁକିନା ଟିକସ ନାଁରେ ଏହା ଆମ ପର୍ସଟିକୁ ବି ହାଲୁକା କରୁଛି । ‘ସ୍ୱଚ୍ଛ ଭାରତ’ର ସବୁଠାରୁ ମଜାକଥାଟି ହେଲା ହାତରେ ଝାଡ଼ୁଟିଏ ଧରି ଫୋଟ ଉଠାଇ ସୋସିଆଲ ମିଡ଼ିଆରେ ଅପ୍‌ଲୋଡ଼ କରିବା ।

ଏଇ ତ କିଛିଦିନ ଆଗରୁ ଆମ ଅଫିସ୍‌ରେ ‘ସ୍ୱଚ୍ଛ ଭାରତ’ ନାଁ’ରେ ସଫେଇ କାର୍ଯ୍ୟକ୍ରମଟିଏ ଅୟୋଜିତ ହୋଇଥିଲା । ସଫେଇ ଅପେକ୍ଷା ଝାଡ଼ୁଧରି ଫୋଟ ଉଠାଇବା ମୋହଟା କାହିଁକି କେଜାଣି ଟିକିଏ ଅଧିକ ଥିବାପରି ଲାଗୁଥିଲା । ମୁଁ ବି କେମିତି ସେଥିରୁ ବାଦ୍ ପଡ଼ିଥାଆନ୍ତି । ଖୁବ୍ ଗର୍ବରେ ଝାଡ଼ୁଧରି ଭଲ ଭଲ ଦୁଇ ଚାରିଟା ପୋଜରେ ଫୋଟ ଉଠାଇଲି । କିନ୍ତୁ ଅପ୍‌ଲୋଡ଼ କରିବାକୁ ଇଚ୍ଛା ହେଲାନି । ସେତେବେଳେ ଭାବୁଥିଲି ଯଦି ଏହି ସ୍ଳୋଗାନଟା ରାଜରାଜୁଡ଼ା ସମୟରେ ହୋଇଥାଆନ୍ତା ତେବେ ବୋଧହୁଏ ଆମ ଗଜପତି ମହାରାଜାଙ୍କୁ ଅପମାନିତ ହେବାକୁ ପଡ଼ିନଥାନ୍ତା କି କାଞ୍ଚି ଅଭିଯାନର ଯୁଦ୍ଧଟାର ମଧ୍ୟ ଆବଶ୍ୟକତା ପଡ଼ିନଥାନ୍ତା । ଆଉ ସବୁଠାରୁ କୌତୁହଳ ଏଇଟା ହୋଇଥାଆନ୍ତା ଯେ ଏହି ଅସ୍ପୃଶ୍ୟ, ଦଳିତ ଆଦି ଶବ୍ଦର ଉତ୍ପତ୍ତି ମଧ୍ୟ ହୋଇନଥାନ୍ତା କି ଆଜିର ଯୁବପିଢ଼ୀ ରିଜର୍ଭେସନ କିମ୍ବା କୋଟାର ଚକ୍ରବ୍ୟୁହରେ ଫସୁନଥାନ୍ତେ । ମୁଁ କିଛି ଭୁଲ୍ କହିଦେଲି କି ଆଜ୍ଞା? ଯଦି ମୁଁ ଭୁଲ୍ ତେବେ ମୋତେ ଭୁଲ୍ ବୁଝିବେ ନାହିଁ । ହୁଏତ ମୋ ଚିନ୍ତାଧାରା ଭୁଲ୍ ହୋଇଥାଇପାରେ । ତେବେ ଛାଡ଼ନ୍ତୁ ସେ କଥା । ଏବେ ଆଲୋଚନା କରିବା ଏହି ସ୍ୱଚ୍ଛ ଭାରତ ବିଷୟରେ ।

ସେଦିନ ସକାଳୁ ସକାଳୁ ମୁଁ ଆମ ଅଫିସ୍‌ରେ ‘ସ୍ୱଚ୍ଛ ଭାରତ ଅଭିଯାନ’ ସାରି ପେଟେ ଟିଫିନ୍ ଖାଇଦେଇ ଘରକୁ ଆସିଲି । ଘରେ ପତ୍ନୀ ମହାଶୟା ମୋ ଉପରେ ରାଗି ଖପ୍ପା । କାହିଁକିନା ଘରେ ପହଞ୍ଚିବାରେ ମୋର ଟିକିଏ ବିଳମ୍ବ ହୋଇଯାଇଥିଲା । ସେଦିନ ଥିଲା ମୋପୁଅ ସୁନୁର ଜନ୍ମଦିନ । ପ୍ଲାନିଂ ଥିଲା ସକାଳୁ ସକାଳୁ ଶିଘ୍ର ଗାଧୋଇ ପୁଅ ଆଉ ପତ୍ନୀଙ୍କୁ ନେଇ ଶିବ ମନ୍ଦିର ଯିବା । କିନ୍ତୁ ମୋର ବିଳମ୍ବଟା ସବୁକିଛି ଗଡ଼ବଡ଼ କରିଦେଇଥିଲା । ତଥାପି ମୁଁ ଆଉ କାଳ ବିଳମ୍ବ ନକରି ଗାଧୋଇପାଧୋଇ ଶିଘ୍ର ବାହାରିପଡ଼ିଲି ମନ୍ଦିର ଯିବାକୁ । ତରତର ହୋଇ ମନ୍ଦିରରେ ପହଞ୍ଚି ଗାଡ଼ୁରୁ ଓହ୍ଲାଇପଡ଼ି ଦୌଡିଗଲି ଭୋଗପାଇଁ ମନ୍ଦିରପାଖ ଫଳ ଦୋକାନକୁ । ସେ କଦଳୀ, ନଡ଼ିଆ ଆଉ ତିନି ଚାରି ପ୍ରକାରର ଫଳ ତଥା ଧୂପ ଦୀପ ଦୁଇଟି ପଲିଥିନ୍ ଭିତରେ ପୁରାଇ ଦେଇ ମୋ ଦୁଇ ହାତକୁ ଟେକି ଦେଲା । ସେସବୁକୁ ମୁଁ ନେଇ ଧରାଇଦେଲି ମୋ ସହଧର୍ମିଣୀଙ୍କ ହାତରେ । ଟିକିଏ ବିଗିଡ଼ି ଯାଇ ସିଏ ପଚାରିଲେ, “ତୁମେ କ’ଣ ମନ୍ଦିର ଭିତରକୁ ଯିବନି?” ମୁଁ ନିର୍ଲଜଙ୍କ ପରି ହସିଦେଇ କହିଲି, “ଆରେ ! ମୋର ସକାଳୁ ସକାଳୁ ପେଟ ପୂଜା ସରିଯାଇଛି ।” ଆଉ ଅଧିକ କିଛି ନକହି ପତ୍ନୀ ମହାଶୟା ପୁଅକୁ ଧରି ତମତମ ହୋଇ ମନ୍ଦିର ଭିତରକୁ ଚାଲିଗଲେ । ହଠାତ୍ ମୁଁ ଦେଖିଲି ଆରେ ବ୍ୟସ୍ତତା ଭିତରେ ମୋର ବାମ ହାତରେ ଥିବା କଦଳୀ ଜରିଟା ସୁନୁ ମା’କୁ ଦେବାକୁ ଭୁଲିଯାଇଛି । ପଛରୁ ଡାକିଲେ ପତ୍ନୀ ଆହୁରି ବିଗିଡ଼ିବେ ଜାଣି ମୁଁ କିଛିନକହି ଚୁପ୍‌ଚାପ୍ କଦଳୀ ଜରିଟା ଧରି ମନ୍ଦିର ପାହାଚ କଡ଼ରେ ଛିଡ଼ା ହୋଇଗଲି ।

କିଛି ସମୟ ସେଇଠି ଛିଡ଼ା ହୋଇଥିବି କି ନାହିଁ ମୁଁ ଲକ୍ଷ୍ୟକଲି ମନ୍ଦିର ପାଚେରୀ କଡ଼ ନାଳ ପାଖରେ ନୁଖୁରା ବାଳର ଦୁର୍ବଳ ପିଲାଟିଏ ଏକ ଲୟରେ ମୋ ହାତକୁ ଚାହିଁଛି । ମୁଁ ତା’ ପାଖକୁ ଯାଇ ତାକୁ ପଚାରିଲି, “କ’ଣ କିରେ ! ଭୋକ ଲାଗୁଛି? ଖାଇବୁ?” ମୁଁ ଭାବିଥିଲି ସେହି ଜରିଏ ଯାକ କଦଳୀ ସେହି ପିଲାଟିକୁ ଖାଇବାକୁ ଦେଇଦେବି । ମୋ କଥା ଶୁଣି ସେ ପିଲାଟି କିନ୍ତୁ କହିଲା “ନା ! ମୋତେ ଭୋକ ନାହିଁ କି ମୋର କିଛି ଖାଇବା ଦରକାର ନାହିଁ ।” ପିଲାଟିର ଏପରି ସ୍ପଷ୍ଟ କଥାରେ ମୁଁ ରୋମାଞ୍ଚିତ ହୋଇଉଠିଲି । ଏଥର ମୁଁ ସ୍ନେହରେ ତାକୁ ପଚାରିଲି “ଆଚ୍ଛା ! ତାହା ହେଲେ କ’ଣ ଟଙ୍କା ନେବୁ?” ଏଥର ପିଲାଟି ଧୀର ଗଳାରେ କହିଲା “ସାର୍ ! ମୋର କିଛି ଦରକାର ନାହିଁ । ମୋର ସେହି ଜରିଟା ଦରକାର ।” ଏହା ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇ ପଚାରିଲି ” ଆରେ ଜରିଟା କଣ କରିବୁ ? ତୁ କଣ ବୁଲିବୁଲି ଜରି ଗୋଟାଉ ” ! ପିଲାଟି କହିଲା, “ନା ସାର୍ ! ମୁଁ କାହିଁକି ବୁଲିବୁଲି ଜରିଗୋଟାଇବି ! ମୁଁ ତ ଜରି ସଫା କରୁଛି ।” “ମାନେ !” ବୋଲି କହି ଆହୁରି ଆଶ୍ଚର୍ଯ୍ୟ ହୋଇ ମୁଁ ତାକୁ ଚାହିଁଲି । ପୁଣି ସେ ପିଲାଟିକୁ ପଚାରିଲି, “ଆଚ୍ଛା ! କହିଲୁ କହିଲୁ ଏ ଜରି ଗୋଟାଇ ତୋତେ କି ଲାଭ ମିଳୁଛି?”

ମୋର ମୁହଁକୁ କିଛି ସମୟ ଧରି ଚାହିଁରହିବାପରେ ପିଲାଟି କହିଲା, “ବୁଝିଲେ ସାର୍ ! ଏ ମନ୍ଦିରକୁ ବହୁତ ଲୋକ ଆସନ୍ତି । ସମସ୍ତେ ଖାଲି ମାଗନ୍ତି ଠାକୁରଙ୍କୁ । ସମସ୍ତେ ସ୍ୱାର୍ଥପରଗୁଡ଼ା । ଦେଖୁନାହାନ୍ତି ନିଜର ଭଲ ପାଇଁ କେମିତି ଠାକୁରଙ୍କ ଆଗରେ ବିକଳ ହୋଇପଡ଼ୁଛନ୍ତି ! ସେ ପଥର ଷଣ୍ଢଟା କାନରେ କ’ଣ ସବୁ କହିକହି ମୁଣ୍ଡିଆ ମାରିଯାଉଛନ୍ତି । ସେହି ପଥର ଷଣ୍ଢଟାକୁ କଦଳୀ ନଡ଼ିଆ କେତେ କ’ଣ ଖୁଆଇ ଦେଉଛନ୍ତି । ହେଲେ ଥରଟିଏ ବି ଆଗପଛଚିନ୍ତା ନକରି ପ୍ଲାଷ୍ଟିକ ଜରି ଭିତରେ କଦଳୀ ଚୋପା ଅନାବଶ୍ୟକ ଫଳ ପତ୍ର ସବୁକୁ ଭରିଦେଇ ଏଇଠି ଫିଙ୍ଗି ଦେଇ ଚାଲିଯାଉଛନ୍ତି । ସେହି ଫଳ ପତ୍ର ଚୋପା ଆଦିକୁ ଗାଈ ବାଛୁରୀ ସବୁ ଖାଉଛନ୍ତି । ଖାଲି ଖାଉନାହାନ୍ତି ତା’କୁ ଖାଇ ସେମାନେ ମରିଯାଉଛନ୍ତି । କାହିଁକିନା ସେ ପଶୁଗୁଡ଼ା କ’ଣ ବୁଝନ୍ତି ଖାଦ୍ୟ କ’ଣ ଅଖାଦ୍ୟ କ’ଣ? ଖାଉ ଖାଉ ସେହି ପ୍ଲାଷ୍ଟିକ୍ ଜରି ସବୁକୁ ମଧ୍ୟ ଖାଇଦେଉଛନ୍ତି । କିଛିଦିନ ଆଗରୁ ଆମର ଦୁଧିଆଳୀ ଗାଈଟାର ପେଟଟା ହଠାତ ଫୁଲିଗଲା । କିଛି ଔଷଧ କାମ କଲାନାହିଁ । ଶବ ବ୍ୟବଚ୍ଛେଦ ପରେ ଡାକ୍ତର ବାବୁ କହିଲେ ତା’ ପେଟରୁ ଦୁଇ ବସ୍ତା ପାଖାପାଖି ଜରି ବାହାରିଲା । ସେହି ଗାଈର କ୍ଷୀର ବିକି ଆମେ ଦୁଇ ପଇସା ପାଉଥିଲୁ । ସେ ଚାଲିଗଲାପରେ ମୋ ବାପା ମନ ବହୁତ ଦୁଃଖ । ଖାଲି ବାପା କାହିଁକି ସେ ଗାଈଟିର କଅଁଳ ବାଛୁରୀର ହମ୍ବା ରଡ଼ିରେ ବାରିହୋଇପଡ଼ୁଛି ଅସହ୍ୟ ଯନ୍ତ୍ରଣା । କେତେଥର ଯେ ବାଛୁରୀଟି ତା ମା’ର ମଲାମୁହଁଟାକୁ ଚାଟି ତାକୁ ଉଠାଇବାକୁ ଚେଷ୍ଟା କରୁଥାଏ ତା’ର ହିସାବ ନାହିଁ । ସତ କୁହନ୍ତୁ ତ ସାର୍ ! ଏ ଭକ୍ତ ମାନେ ଶିବ ପୂଜି ପୂଣ୍ୟ ଅର୍ଜନ କରୁଛନ୍ତି ନା ଗୋ ହତ୍ୟା କରି ପାପ ଅର୍ଜନ କରୁଛନ୍ତି ! ସେ କୁନି ବାଛୁରୀର ଦୁଃଖ ଦେଖି ମୁଁ ଆଉ ସହିପାରିଲିନି । ଆଉ କୌଣସି ଗାଈ ବାଛୁରୀ ସେ ପ୍ଲାଷ୍ଟିକଗୁଡ଼ା ଖାଇ ଯେପରି ମୃତ୍ୟୁବରଣ ନକରନ୍ତି ସେଇଥିପାଇଁ ମୁଁ ଚିନ୍ତାକଲି ସକାଳୁ ସ୍କୁଲ ଯିବା ଆଗରୁ ଘଣ୍ଟାଏ ଆଉ ସ୍କୁଲରୁ ଆସିବାପରେ ଘଣ୍ଟାଏ ଜରି ଗୋଟାଇ ତାହାକୁ ଜଳାଇ ଦେବି । ଲୋକ କହନ୍ତି ଗାଈ ବାଛୁରୀ ସବୁ ଘରେ ବାନ୍ଧିରଖୁନ ! କେତେଦିନ ବାନ୍ଧିବୁ ସାର୍ ! ଚରିବୁଲିବା ପ୍ରାଣୀ ଏମାନେ । ତାଙ୍କର ଚାରଣ ଭୂଇଁକୁ ଆମେ ନଷ୍ଟକଲେ ସେମାନଙ୍କ ଦୋଷ କ’ଣ? ଦିନେ ଯେଉଁଠି ଏମାନଙ୍କର ଚାରଣ ଭୂମି ଥିଲା ସେଇଠି କେଇଟା ବର୍ଷରେ ବଡ଼ବଡ଼ କୋଠାଘର ହୋଇଗଲା । କୋଠାଘର ହେଲାନି ଯେ ତା ଆଖପାଖର ପରିବେଶକୁ ବି ନଷ୍ଟ କରିଦେଲା । ଚାରିଆଡ଼େ ଅଦରକାରୀ କାଗଜ ଆଉ ପ୍ଲାଷ୍ଟିକ । ବାସ୍ ସେଇଥିପାଇଁ ଏ ମନ୍ଦିର ତଥା ଏହାର ଆଖପାଖର ଚାରଣ ଭୂମିରେ ପଡ଼ିଥିବା ପ୍ଲାଷ୍ଟିକ୍ ଜରି ଆଉ କାଗଜ ସଫା କାମରେ ଲାଗିପଡ଼ିଛି । ସଫେଇ ବି ହେଉଛି ଆଉ ସେହି ବାହାନାରେ ମୋର ଖେଳ ବି ହୋଇଯାଉଛି । ଆଉ ବାକି ରହିଲା ଲାଭ କ୍ଷତିର ହିସାବ । ଏ ହିସାବରୁ ମୋତେ କ’ଣ ମିଳିବ ସାର୍ । ଆଉ କ’ଣ ଆମ ବାଛୁରୀଟାର ହମ୍ବା ରଡ଼ିରେ ମା’ ତା’ର ଫେରିଆସିବ ନା ମୋ ବାପାଙ୍କର ଝାଉଁଳି ପଡ଼ିଥିବା ମନଟା ବୁଝିଯିବ ! କିନ୍ତୁ ହଁ ! ମୋର ଜରି ଗୋଟାଇବା ଦ୍ୱାରା ଆଉ କାହାରି ଗାଈ ଅଖାଦ୍ୟ ଗୁଡ଼ା ଖାଇବେନି କି ତା’ର କଅଁଳ ବାଛୁରୀକୁ ଆଉ ମା’ ଛେଉଣ୍ଡ ହେବାକୁ ପଡ଼ିବନି ।”

ତା’ କଥା ଶୁଣୁ ଶୁଣୁ ମୁଁ ସତେ ଯେପରି ସମ୍ମୋହିତ ହୋଇପଡ଼ିଥିଲି । ମନେମନେ ଭାବିଲି ଏ ପିଲାଟିର ଗୋଟିଏ ଫୋଟ ଉଠାଇବି । ପିଲାଟିର କଥା ସରିବାରୁ ମୁଁ କହିଲି, “ବାବାରେ ! ତୁମ ଘର କେଉଁଠି? ତୁମର ଏହି ମହତ କାମ ପାଇଁ ତୁମେ ପୁରସ୍କାର ପାଇବା କଥା ।” ମୋର କଥା ଶୁଣି ପିଲାଟି ହସିଦେଇ କହିଲା, “ସାର୍ ! ମୁଁ ଏ ମନ୍ଦିର ଜଗୁଆଳିଙ୍କ ପୁଅ । ଏଇ ପାଖରେ ଆମ ଘର । ସାର୍ ଜାଣନ୍ତି ! ନନା କହନ୍ତି ଭଲ କାମ ଏମିତି କରିବ ଯେମିତି ବାମ ହାତ ବି ନ ଜାଣିପାରେ ଡାହାଣ ହାତର କାମ ! ତେଣୁ ଆଉ ପୁରସ୍କାର କଥା ଆସୁଛି କୁଆଡ଼ୁ ! ତେବେ ଏକଥା ସତ ଯେ ଯେଉଁଦିନ ଏ ମନ୍ଦିରକୁ ଆସୁଥିବା ସୁଟ୍‌ବୁଟ୍ ପିନ୍ଧା ପାଠପଢ଼ା ବାବୁମାନେ ତାଙ୍କ ପାଠ ପଢ଼ାକୁ ସାର୍ଥକ କରି ଏ ମନ୍ଦିର ଅଗଣା ଆଉ ତା’ର ଆଖପାଖର ପରିବେଶଟାକୁ ସ୍ୱଚ୍ଛ କରିଦେବେ; ସେହିଦିନ ମୁଁ ମୋର ପୁରସ୍କାରଟା ପାଇଯିବି ।”

ତା’ର ସରଳ ଉତ୍ତରଟା ଭିତରେ ଲୁଚିରହିଥିବା କଟାକ୍ଷକୁ ଶୁଣି ମୁଁ ତା’ ମୁଣ୍ଡ ଚୁଟିକୁ ହାତରେ ସାଉଁଳି ଦେଉଦେଉ କଦଳୀ ଫେଣାଟା ତା’ ହାତରେ ସ୍ନେହରେ ଧରାଇଦେଲି । ଅଭ୍ୟାସବସତଃ କଦଳୀଥିବା ପଲିଥିନ୍‌ଟା ଫିଙ୍ଗି ଦେବାପାଇଁ ମୋ ହାତଟା ଚାଲିଗଲାବେଳେ ମୁଁ ହଠାତ ତା’କୁ ଅଟକାଇଦେଲି । ମୋର ଅଟକିଯାଇଥିବା ପଲିଥିନ୍‌‌ଧରା ହାତକୁ ଦେଖି ପିଲାଟି ହସିଦେଲା । ମୁଁ ବି ତାକୁ ଦେଖି ହସିଦେଇ ପଲିଥିନ୍‌ଟିକୁ ପକେଟରେ ପୁରାଇଦେଲି । ମୋର ଏତାଦୃଶ କାମରେ କିନ୍ତୁ ପିଲାଟିର ମନରେ ଭରିଯାଇଥିଲା ଆତ୍ମସନ୍ତୋଷ । ମୁଁ ତା’ ପାଖରୁ ଫେରି ଆସୁଆସୁ ଚିନ୍ତା କରୁଥାଏ ସତରେ କାମଟିଏ କର୍ତ୍ତବ୍ୟ ଭାବି କରାଯାଏ ଦେଖାଇହେବା ପାଇଁ ନୁହେଁ । କର୍ତ୍ତବ୍ୟ କରିବା ଲୋକ କର୍ତ୍ତବ୍ୟ କରିଯାଏ ଆଉ ଦେଖାଇ ହେବା ଲୋକର ଆଶା ପୁରସ୍କାରରେ । ଯଦି ସମସ୍ତେ କର୍ତ୍ତବ୍ୟର ପରିଭାଷା ବୁଝିପାରନ୍ତେ ତା’ହେଲେ ବୋଧହୁଏ ‘ସ୍ୱଚ୍ଛ ଭାରତ’ପରି ଅନେକ ଅଭିଯାନର ଆଉ ଆବଶ୍ୟକତା ନଥାନ୍ତା ।

ଏହିସବୁ କଥା ଭାବୁ ଭାବୁ ମୁଁ ଅନ୍ୟମନସ୍କରେ କେତେବେଳେ ମୋର ସ୍ୱଚ୍ଛ ଭାରତ ଫୋଟଗୁଡ଼ାକୁ ମୋବାଇଲ୍‌ରୁ ଡିଲିଟ୍ କରିସାରିଥିଲି । ଘରେ ପହଞ୍ଚି ପତ୍ନୀ ମହାଶୟାଙ୍କ ମନ ଟିକିଏ ସ୍ଥିର ହୋଇ ଆସିବା ପରେ ସେ ମୋତେ କହିଲେ “ଦେଖିବା କେମିତି କଲ ସ୍ୱଚ୍ଛ ଭାରତ । ସତରେ ସ୍ୱଚ୍ଛ କରିଛ ନା ଘରଲୋକଙ୍କ ଆଗରେ ଡିଣ୍ଡିମ ପିଟୁଛ !” ତାଙ୍କ କଥା ଶୁଣି ମୁଁ କହିଲି “ବୁଝିଲ ଲୀନା ! ପ୍ରକୃତରେ ଭାରତକୁ ସ୍ୱଚ୍ଛ ରଖୁଥିବା ଲୋକଙ୍କୁ ପ୍ରଶଂସାର ଆବଶ୍ୟକତା ନଥାଏ । ନା ଲାଳସା ଥାଏ ନିଜ ନାଁ’ର ପ୍ରଚାର ପ୍ରସାରର । ଏହା ତାଙ୍କ ପାଇଁ ଏକ କର୍ତ୍ତବ୍ୟ । ଆଉ ହଁ ସ୍ୱଚ୍ଛ ଭାରତ ଆବଶ୍ୟକ କରେନାହିଁ ପ୍ରମାଣ ସ୍ୱଚ୍ଛତାର । କାହିଁକିନା ସବୁବେଳେ ସ୍ୱଚ୍ଛତାର ପ୍ରମାଣ ହେଉଛି ସେ ନିଜେ ॥”

ଜ୍ୟୋତିରଞ୍ଜନ ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...