ହେ ଅକ୍ଷୟ ତୁମେ ଚିର କୁମାର
ପ୍ରେମିକ ମନରେ ଫଗୁଣ ଅବିର
କେବେ ପୁଣି ମନରେ ରାଗିଣୀ ସ୍ୱର
ଜହ୍ନ ପାଇଁ କେବେ ତୁମେ
କଇଁର ପ୍ରୀତି ଆମନ୍ତ୍ରଣର ସମ୍ଭାର..!!
ବୟସର କୃଷ୍ଣଚୂଡ଼ାରେ ତୁମେ
କେବେ ନାଲିରଙ୍ଗ ବୁଣିଥାଅ,
କେବେ ପୁଣି ଫଗୁଣ ଗଲା ପରେ
ବିରହର ଗୀତ ଗାଇ ଥାଅ..!!
ସାଗର ଭିତରେ ଶାମୁକା ଗର୍ଭରେ
ମୁକୁତା ରଖ ସାଇତି,
ଏଇ ବନ ଲତା ପାହାଡ଼ ଘେରାରେ
ସରେ ନାହିଁ ଦିନ ରାତି ॥
ଚିଠିକୁ କରି ଟିକି ଚଢ଼େଇ
ଉଡ଼ାଇ ଦେଲ ନୀଳ ଆକାଶେ,
ଯାଯାବର ମନ ନେଇ ଘୁରି ବୁଲୁ ଥାଅ
ରୁମ୍ ଝୁମ୍ ନୂପୁର ପରଶେ ॥
ଅବୁଝା ପ୍ରିୟତମା ଅଭିମାନ କଲେ
ବସି ଯାଇ ତା’ର ପାଶେ,
ପ୍ରଣୟ ପରଶେ ପ୍ରୀତିର ପୁଲକ
ଚନ୍ଦ୍ର ମଲ୍ଲୀ ସତେ ହସେ..!!
ଗୀତ ଗାଇ ଗାଇ ଚାଲିଗଲ ତୁମେ
ବୋଲି ଦେଇ କେତେ ଗୀତ,
ଫେରି ଯାଉ ଯାଉ କହି ଦେଇ ଗଲ
ଏଇ ମୋର ଶେଷ ଗୀତ..!!
ହାରି ଯାଇଥିବା ଲୋକର କି ଅଛି
ଜୀଇଁବାର ନାହିଁ ମାନେ,
ତୁମେ ଶିଖାଇଛ ବଞ୍ଚିବାର ରାହା
ସଙ୍ଗୀତର କୁହୁ ତାନେ..!!
ଚିର ନମସ୍ୟ ତୁମେ ଚିର ସବୁଜ,
ସଙ୍ଗୀତର ଯାଦୁଗର,
ଦୁନିଆ ବୁକୁରେ ଗୀତ ସଙ୍ଗୀତରେ
ରହିବ ତୁମେ ଚିର ଅମର..!!
– ସନାତନ ଦାସ
Comments
ସନାତନ ଦାସ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚନାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକରେ ପ୍ରକାଶ ପାଇଛି ।