ପ୍ରସ୍ତାବନା
ଦିନାଙ୍କ ୪-୧୨-୨୦୧୮ରେ ଟୁଇଟରରେ ନବଗୁଞ୍ଜର (୧) (ଯାହା ବିଷୟରେ କେବଳ ସାରଳା ଦାସଙ୍କ ମହାଭାରତରେ ହିଁ ଉଲ୍ଲେଖ ଅଛି) ବିଷୟରେ ଆଲୋଚନା ବେଳେ ବନ୍ଧୁ ଆଶୀଷ କୁମାର ନାୟକ (@ashishkumar_tw) ତାଙ୍କ ସ୍ୱ-ଧଳାପଟାରେ ଲିଖିତ ଓଁ-କାର ଲିପିର ଉଦ୍ଗମସ୍ଥଳ ଓଡ଼ିଶା ବୋଲି (୨) କହିବା ସହ ରାଧା ନାମର ଉଦ୍ଗମସ୍ଥଳ ବି କବି ଜୟଦେବଙ୍କର ଗୀତ- ଗୋବିନ୍ଦ ବୋଲି କହିଥିଲେ । ସେହି ବାର୍ତ୍ତାଳାପର ଖିଅକୁ ଆଧାର କରି ମୋର ରାଧାଙ୍କୁ ବିଭିନ୍ନ ସାହିତ୍ୟ, ପୁରାଣରେ ଖୋଜିବା ଆରମ୍ଭ ହୋଇଥିଲା ।
ପ୍ରମାଣଭିତ୍ତିକ ଇତିହାସ କିଛି ନ ମିଳିଲେ ମଧ୍ୟ ଅନେକ ତଥ୍ୟ (ଶୃତି, ସ୍ମୃତି ଓ ତାଳପତ୍ର-ଭୂଜପତ୍ରରେ ଲିଖିତ ଲିପିକୁ ଇଂରାଜୀ ତଥା ଅନ୍ୟ ଭାଷାରେ ଅନୁବାଦିତ)ର ସମ୍ମୁଖୀନ ମୁଁ ହେଲି । ଆମ ସନାତନ ଧର୍ମ-ଲେଖା, କୀର୍ତ୍ତିର କୌଣସି ଐତିହାସିକ ପ୍ରମାଣ ମିଳିବା କଷ୍ଟକର ବ୍ୟାପାର । ଯେମିତି ୧୮୯୬ରେ ପ୍ରଥମ ଥର ପାଇଁ ଇଂରେଜମାନେ ବୁଦ୍ଧଦେବଙ୍କ ଜନ୍ମସ୍ଥାନର ସନ୍ଧାନ ନେପାଳର କପିଳାବାସ୍ତୁର ଲୁମ୍ବିନୀ ବୋଲି ସିଦ୍ଧ କଲେ । ଏହାର ଠିକ ୪୨ ବର୍ଷ ପରେ ଭାରତ, ଓଡ଼ିଶାର ଭୁବନେଶ୍ୱର ସ୍ଥିତ କପିଳେଶ୍ୱରରୁ ବାହାରିଥିବା ଶିଳାଲେଖକୁ ବିନା ଅଧିକ ଅନୁସନ୍ଧାନରେ ବିଭିନ୍ନ ନକାରାତ୍ମକ କାରଣ ଦର୍ଶାଇ ସେହି ଐତିହାସିକ ପ୍ରମାଣକୁ ଚାପି ଦିଆଗଲା । ଆଜି ସେଇଠି ଆଉ ପୁଣି ପ୍ରତ୍ନତତ୍ତ୍ୱବିତ୍ମାନଙ୍କୁ ଆଉ କିଛି ପ୍ରମାଣ ମିଳିବନି । କାରଣ ସେଇଠି ଏକ ବିକାଶମୁଖୀ ଜନବସତିର ସ୍ଥାପନ ହୋଇ ସାରିଲାଣି ।
ସେଥିପାଇଁ, କେବଳ ବର୍ତ୍ତମାନ ଯାଏଁ ଯାହା ତଥ୍ୟ ଉପଲବ୍ଧ ଅଛି, ସେ ଶ୍ରୁତି, ସ୍ମୃତି ଅଥବା ଲିଖନରୁ ଆସିଥାଉ, ରାଧା-ତତ୍ତ୍ୱକୁ ମୋ ନିଜର ଜ୍ଞାନ ବୃଦ୍ଧି ନିମନ୍ତେ ତଥା ଓଡ଼ିଶାର ଭବିଷ୍ୟତ ବଂଶଧରଙ୍କ ପାଇଁ ଇଣ୍ଟରନେଟରେ ଉପଲବ୍ଧ କରାଇବା ନିମନ୍ତେ ଆରମ୍ଭ ହୋଇଛି ମୋର ଏହି ଚେଷ୍ଟା-ଯାତ୍ରା ଯାହା ଅବିରତ ରହିବ । ବିଶ୍ୱାସ, ଏହା ସମସ୍ତଙ୍କର ଜ୍ଞାନ ବୃଦ୍ଧି କରିବ । ଏଥିସହ ଅନ୍ୟକିଛି ଅଜଣା ତଥ୍ୟ ମଧ୍ୟ ଅନ୍ୟମାନଙ୍କୁ ଯୋଡ଼ିବା ପାଇଁ ଅନୁରୋଧ ।
ରାଧା ଶବ୍ଦ ଓ ତାହାର ଉତ୍ସ
ଏହା ମୋର ନିଜସ୍ୱ ଦୃଷ୍ଟିକୋଣ ନୁହେଁ, ବରଂ ବିଭିନ୍ନ ପୌରାଣିକ ତଥା ଏହା ଉପରେ ଗବେଷଣା କରୁଥିବା କିଛି ଜଣଙ୍କୁ ମୁଁ କେବଳ ଉଦ୍ଧୃତ କରିଛି ।
ଜ୍ଞାନୀମାନେ କହନ୍ତି: ଧାରା ରୁ ରାଧା; ଧାରା ନିମ୍ନଗାମୀ, ରାଧା ଉର୍ଦ୍ଧ୍ୱଗାମୀ; ରାଧାତତ୍ତ୍ୱ ଉର୍ଦ୍ଧ୍ୱଗାମୀ, ରାଧାପ୍ରେମ ଉର୍ଦ୍ଧ୍ୱଗାମୀ; ମାଧ୍ୟାକର୍ଷଣ ଯୋଗୁଁ ନିମ୍ନମୁଖୀ ଧାରା ସ୍ରୋତର ପ୍ରତିକୂଳେ ଉତ୍ସ ଅଭିମୁଖେ ଜ୍ଞାନପିପାସୁ, ଜିଜ୍ଞାସୁ ରାଧା ରୂପେ ଉର୍ଦ୍ଧ୍ୱଗାମୀ ହୋଇଥାଏ. ବୈଷ୍ଣବୀୟ ତତ୍ତ୍ୱଜ୍ଞାନର ଭେଦ ଓ ଅଭେଦ ବିଚାରରେ ରାଧାଙ୍କ ସ୍ଥାନ ସର୍ବପ୍ରଥମ ।
ମହାଭାରତ, ଭାଗବତ ପୁରାଣ ଓ ଗୀତା ଆଦି ପୁରାତନ ଗ୍ରନ୍ଥରେ ରାଧାଙ୍କ ନାମ ପ୍ରତ୍ୟକ୍ଷରୂପେ ଉଲ୍ଲେଖ କରା ଯାଇନି । କିନ୍ତୁ ଭାଗବତ ପୁରାଣ ଭିତରେ ଥିବା ସଂଲଗ୍ନିତ ବୈଷ୍ଣବ ଧର୍ମରେ ପଞ୍ଚରାତ୍ର ଜ୍ଞାନ ସମ୍ବନ୍ଧୀୟ ସାହିତ୍ୟ ନାରଦ ପଞ୍ଚରାତ୍ରରେ ରାଧାଙ୍କ ଉଲ୍ଲେଖ ରହିଛି । ଏତତ୍ ବ୍ୟତୀତ ଗର୍ଗସଂହିତା, ସନକ କୁମାର ସଂହିତା ଓ ଦେବୀ ଭାଗବତ ପୁରାଣରେ ମଧ୍ୟ ରାଧାଙ୍କ ବିଷୟରେ ଲିଖିତ ହୋଇ ରହିଛି । କୁହା ଯାଉଛି ୧୨ଶ ଶତାବ୍ଦୀରେ ପୂର୍ବ ମହାରାଷ୍ଟ୍ରରେ ଅରୁଣା ଋଷିଙ୍କ ଔରସରେ ଜୟନ୍ତି ଦେବୀଙ୍କ ଗର୍ଭରୁ ଜାତ (ପରେ ସେମାନେ ସମସ୍ତେ ମଥୁରାକୁ ସ୍ଥାନାନ୍ତରିତ ହୋଇ ଶ୍ରୀରାଧାଙ୍କ ଜନ୍ମସ୍ଥାନ ବର୍ଷାଣା ନିକଟସ୍ଥ ନିମ୍ବଗ୍ରାମରେ ଅବସ୍ଥାପିତ ହୋଇଥିଲେ) ହୋଇଥିବା ଦାର୍ଶନିକ ନିମ୍ବର୍କାଚାର୍ଯ୍ୟ ରାଧାଙ୍କୁ କେନ୍ଦ୍ରୀଭୂତ କରି ବୈଷ୍ଣବୀୟ ବିଚାରର ଭେଦାଭେଦ (ଦୈତ-ଅଦୈତ) ବିଚାରକୁ ଆଗକୁ ପ୍ରସାରଣ କରିବାରେ ମୁଖ୍ୟ ଭୂମିକା ନେଇଥିଲେ ।
ସେ ଓଡ଼ିଶାର ବୈଷ୍ଣବୀୟ କବି ଜୟଦେବଙ୍କର ସମସାମୟିକ ଥିଲେ । ଜଣେ ପନ୍ଥ ଓ ସମ୍ପ୍ରଦାୟ ଅବଲମ୍ବନ କରି ରାଧାଙ୍କ ତତ୍ତ୍ୱକୁ ପ୍ରଚାର କରୁଥିଲେ । ଆଉ ଜଣେ ନିଜ ପ୍ରାଣପ୍ରିୟା ନୃତ୍ୟାଙ୍ଗନା ପତ୍ନୀଙ୍କୁ ରାଧାଙ୍କ ବେଶରେ ଜଗନ୍ନାଥଙ୍କ ସମ୍ମୁଖରେ ନୃତ୍ୟାବସ୍ଥାରେ ଗୀତଗୋବିନ୍ଦର ଗାନ କରି ସେହି ବିଚାରର ପ୍ରଚାର କରେଇଛନ୍ତି । ଭେଦାଦେଦ ଭାବର ଗୀତଗୋବିନ୍ଦ ଜୟଦେବ ତାଙ୍କ ନିଜସ୍ୱ ଭାଷା-ଭାବ ଚାତୁର୍ଯ୍ୟରେ ରାସକ୍ରୀଡ଼ାର ଅସଂଲଗ୍ନିତ ମୂହୁର୍ତ୍ତକୁ ରସ ରାଗ ରଙ୍ଗର ସଙ୍ଗୀତ-ମାଧୂର୍ଯ୍ୟକୁ କ୍ରିୟା ପ୍ରତିକ୍ରିୟା ମାଧ୍ୟମରେ ପ୍ରେମାନଳର ଜାଜ୍ଜଲ୍ୟମାନତା ପ୍ରଦର୍ଶନ କରେଇବାରେ ସକ୍ଷମ ହୋଇ ପାରିଛନ୍ତି, ଯାହାର ରାଧା-ଭାବଜନିତ ପୁଷ୍ପ-ସୁବାସର ବିସ୍ଫୋରଣ ବିଶ୍ୱସାରା ପ୍ରସ୍ଫୁରଣ ହୋଇ ଯାଇଛି । ରାଧା-କୃଷ୍ଣ ଭାବରେ ଅଦ୍ୱୟତାର ପ୍ରାଣ ପ୍ରତିଷ୍ଠା ପାଇଁ କବି ଜୟଦେବ ତାଙ୍କ ଏହି ପ୍ରୟାସରେ ସଫଳ ହୋଇଛନ୍ତି । ଜୟଦେବଙ୍କର ଲୁପ୍ତ ଅତୀତ ଇତିହାସରୁ ହିଁ ଏହା ଜଣା ପଡ଼ିବାର ସମ୍ଭାବନା ଅଧିକ ।
ତେବେ ଆସନ୍ତୁ, ତେବେ ଏହି ଶବ୍ଦ ଓ ଭାବର ଉତ୍ସ ସମ୍ବନ୍ଧରେ ଆଲୋଚନା କରିବା ।
ନାରଦ ପଞ୍ଚରାତ୍ର
ନାରଦ ପଞ୍ଚରାତ୍ର ସଂହିତାରେ ମହାଦେବ ନାରଦଙ୍କୁ ହରିଭକ୍ତି ଉପରେ ବ୍ୟାଖ୍ୟାନର ଗାଥା ରହିଛି । ସେହି ସଂହିତାର ଦ୍ୱିତୀୟ ରାତ୍ର – ତୃତୀୟ ଅଧ୍ୟାୟରେ ମହାଦେବ ଓ ନାରଦଙ୍କ କଥୋପକଥନରୁ ଉଦ୍ଧୃତ;
ଯଥା ରେଣୁରସଂଖ୍ୟଶ୍ଚ ତଥା ବିଶ୍ୱାନି ନାରଦ,
ଏତେଷାମିଶ୍ଚରଶ୍ଚୈକୋ ରାଧେଶଃ ପ୍ରକୃତେଃ ପରଃ ।
ଇତ୍ୱେୱଂ କଥିତଂ କିଞ୍ଚିତ୍ କିଂ ଭୂୟଃ ଶୋତୁମିଛସି,
ଅନିରୁପ୍ୟଃ କୃଷ୍ଣଗୁଣୋ ଯଥା ବିଶ୍ୱଂ ଯଥା ରଜଃ॥ (୧୬-୧୭)
ମହାଦେବ କହୁଛନ୍ତି – ହେ ନାରଦ, ଧରାପୃଷ୍ଠର ଅଗଣିତ ଧୂଳିକଣା ଭଳି ଏହି ଜଗତ । ଶ୍ରୀରାଧାଙ୍କ ପ୍ରଭୁ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡର ଅନନ୍ୟ ନିୟନ୍ତ୍ରକ ଅଟନ୍ତି । ଧରାପୃଷ୍ଠର ଅଗଣିତ ଧୂଳିକଣା ତଥା ଅଗଣିତ ବ୍ରହ୍ମାଣ୍ଡ ଭଳି ପ୍ରଭୁ ଶ୍ରୀକୃଷ୍ଣ ଙ୍କ ଅତିନ୍ଦ୍ରୀୟ ଗୁଣମାନ ବି ଅଗଣିତ । ମୁଁ କେବଳ କିଞ୍ଚିତ୍ ମାତ୍ର ବର୍ଣ୍ଣନା କରିଛି । ଆଉ ଅଧିକା କଣ ତମେ ଶୁଣିବା ପାଇଁ ଚାହୁଁଛ !
ନାରଦ କହୁଛନ୍ତି,
ରାଧୋଦ୍ଭବଂ ବଦ ବିଭୋ ଶ୍ରୋତୁଂ କୌତୁହଳଂ ମମ,
କା ବା ସା କୁତ ଉତ୍ପନ୍ନା ତତ୍ପ୍ରଭାବଶ୍ଚ କଃ ଶ୍ୱି (୧୮)
ହେ ମହାପ୍ରଭୁ, ଦୟାକରି ଶ୍ରୀରାଧାଙ୍କ ଆବିର୍ଭାବ ସମ୍ବନ୍ଧରେ ବ୍ୟାଖ୍ୟା କରନ୍ତୁ । ମୋ ଭିତରେ ତୀବ୍ର କୌତୁହଳ ସୃଷ୍ଟି ହୋଇଛି । ହେ ମହାଦେବ! ସେ କିଏ ଅଟନ୍ତି? ସେ କେଉଁଠୁ ଆସିଛନ୍ତି? କେମିତି ଅଟେ ତାଙ୍କ ଅସାମାନ୍ୟ ପ୍ରଭାବ?
ଉତ୍ତରରେ ମହାଦେବ କହୁଛନ୍ତି,
ଏକ ଈଶଃ ପ୍ରଥମତୋ ଦ୍ୱିଧାରୂପୋ ବଭୁବ ସଃ,
ଏକା ସ୍ତ୍ରୀ ବିଷ୍ଣୁମାୟା ଯା ପୁମାନେକଃ ସ୍ୱୟଂ ବିଭୁଃ (୨୪)
ଅର୍ଥାତ ପ୍ରଥମରେ ଭଗବାନ ସ୍ୱୟଂକୁ ଦୁଇ ଭାଗରେ ବିଭକ୍ତ କଲେ । ଗୋଟିଏ ଭାଗ ସ୍ତ୍ରୀ ରୂପେ ବିଷ୍ଣୁ-ମାୟା ନାମେ ଅଭିହିତ ହେଲା ଏବଂ ତାଙ୍କ ଅନ୍ୟ ରୂପରେ ସେ ସର୍ବୋଚ୍ଚ ଉପଭୋକ୍ତା ହୋଇ ରହିଲେ ।
ମାୟା
ଭଗବାନଙ୍କ ଏହି ଦୁଇଭାଗ ବିଷୟ ଉପନିଷଦରେ ବି କୁହାଯାଇଛି,
ଦ୍ଵା ସୁପର୍ଣ୍ଣା ସୟୁଜା ସଖାୟା ସମାନଂ ବୃକ୍ଷଂ ପରିଷସ୍ଵଜାତେ ।
ତୟୋରନ୍ୟଃ ପିପଲଂ ସ୍ଵାଦ୍ଵତ୍ତ୍ୟନଶ୍ରନ୍ନନ୍ୟୋ ଅଭିଚାକଶୀତେ । । (୩.୧.୧ ମୁଣ୍ଡକ ଉପନିଷଦ)
ଅର୍ଥାତ, ଗୋଟିଏ ହିଁ ବୃକ୍ଷରୂପୀ ଶରୀରରେ ଏକା ସାଥୀରେ ଏବଂ ସଖୀ ଭାବରେ ଦୁଇଟି ପକ୍ଷୀରୂପକ ଜୀବାତ୍ମା ରହିଥାନ୍ତି ।
ଜଣେ ମୋହାବିଷ୍ଟ ହୋଇ ସବୁ ଇନ୍ଦ୍ରିୟକୁ ଉପଭୋଗ କରିଥାଏ ଯେତେବେଳେ କି ଅନ୍ୟଟି ଦ୍ରଷ୍ଟା ଭାବରେ ରହିଥାଏ ।
ଏହି ବିଷ୍ଣୁ-ମାୟା ସମ୍ବନ୍ଧରେ ଭଗବତ-ଗୀତାରେ ଶ୍ରୀକୃଷ୍ଣ କହୁଛନ୍ତି
ଦୈବୀ ହ୍ୟେଷା ଗୁଣମୟୀ ମମ ମାୟା ଦୁରତ୍ୟୟା ।
ମାମେବ ଯେ ପ୍ରପଦ୍ୟନ୍ତେ ମାୟାମେତାଂ ତରନ୍ତି ତେ । । (ଭ.ଗୀ.୭.୧୪)
ଅର୍ଥାତ, ସତ୍ଵ, ରଜ ଓ ତମ-ଏହି ତିନି ଗୁଣ ଦ୍ଵାରା ନିର୍ମିତ ମୋର ଏହି ତ୍ରିଗୁଣମୟୀ ମାୟା ଅତ୍ୟନ୍ତ ହିଁ କଷ୍ଟସାଧ୍ୟ ଅଟେ । କିନ୍ତୁ ମୋର ଶରଣାଗତିରେ ହିଁ ଜୀବ ଏହି ମାୟା/ ଭ୍ରମକୁ ପାରି ହୋଇଯାଇ ପାରିଥାଏ ।
(ଶରଣାଗତି: ବିନା ଧ୍ୟେୟରେ ସମ୍ପୂର୍ଣ୍ଣ ସମର୍ପଣ । ଯେମିତି ମା’ର ପେଟ/ବେକ ଧରି ଓହଳି ଥିବା ମାଙ୍କଡ଼ ଛୁଆଟି ସୁରକ୍ଷା ଭାବର ଚରମ ପର୍ଯ୍ୟାୟରେ ପହଞ୍ଚି ନିଶ୍ଚିନ୍ତ ନିର୍ଭୟରେ ମା’ର ଯେ କୌଣସି ପଦକ୍ଷେପ ପାଇଁ ବିନା ଫଳାଫଳ ଚିନ୍ତାରେ ପ୍ରସ୍ତୁତ ଥାଇ ଝୁଲୁଥାଏ;)
ବ୍ରହ୍ମାଣ୍ଡର ପ୍ରତ୍ୟେକ ସ୍ଥାନରେ ଆମେ ଏହି ମାୟାର ବିସ୍ତୃତ ରୂପ ଦେଖୁଅଛେ । କାରଣ ସେ ଏକ ଦିବ୍ୟଶକ୍ତି ଅଟନ୍ତି । ଏବଂ ତାକୁ ବ୍ରହ୍ମଙ୍କ ଶକ୍ତି କହନ୍ତି । ବ୍ରହ୍ମ ଓ ଶକ୍ତି ଅଭିନ୍ନ ଅଟେ ।
ଇଂଲଣ୍ଡରେ ଜ୍ଞାନ ଯୋଗ ଉପରେ ବ୍ୟାଖ୍ୟାନ ଦେଲାବେଳେ ସ୍ଵାମୀ ବିବେକାନନ୍ଦ କହିଥିଲେ – ମାୟା ଏକ ଦୃଷ୍ଟିକୋଣ ନୁହେଁ । ଆମେ କିଏ ଓ ଆମେ ଆମ ଚତୁର୍ଦ୍ଦିଗେ ଦେଖୁଥିବା ପ୍ରତ୍ୟେକ ପଦାର୍ଥ ପାଇଁ ଏହା ଏକ ବାସ୍ତବିକତା ଅଟେ ।
– ପ୍ରମୋଦ କୁମାର ପଣ୍ଡା
Comments
ପ୍ରମୋଦ କୁମାର ପଣ୍ଡା ଜଣେ ଓଡ଼ିଆ ଲେଖକ, ଯିଏକି ପ୍ରାୟତଃ ତାଙ୍କର ନିଜ ଗବେଷଣା ଏବଂ ଅନୁଭବ ଉପରେ ବିଭିନ୍ନ ପ୍ରକାରର ରଚନା କରନ୍ତି । ଯଦିଓ ଛାତ୍ରଜୀବନରେ ସେ ବିଭିନ୍ନ ପ୍ରାକାରର ଲେଖାଲେଖି କରୁଥିଲେ, କିନ୍ତୁ ଜଣେ ବ୍ୟାଙ୍କ କର୍ମଚାରୀ ଭାବରେ ଅବସର ନେବାପରେ ସେ ଆରମ୍ଭ କରିଥିଲେ ପ୍ରକୃତ ରଚନା । ଲେଖକ ଜୀବନରେ ତାଙ୍କର ପ୍ରଥମ ଗଳ୍ପ ଆମ ପତ୍ରିକାର ପ୍ରଥମ ସଂସ୍କରଣରେ ପ୍ରକାଶ ପାଇବାପରେ ଆରମ୍ଭ ହୋଇଥିଲା ତାଙ୍କର ଲମ୍ବା ଯାତ୍ର । ବିଭିନ୍ନ ପତ୍ରପତ୍ରିକାମାନଙ୍କରେ ତାଙ୍କ ରଚିତ ଲେଖାଗୁଡ଼ିକ ପ୍ରକାଶ ପାଉଛି ।