ଘୂର୍ଣ୍ଣାୟମାନ ପୃଥିବୀ କେଉଁଏକ ଅଦୃଶ୍ୟ ଅକ୍ଷ ଚାରିକଡ଼େ
ପୁଳାଏ ଆତ୍ମଗର୍ବେ ବିଚରା ମେରୁଦଣ୍ଡୀ ମାନବ ନଇଁପଡ଼େ
ଭୂମି ସ୍ପର୍ଶ ମାତ୍ରେ ଆସ୍ଥାବାଦୀ ଶିଶୁ ଚିରାଢ଼ି କୁଆଁଡାକ ଦିଏ
ବାର୍ଦ୍ଧକ୍ୟରେ ସ୍ୱାଭିମାନୀ ପିତାଟିଏ ବାଧ୍ୟରେ ସ୍ୱାବଲମ୍ୱୀ ହୁଏ ।
ଜୀବନ ଆଗେ ମରଣ, ଛୁଟିଲେ ମାଟିଘଟ ହୁଏ ପଞ୍ଚଭୂତେ ଲୀନ
ପ୍ରାପ୍ତି ସଫଳତାର ମାରାଥନରେ ନିର୍ଲିପ୍ତ ଆଜି ରାତି ଦିନ
ବିଶ୍ୱାସ ଶବ୍ଦ ଉଚାରଣେ ଜଡ଼ ପଥରକୁ ମଣେ ଭଗବାନ
ବିସ୍ମୃତ ପ୍ରାୟ ଦିବ୍ୟଜ୍ଞାନ, ଉପେକ୍ଷିତ ଜନନୀ କରେ ରୋଦନ ।
ଦିଗରୁ ଦିଗନ୍ତ ବିସ୍ତୃତ ଆଜି ନବ ବିଜ୍ଞାନର ପରିସୀମା
ଚେତନା ଗବାକ୍ଷରେ ନିରନ୍ତର ବହଳେ ଅଳନ୍ଧୁ କାରନାମା
ବାଟ ଘାଟ ତୁଠ ତୀର୍ଥେ ପ୍ରକମ୍ପିତ ମୃଦୁ ଓମକାର ଗୁଞ୍ଜନ
ଜୀବନ ହାଟରେ ନିତି ତଉଲାନ୍ତି ପ୍ରୀତି ସମ୍ପର୍କର ବନ୍ଧନ।
ରାବଣ ଦାନବତ୍ୱରେ ମା’ ସୀତାଙ୍କ ସତୀତ୍ୱ ମର୍ଯ୍ୟାଦା ଅକ୍ଷୁର୍ଣ୍ଣ
ଦେବତ୍ୱ ମୁଖାରେ ମାନବ ଆସୁରିକ ଆଚରଣେ ପରିପୂର୍ଣ୍ଣ
ଉତ୍ତୁଙ୍ଗ ସିଆଚେନ୍ର ଶୃଙ୍ଗରେ ଫରଫର ବିଜୟ ପତାକା
ସିଗନାଲରେ ପ୍ରଦର୍ଶିତ ହାତେ ତ୍ରିରଙ୍ଗା, ପେଟରେ ଓଦାକନା ।
ଦାରୁଦେହେ ବିଜେ ବ୍ରହ୍ମ ଦେବତ୍ୱର ନିଆରା ମାନବୀୟ ଲୀଳା
ସଂସାର ଓ ସନ୍ୟାସ ମଧ୍ୟରେ ବୁଡ଼େ ମଣିଷର ଜୀବନ ଭେଳା
ସତ୍ସଙ୍ଗେ ଚିନ୍ତନ ଦର୍ଶନ ପୁଣି ନିର୍ବାଣର ତର୍କ ଅନ୍ୱେଷଣ
ସର୍ବତ୍ର ବ୍ୟାପୁଛି ଏବେ ହିଂସା ଘୃଣା ସ୍ୱାର୍ଥ ବୀଜାଣୁ ସଂକ୍ରମଣ ।
କର୍ମଫଳେ ଯଦୁବଂଶ ନାଶ, ଜାରା ଶରେ ସରେ ଗୋବିନ୍ଦ ଆୟୁଷ
ଲହୁଲୁହର ସଂସାରେ, ଏନ୍ତୁଡ଼ି ସପନକୁ ମଶାଣି ପାଉଁଶ
ଚନ୍ଦ୍ର ଗ୍ରହଣ ପୁଣି ତିମିରେ ଜାଜୁଲ୍ୟମାନ ପ୍ରଛନ୍ନ ପୂର୍ଣ୍ଣମୀ
ଚେତନା ଉଦୟେ ଅନ୍ତିମ ଯାତ୍ରା ବ୍ୟାପ୍ତହେବ ଦେବ ମୋକ୍ଷ ପ୍ରାପ୍ତି ।
– ମାନସ ରଞ୍ଜନ ନାୟକ
Comments
ମାନସ ରଞ୍ଜନ ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ, ପ୍ରବନ୍ଧ ଆଦି ରଚନା କରିଥାନ୍ତି । ତାଙ୍କ ରଚନାଗୁଡ଼ିକ କିଛି ପତ୍ରପତ୍ରିକରେ ସ୍ଥାନ ପାଇଛି ।