ସେଇ ଜହ୍ନ ମତେ ଝୁରେ

Odia Poem Sei Janha Mote Jhure (ସେଇ ଜହ୍ନ ମତେ ଝୁରେ) by Purnima Prusty

ରଙ୍ଗ ପସରାରେ ଫେରିଛି ଫଗୁଣ
ବେରଙ୍ଗେ ମୋ ଦିନ ସରେ
ଯେଉଁ ରଙ୍ଗକୁ ମୁଁ ଝୁରୁଥିଲି ଦିନେ
ସେଇ ରଙ୍ଗ ମତେ ଝୁରେ

ସାତ ସୁରେ ଆଜି ଗାଉଛି ମଳୟ
ବେସୁରେ ଜୀବନ ହଜେ
ଯେଉଁ ସୁରକୁ ମୁଁ ଖୋଜୁଥିଲି ଦିନେ
ସେଇ ସୁର ମତେ ଝୁରେ

ଅଧୁରା ସପନ ତନ୍ଦ୍ରା ବିନା ମୋର
ବାରବାର ଉଙ୍କି ମାରେ
ଯେଉଁ ତନ୍ଦ୍ରାର ଅପେକ୍ଷା ଥିଲା ମୋ
ସେଇ ତନ୍ଦ୍ରା ମତେ ଝୁରେ

ପ୍ରୀତି ଭରା ସଚ୍ଚା ହୃଦୟଟା ମୋର
ବିରହେ ଚିତ୍କାର କରେ
ଯେଉଁ ଜହ୍ନ ପ୍ରୀତି ପିୟାସୀ ଥିଲି ମୁଁ
ସେଇ ଜହ୍ନ ମତେ ଝୁରେ

ଅସ୍ପଷ୍ଟ ଶବ୍ଦର ଭାବନା ଯେ ମୋର
କାଗଜର ଛାତି ଚିରେ
ଯେଉଁ ଛାନ୍ଦ ସବୁ ଭୁଲି ସାରିଛି ମୁଁ
ସେଇ ଛାନ୍ଦ ମତେ ଝୁରେ…

– ପୂର୍ଣ୍ଣିମା ପୃଷ୍ଟି

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...