ଶାମ୍ବ ଦଶମୀ

Odia Poem Shamba Dasami (ଶାମ୍ବ ଦଶମୀ) by Sarmistha Malla

ଶାମ୍ବ ଦଶମୀ ଆସିଲେ ମନେ ପଡ଼େ ବୋଉ କଥା । ବୋଉ ନୁହେଁ ତ ସେ ଥିଲା ତ୍ୟାଗ ଓ ମମତାର ମୂର୍ତ୍ତିମନ୍ତ ପ୍ରତୀକ । ଶାମ୍ବ ଦଶମୀର ପୂର୍ବ ଦିନରୁ ତା’ର ପ୍ରସ୍ତୁତି ଆରମ୍ଭ ହୋଇଯାଏ । ନିଜ ପିଲାଙ୍କ ମଙ୍ଗଳ କାମନା କରି ସେମାନଙ୍କ ସୁଖମୟ ନିରୋଗ ଜୀବନ ପାଇଁ ପୂଜା କରିବାକୁ ସତେ ଯେପରି ତା’ର ସେଦିନ ନିଦ ହଜିଯାଏ ! ସେ ଦୁଇଦିନ ସତେ ଯେପରି ସେ ଦିନରାତି ଏକାକାର କରି ଦେଇଥାଏ !! ରାତିସାରା ସେ ପିଠା, କ୍ଷୀରି, ପୁରି ସବୁ କରି ଚାଲିଥାଏ ବିନା କାହାରି ସାହାଯ୍ୟରେ । ସରୁ ଚକୁଳି, ବୁଢ଼ା ଚକୁଳି, ଆରିସା, କାକରା, ମଣ୍ଡା, ଛୁଞ୍ଚିପିଠାଠାରୁ ଆରମ୍ଭ କରି ଆହୁରି ଅନେକ କିଛି । କେମିତି ସେ ସୂର୍ଯ୍ୟୋଦୟ ଆଗରୁ ସବୁ କାମ ସାରି ପୂଜା କରିବ, ସାହିର ଛୋଟ ପିଲାଙ୍କୁ ଡାକିକି ଖାଇବାକୁ ଦେବ । ଛୋଟ ପିଲାଙ୍କ ଖୁସି ସେଦିନ କହିଲେ ନ ସରେ । ସମସ୍ତଙ୍କ ଘରେ ବୁଲି ବୁଲି ଖାଇବାର ଆଗ୍ରହ । କିନ୍ତୁ ଆଜି ସମୟ ବଦଳି ଯାଇଛି । ଆଧୁନିକତାର ସ୍ପର୍ଶରେ ସମସ୍ତେ ଘୋଡ଼ା ଦୌଡ଼ର ଜୀବନ ଅତିବାହିତ କରୁଛନ୍ତି । ତା’ ପୁଣି ଦୂର ବିଦେଶରେ । ଯେଉଁଠି ନା ଅଛି ଶାମ୍ବ ଦଶମୀର ସେ ମାଦକତା ନା ଛୋଟ ପିଲାଙ୍କ ସେ କୋଳାହଳ । ଏପରିକି ଶାମ୍ବ ଦଶମୀର ତାତ୍ପର୍ଯ୍ୟ ମଧ୍ୟ ବହୁତ ଜଣଙ୍କୁ ଅଜଣା । ଏପରିକି ନିତା ବି ଆଜିକାଲି ଆଉ ଶାମ୍ବ ଦଶମୀ ପୂଜା କରୁନି । କିନ୍ତୁ କାହିଁକି କେଜାଣି ଏ ବର୍ଷ ତା’ ମନ ଅଥୟ ହେଉଛି । ନିଜ ପିଲାଙ୍କ ପାଇଁ କିଛି ଅଧୁରା ଛାଡ଼ି ଯାଉଛି ବୋଲି ସେ ଭାବୁଛି । ଏ ସମୟରେ ତାକୁ ନୀତିନଙ୍କ ଫୋନ୍ ଆସିଲା । ସେ ମଧ୍ୟ ଶାମ୍ବ ଦଶମୀ ପୂଜା କଥା କହୁଥିଲେ । ତେଣୁ ନିତା ନିଷ୍ପତ୍ତି ନେଲା ସେ ବି ତା’ ଝିଅର ନିରାମୟ ଜୀବନ ପାଇଁ ଏଥର ପୂଜା କରିବ ।

ସନ୍ଧ୍ୟାରେ ପୂଜା ପାଇଁ ସବୁ ଜିନିଷ କିଣାକିଣି କଲା । ବଡି ଭୋର୍‌ରୁ ଉଠି ବୋଉଠାରୁ ଶିଖିଥିବା ପିଠାପଣା, ପୁରି ଖିରି କରି ପୂଜା କଲା । ଆଗରୁ ସେ ଅନେକ କିଛି ପୂଜା କରିଛି ଝିଅ ପାଇଁ, କିନ୍ତୁ ଏଥର ତାକୁ ସବୁ କିଛି ନିଆରା ଲାଗୁ ଥିଲା । ଘରପାଖ ପିଲାଙ୍କୁ ମଧ୍ୟ ଡାକି ଖୁଆଇଲା । ଝିଅ ପ୍ରଥମଥର ନିଜ ଘରେ ଏପରି ପୂଜା ଦେଖି ଆଶ୍ଚର୍ଯ୍ୟ । ତାକୁ ମଧ୍ୟ ସେ ଶାମ୍ବ ଦଶମୀର ତାତ୍ପର୍ଯ୍ୟ ବୁଝାଇଲା । ନୀତିନ ମଧ୍ୟ ବହୁତ ଦିନପରେ ଶାମ୍ବ ଦଶମୀର ଏ ଅନୁଭୂତି ପାଇ ବହୁତ ଖୁସି । ନିତା ଉପଲବ୍ଧି କଲା ସତରେ ଆମ ପରମ୍ପରା ଭିତରେ ଭରି ରହିଛି ଏକ ଅପୂର୍ବ ସମ୍ମୋହନ । ପରସ୍ପର ମଧ୍ୟରେ ଏହା ଏକ ଅଦୃଶ୍ୟ ଡୋରି ବାନ୍ଧିଦିଏ । ନିଜ ପର ପୀଢ଼ିକୁ ଏ ସମ୍ବନ୍ଧରେ ଅବଗତ କରାଇ ଆତ୍ମତୃପ୍ତି ଲାଭ କଲା । ମାଆର ଭୂମିକା କିଛି ମାତ୍ରାରେ ନିର୍ବାହ କଲା । ସତରେ ମହାନ ଆମର ଏ ପରମ୍ପରା । ବାତ୍ସଲ୍ୟ ମମତାର ଏକ ଝଲକ ଏଇ ପର୍ବ ଶାମ୍ବ ଦଶମୀ ।

– ଶର୍ମିଷ୍ଠା ମଲ୍ଲ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...