ଅଭିମାନ, ଗର୍ବ, ଅହଂକାର ତଥା କ୍ରୋଧ ଓ କଠୋରତା ଏହି ସବୁ ଆସୁରିକ ସମ୍ପଦ ବୋଲି ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଗୀତାରେ ସ୍ପଷ୍ଟୀକରଣ କରିଛନ୍ତି । ମାତ୍ର ଆଜିର ମଣିଷ ଭିତରେ ବୋଧହୁଏ ଏହିସବୁ ଗୁଣ ଭଲ ଭାବରେ ଦେଖିବାକୁ ମିଳିଥାଏ । ବୟସ୍କ ବ୍ୟକ୍ତି ତଥା ଯୁବପିଢ଼ିଙ୍କୁ ବାଦ ଦବା ପରେ ମଧ୍ୟ ଶିଶୁ ଓ ବୃଦ୍ଧ ମଧ୍ୟ ଏଇଥିରେ ଅନ୍ତର୍ଭୁକ୍ତ । କିନ୍ତୁ ଏହି ଅହଂଭାବ ଓ ଗର୍ବ ସେତେବେଳେ ନଷ୍ଟ ହୁଏ ଯେତେବେଳେ ନିଜର କିଛି କ୍ଷତି ହୁଏ କିମ୍ୱା ହୃଦୟକୁ କୌଣସି କଥା ପାଇଁ ଆଘାତ ପହଁଞ୍ଚିଥାଏ । ସମୟଚକ୍ରରେ ଏହା ସ୍ୱଭାବିକ ଅଟେ ଯେ ଗର୍ବ, ଅହଂକାର ତଥା କ୍ରୋଧ ଓ କୋଠରତ ଅଧିକ ଦିନ ପର୍ଯନ୍ତ ବଞ୍ଚି ପାରିନଥାଏ ।
ପିଲାବେଳରୁ ଅତି ଜିଦ ଓ ଗେହ୍ଲାରେ ବଢ଼ିଆସୁଥିବାରୁ ଶୁଭଲଷ୍ମୀର ସମସ୍ତ ଇଚ୍ଛା ତା’ର ମାତାପିତା ପୂରଣ କରିଦିଅନ୍ତି । ବୟସର ବୃଦ୍ଧି ସହ ସେ ପାଠ ପଢ଼ିବାରେ ମଧ୍ୟ ନିପୂଣ ଥିଲା ଓ ସେ ରୂପରେ ମଧ୍ୟ ଗୋଟିଏ ଚାଉଳରେ ଗଢ଼ା ହୋଇଥିଲା । ନିଜର ସମସ୍ତ ଗୁଣର ନିପୂଣତା ପାଇଁ ସମୟାନୁକ୍ରମେ ତାହାର ଏହି ଜିଦ, ଗର୍ବ, ଅହଂକାର ଓ କ୍ରୋଧର ପରିଣାମ ଅଧିକ ହୋଇଗଲା ।
ସମୟଚକ୍ରରେ ଏହା ସ୍ୱଭାବିକ ଅଟେ ଯେ ଗର୍ବ, ଅହଂକାର ତଥା କ୍ରୋଧ ଓ କୋଠରତା ଅଧିକ ଦିନ ପର୍ଯ୍ୟନ୍ତ ତିଷ୍ଟି ପାରିନଥାଏ । ଘରକୁ ଯିବାବେଳେ ବସଷ୍ଟାଣ୍ଡ ପାଖରେ ଅପେକ୍ଷା କରି କିଛି ସମୟ ଅତିବାହିତ ହେଲା ପରେ ବିରକ୍ତ ଭାବ ପ୍ରକାଶ କରି ବିଶ୍ରାମଗାରରେ ବସିପଡ଼ିଲା ଶୁଭଲକ୍ଷ୍ମୀ । -“ଓଃ କି, ଗରମ । ଏହି ବସ ଚାଳକର ସତରେ ସମୟ ଜ୍ଞାନ ଜମାରୁ ନାହିଁ । ଦିନ ଦଶଟା କହି ଆସି ସାଢ଼େ ଦଶଟା କରିଦେଲାଣି କିନ୍ତୁ ତାହାର ସନ୍ଧାନ ନାହିଁ । ଆଉ କେତେ ଲୋକଙ୍କୁ ବସରେ ବସେଇବ କେଜାଣି । ତା’ଉପରେ ଏହି ଗରମ ଆଉ ସହି ହେଉନି, ଓଃ….. ।” ସେହି ଷ୍ଟାଣ୍ଡ ପାଖରେ ଗୋଟିଏ ବୁଢ଼ା ମଉସାଟିଏ ପାଣି ବୋତଲ ବିକୁଥିଲେ । ଶୁଭଲଷ୍ମୀ ତାଙ୍କୁ ଦେଖି କହିଲା -“ମାଉସା ! ପାଣି ବୋତଲ ଗୋଟିଏ କେତେ? ଜଳ ଥଣ୍ଡା ଅଛି ତ? ଗୋଟିଏ ଦିଅ ତ ।” ବୁଢ଼ା ମଉସାଟି କହିଲା “ହଁ, ମାଆ ! ଜଳ ପୁରା ଥଣ୍ଡା ଅଛି, ମାତ୍ର କୋଡ଼ିଏ ଟଙ୍କା ।” ସୂର୍ଯ୍ୟ ଦେବତାଙ୍କ ଉତ୍ତାପ ସହ ହଠାତ ଗରମ ପବନ ଦେବାରୁ ସେହି ମଉସାଟିର କାନ୍ଧରେ ଥିବା ଗାମୁଛା ତଳେ ପଡ଼ିଗଲା ଓ ଗାମୁଛାଟିକୁ ଉଠାଇବା ସମୟରେ ଭୁଲବସତଃ ମଉସାଙ୍କ ମୁଣ୍ଡର ଝାଳ ଶୁଭଲଷ୍ମୀର ପଦ ଉପରେ ପଡ଼ିଗଲା । ଏହାପରେ ମଉସା ଭୂମିରୁ ଗାମୁଛା ଉଠାଇ ପାଣି ବୋତଲ ଶୁଭଲଷ୍ମୀ ଦେବା ସମୟରେ ଶୁଭଲଷ୍ମୀ ପାଣି ବୋତଲକୁ ଫିଙ୍ଗିଦେଇ ବିରକ୍ତ ହୋଇ କହିଲା “ଛି, ତୁମେ ତୁମର ଅପରିଷ୍କାର ହାତକୁ ସମସ୍ତଙ୍କଠୁ ଦୂରରେ ରଖ । ମୋର ଦୁଇ ହଜାର ଟଙ୍କାର ଜୋତାକୁ ବି ନଷ୍ଟ କରିଦେଲ । ବାସ୍ ଏହି ସମୟରେ ବସ ଆସିଯିବାରୁ ଶୁଭଲଷ୍ମୀ ବସକୁ ଚଢ଼ିବା ଅଗ୍ରସର ହଉଥିବା ସମୟରେ ପଛରେ ରହି ବୁଢ଼ା ମୋଉସଟି କହିଲା “ମା, ତୁମେ ମୋ ପଇସା ଦେଲନି??” “ମୁଁ କ’ଣ ତୁମ ଝିଅ? ତୁମର ଏହି ମାଆ ମାଆ ଡାକ ମୋତେ ବିରକ୍ତ କରିସାରିଲାଣି । ଛିଃ…. କି ଅପରିଷ୍କାର ଲୋକଟିଏ ।” ବାସ୍ ଏତିକି କହି ଶୁଭଲଷ୍ମୀ କୋଡ଼ିଏ ତାଙ୍କୁ ବଢ଼ାଇ ଦେଇ ମୁହଁ ମୋଡ଼ି ବସରେ ଚଢ଼ିଗଲା । ବସ ଛାଡ଼ିଦବା ପରେ ଦୂରରେ ରହି କଳା କାରରେ ରହି ଲକ୍ଷ କରୁଥିବା ବିନୋଦ ସେହି ବୁଢ଼ା ମଉସା ପାଖକୁ ଆସି ପଚାରିଲା, “କଣ ମଉସା ତୁମେ ଏହି ଅତ୍ୟାଚାର କାହିଁକି ସହିଗଲ?” “କ’ଣ କରିବିରେ ପୁଅ ନିଜ ଭାଗ୍ୟକୁ ଆଦରି ସହି ନେବାକୁ ପଡ଼ୁଛି । ତୁ ତ ଦେଖୁଥିବୁରେ ବାପା, ଆଜିକାଲି ସମାଜରେ ବୁଢ଼ା ବାପାଙ୍କୁ କେତେ ଜଣ ତାଙ୍କ ପୁଅ ଝିଅ ପଚାରୁଛନ୍ତି । ବାସ୍ ସେମାନେ ମୋତେ ଘରୁ ବାହାର କରିଦେବା ପରେ ନିଜ କର୍ମକୁ ଭଗବାନ ଭାବି ରାଜରାସ୍ତାରେ ବୁଲୁଛି ।” ଏତିକି କଥା କହି ବୁଢ଼ା ମଉସା ଚାଲିଯାଉଥିଲେ । ପଛରୁ ହାତ ବଢ଼ାଇ ବିନୋଦ କହିଲା “କ’ଣ ମଉସା, ମୋ ସାଙ୍ଗରେ ଯିବ? ଆମ କମ୍ପାନୀରେ ପାଣି ଯୋଗାଇବାକୁ କେହି କର୍ମଚାରି ନାହାଁନ୍ତି । ଆପଣ ଆସି ମୋ କମ୍ପାନୀରେ ରୁହନ୍ତୁ ।” ଏହି କଥା ବୁଢ଼ା ମଉସାର ଖୁସି କହିଲେ ନସରେ । ସାହାଯ୍ୟର ହାତ ପାଇବା ପରେ ବୁଢ଼ା ମଉସାର ପାଦ ତଳର କଣ୍ଟା ଯେପରି ଫୁଲରେ ପରିଣତ ହୋଇଗଲା । ନିଜର ଅକାଟ୍ୟ ପରିଶ୍ରମ ଓ ସାଧନ ବଳରେ ସେହି କମ୍ପାନୀର CEO ଥିବା ବିନୋଦ ତାଙ୍କୁ ମ୍ୟାନେଜର ପଦୋନ୍ନତି କରିଦେଲା ।
ଏହାର ଦୁଇ ମାସ ପରେ ତତ୍କ୍ଷଣାତ ବିନୋଦର ନଜର ପଡ଼ିଯାଏ ଶୁଭଲଷ୍ମୀକୁ ନିଜ କମ୍ପାନୀ ଭିତରେ । କିଛି ନକହି ବିନୋଦ ନିଜର ସିକୁରିଟିଠାରୁ ଜାଣିବାକୁ ପାଇଲା ଶୁଭଲଷ୍ମୀ ଇଣ୍ଟରଭିଉ ଦେବା ପାଇଁ ଆସିଛି । ଏହା ପରେ ବିନୋଦ ସେଠାରୁ ଚାଲିଯାଇଥିଲା । ଇଣ୍ଟରଭିଉ ସରିବା ପରେ ଫଳାଫଳର ଅପେକ୍ଷା କରିଥିବା ସମୟରେ ଶୁଭଲଷ୍ମୀ ଅଚେତ ହୋଇ ତଳେ ପଡ଼ିଗଲା ଓ ମାତ୍ର ପଡ଼ିବା ପୂର୍ବରୁ ମ୍ୟାନେଜର ପଦରେ ଥିବା ସେହି ବୁଢ଼ା ମଉସା ଧରି ନେଇଥିଲେ ଓ ନିଜ ହାତରେ ପାଣି ଛିଞ୍ଚି ଶୁଭଲଷ୍ମୀକୁ ଅଚେତ ଅବସ୍ଥାରୁ ମୁକ୍ତ କରିଥିଲେ । ଆଖି ଖୋଲି ଶୁଭଲଷ୍ମୀ ଯେତେବେଳେ ସେହି ବୁଢ଼ାମଉସାଙ୍କ ମୁଁହ ଦେଖିଲା ଆଉ ତତ୍କ୍ଷଣାତ ଛିଡ଼ାହୋଇ ଶୁଭଲଷ୍ମୀ କହିଲା, “ଛିଃ… ତୁ ମୋତେ ଛୁଇଁବା ପାଇଁ ସାହସ କରିଲୁ କିପରି?? ସେହି ଅପରିଷ୍କାର ହାତ ମୋ ଠାରୁ ଦୂରରେ ରଖ ।” ଖବର ଶୁଣି ତୁରନ୍ତ ଶୁଭଲଷ୍ମୀର ପିତା କମ୍ପାନୀରୁ ବାହାରି ଆସି ଶୁଭଲଷ୍ମୀର ବ୍ୟବହାରରେ ଆଶ୍ଚର୍ଯ୍ୟ ହୋଇ କହିଲେ, “ବେବି କାହାକୁ କିପରି ବ୍ୟବହାର କରନ୍ତି ଜାଣିପାରୁନୁ । ଗୁରୁଜନଙ୍କୁ କ’ଣ ଏପରି ବ୍ୟବହାର କରନ୍ତି । “କାହାକୁ ବାପା ଏହି ପାଣି ବିକାଳୀକୁ?” ଶୁଭଲଷ୍ମୀ ତାଚ୍ଛଲ୍ୟ ଭାବରେ ବୁଢ଼ା ମଉସାଙ୍କୁ ଦେଖି କହିଲା । ଏହା ଶୁଣି ଶୁଭଲଷ୍ମୀର ପିତା ଶୁଭଲଷ୍ମୀ ଗାଲରେ ଚାପୁଡ଼ାଟିଏ ମାରି କହିଲେ, “ନିଜର ଗର୍ବ, ଅହଂକାର ଓ କ୍ରୋଧ ଆଉ ତୁ କେତେଦିନ ତ ପାଖରେ ରଖି ଚାଲିବୁ । ଦେବତତୁଲ୍ୟ ମଣିଷଙ୍କୁତୁ କେବେ ଚିହ୍ନି ପାରିବୁ । ଦୁଇ ମାସ ପୂର୍ବେ ଯଦି ଏହି ମଣିଷ ଆମ କମ୍ପାନୀକୁ ଆସିନଥାନ୍ତେ ବୋଧହୁଏ ତୋ’ର ଏହି ଗର୍ବ ଆଜି ଦେଖିବାକୁ ମିଳିନଥାନ୍ତା । ଯଦି ବିନୋଦ ବାବୁ ତାଙ୍କୁ ଏଠାକୁ ଆଣିନଥାନ୍ତେ ବୋଧ ହୁଏ ତୁ ଆଜି ମୋତେ ଦେଖିପାରିନଥାନ୍ତୁ ।” ଏହା କହି ସେ ବୁଢ଼ା ମଉସାଙ୍କ ପାଦ ତଳେ ପଡ଼ି ଅନୁରୋଧ କରି କହିଲେ, “ନିଜର ଝିଅ ବୋଲି ଭାବି ତାକୁ କ୍ଷମା କରି ଦିଅନ୍ତୁ । ମୁଁ ଆପଣଙ୍କୁ ତା’ ପରିବର୍ତ୍ତେ କ୍ଷମା ମାଗୁଛି ।” ଏହା ଶୁଣିବା ପରେ ବୁଢ଼ା ମଉସା କହିଲେ, “ଛୋଟ ପିଲାଟିଏ ସେ । ଜାଣି ନାହିଁ, ତା’ ପାଇଁ ଆପଣ ଏପରି କ୍ଷମା ମଗାନ୍ତୁ ନାହିଁ ।” ଶୁଭଲଷ୍ମୀର ପିତାଙ୍କୁ ଭୂମିରୁ ଉଠାଇ ଆଲିଙ୍ଗନ କରିବା ସହ ଉପରେ ରହି ଦେଖୁଥିବା ବିନୋଦକୁ ଦେଖି ବୁଢ଼ା ମଉସା ହସି ଦେଲେ ।
ନିଜ ଗର୍ବ, ଅହଂକାର ଓ କ୍ରୋଧ କାଚ ଖଣ୍ଡବିଖଣ୍ଡ ପରି ଶୁଭଲଷ୍ମୀର ମନରେ ମଧ୍ୟ ହୋଇଗଲା । ବାପାଙ୍କ କଥା ଶୁଣିବା ପରେ ନିଜକୁ ନିଜେ ଅପରାଧୀଙ୍କଠାରୁ ହୀନ ବୋଲି ମନେକରି ସ୍ତବ୍ଧ ହୋଇଗଲା । ଯଦି ସମ୍ପର୍କରେ ଓ ମାନବିକତାରେ ଗର୍ବ, ଅହଂକାର ଓ କ୍ରୋଧ ଛନ୍ଦି ନଥାନ୍ତା ବୋଧେ ସେ ଆଜି ଏହି ଦିନ ଦେଖି ନଥାନ୍ତା । ସମାଜର କିଛି ଏପରିବି ବକ୍ତିତ୍ୱ ଅଧିକାରୀ ଅଛନ୍ତି ଯେଉଁ ମାନଙ୍କ ହୃଦୟ ବହୁତ ବଡ଼ ଓ ଦୟାଳୁ ।
– ହ୍ରିତିକ କୁମାର ବେହେରା
Comments
ହ୍ରିତିକ ବେହେରା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।