ଗୋଟେ ସମୟ ଥିଲାରେ ଓଡ଼ିଆ
ଆସୁଥିଲା ଯେବେ ରଜ,
କୁମାରୀଙ୍କ ସତେ ହଜୁଥିଲା ନିଦ
ହେବାକୁ ସଜବାଜ ।
ପନ୍ଦର ଦିନ ଆଗରୁ କରୁଥିଲେ ଅଳି
ବାପାମାଆଙ୍କ ପାଶେ
ନୂଆ ଜାମା, କୁଙ୍କୁମ, ଅଳତା ଆଉ ଚୁଡ଼ି
ଆଣିବ କେବେ ମୋ ସକାଶେ?
ପାଦ ଲାଗୁନଥିଲା ଭୂଇଁରେ ତାଙ୍କରି
କରିବାକୁ ରଜ ମଉଜ
ବାପାଙ୍କ ଦାଦାଙ୍କ ପାଖେ କରି ଅଳି
ଦୋଳି କରୁଥିଲେ ସଜ ।
ମା’ଙ୍କୁ ବରାଦ ପୋଡ଼ପିଠା ପାଇଁ
ଆଉ ତା’ ସାଥେ ରଜପାନ
ଜେଜେମା ଶିଖାଏ ରଜଦୋଳି ଗୀତ
ଗାଇଲେ ହେବ ରଜ ପାଳନ ।
ଆସେ ପୁଣି ସେଇ ଅପେକ୍ଷାର ଦିନ
ହୁଅନ୍ତି ହରଷେ ସଜବାଜ
ପହିଲି ରଜରେ ଗୋଡ଼ ନଲାଗେ ଖୁସିରେ
ଆହା କି ସତେ ମଉଜ !
ହଳଦୀକୁ ମାଖି ସ୍ନାନ ସାରି ବେଗେ
ପିନ୍ଧିକରି ନୂଆ ଜାମା
ମଥାରେ ଆଙ୍କନ୍ତି କୁଙ୍କୁମର ଟିପା
ସରୁ ଅଳତା ପାଦେ ସାଜି ଜେମା !
ଅତି ଆନନ୍ଦରେ ଖାଇ ପୋଡ଼ପିଠା
ଗାଁ ବୁଲି ସଖୀଙ୍କ ମେଳେ
ଦୋଳିରେ ଝୁଲନ୍ତି ରଜାଜେମା ମାନେ
ରଜଦୋଳି ଗୀତ ତାଳେ ।
ସେ ଗୀତ ଧ୍ୱନିରେ ଦାଣ୍ଡ ଅଗଣା ଯେ ହସେ
ପବନ ବି ଗାଏ ସ୍ୱରେ
କୋଇଲି ବି ସ୍ୱର ମିଶାଏ ସେ ଗୀତେ
ମିଠା ମିଶାଇ ଓଡ଼ିଆ ପର୍ବରେ ।
ହସି ଉଠେ ଗାଁ, ପବନ ଏ ମାଟି
ଉତ୍ସଵର ମଧୁରତାରେ
ବସୁମତୀ ମା’ ଉତ୍ଫୁଲ୍ଲିତ ଦେଖି
ଓଡ଼ିଆର ମାଆ ପ୍ରୀତିରେ ।
ତିନିଦିନ କୋଳାହଳେ କମ୍ପିଉଠେ
କୁମାରୀଙ୍କ ଏ ଉତ୍ସବ
ଚତୁର୍ଥଦିନରେ ବସୁମତୀଙ୍କୁ ପୂଜି
ନିଏ ମେଲାଣି ରଜପର୍ବ ।
ବଦଳି ଯାଇଛି ସେ ଝାଟିମାଟି ଘର
ବଦଳିଛି ସମୟସ୍ରୋତ
ଖୁସିଦିନ ସବୁ ରହିଯାଇଛି ସ୍ମୃତି ହେଇ
ଝାଟିମାଟି ଖଞ୍ଜାଘରେ ସେ ତ’ ।
ନା ଅଛି ଆଉ ସେଦିନର ମିଠାବୋଳା ଖୁସି
ଉତ୍ସବର ସେ ଅନୁଭୂତି
ମହାମାରୀ ସାଥେ ଆଧୁନିକତା ମିଶି
ହତ୍ୟା କରିଛନ୍ତି ସବୁ ରୀତି ।
ମାଟିଘର ସହିତ ସେ ସ୍ମୃତି ଗୁଡ଼ିକ ସତେ
ସ୍ମୃତି ପାଲଟି ଯାଇଛି
କାହିଁ ଆଉ ସେ ନିଆରା ମହକ
ଆଜି ରଜଫିକା ପଡ଼ିଛି ।
ରଜଦୋଳି ଡାକେ ଆସରେ ମୋ ପାଖେ
ହେଲେ କେହି ଆଜିନାହିଁ
ଜାଗ୍ରତ ହୁଅରେ ଓଡ଼ିଆ ଜାତି ତୁ
ଯିବା ଆଗରୁ ସବୁଶେଷ ହୋଇ ।
କରୋନାରେ ନିଜକୁ ସୁରକ୍ଷିତ ରଖି
ଆସ ପାଳିବା ରଜ ସଜ ହୋଇ
ଓଡ଼ିଆ ଗର୍ବକୁ ବଞ୍ଚେଇ ରଖିଲେ
ଓଡ଼ିଆ ହେବା ଆମେ ଯାଇ ।
ରଜପର୍ବର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ।
– ସୁଶ୍ରୀ ସଙ୍ଗୀତା ସେଠୀ
Comments
ସୁଶ୍ରୀ ସଙ୍ଗୀତା ସେଠୀ ଓଡ଼ିଆ ଭାଷାରେ ବିଭନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ପ୍ରସଙ୍ଗଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି ।